BISWAS KUMAR'S Grief Photograph: (sambad.in)
ଅହମଦାବାଦ: ଜୁନ୍ ୧୨ ତାରିଖରେ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ବଞ୍ଚିଯାଇଥିଲେ। ସେ ଥିଲେ ବିଶ୍ବାସ କୁମାର। ଏତେ ବଡ଼ ଦୁର୍ଘଟଣାରୁ ସୁରକ୍ଷିତ ବଞ୍ଚିଯିବା ପରେ ବିଶ୍ବାସ ବହୁତ ଭାଗ୍ୟବାନ ବୋଲି ଲୋକେ କହିଥିଲେ। ଭାଗ୍ୟ ବହୁତ ମଜବୁତ୍ ଥିବାରୁ ସେ ସୁରକ୍ଷିତ ବାହାରକୁ ଆସିଥିବା କୁହାଯାଇଥିଲା। ହେଲେ ବିଶ୍ବାସ ସେଭଳି ଭାବୁନଥିବା ଜଣାପଡ଼ିଛି। ନିଜକୁ ସେ ଭାଗ୍ୟବାନ ବୋଲି ଭାବୁନଥିବା କହିଛନ୍ତି। ଭାଇକୁ ହରାଇବା ପରେ ତାଙ୍କ ଜୀବନରେ ଆଉ ଖୁସି ନଥିବା ସେ କହିଛନ୍ତି। ଏହି ଦୁର୍ଘଟଣା ପରେ ସେ ଏବେ ବି ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଭୋଗୁଛନ୍ତି ବୋଲି କହିଛନ୍ତି।
ନୂଆ ଜୀବନ ପାଇ ଖୁସି ନାହାନ୍ତି ବିଶ୍ବାସ
ବିଶ୍ୱାସ କୁମାର ବିବିସିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, "ମୁଁ ଏବେ ଏକା ରହୁଛି ଏବଂ ସ୍ତ୍ରୀ ଓ ପୁଅ ସହ କଥା ହେଉ ନାହିଁ। ମୋ ସାନ ଭାଇ ଅଜୟ, ଯିଏ କିଛି ସିଟ୍ ଦୂରରେ ବସିଥିଲେ, ସେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ମୁଁ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନାହିଁ ଯେ, ମୁଁ ଏକା ବଞ୍ଚିଗଲି, ଆଉ ସମସ୍ତେ ଚାଲିଗଲେ। ଏହା ଏକ ଚମତ୍କାରଠାରୁ କମ୍ ନୁହେଁ। ମୋ ଭାଇ ମୋର ମେରୁଦଣ୍ଡ ଥିଲା। ସେ ସବୁବେଳେ ମୋତେ ସମର୍ଥନ କରୁଥିଲା। ସେ ଯିବା ପରେ ଏବେ ମୁଁ ସମ୍ପୂର୍ଣ୍ଣ ଏକା। ଏହା ମୋ ପାଇଁ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟକର। ମୋ ମାଆ ପ୍ରତିଦିନ ଘର ବାହାରେ ଚୁପ ହୋଇ ବସି ରହୁଛନ୍ତି, କାହା ସହିତ କଥା ହେଉ ନାହାନ୍ତି। ମୁଁ ନିଜେ କାହା ସହିତ କଥା ହେବାକୁ ଚାହୁଁ ନାହିଁ। ମୁଁ ସାରା ରାତି ସେ ଘଟଣା ବିଷୟରେ ଭାବୁଛି, ଏବଂ ପ୍ରତିଦିନ ଯନ୍ତ୍ରଣା ଦେଇ ଗତି କରୁଛି। ଈଶ୍ବର ମୋତେ ନୂଆ ଜୀବନ ଦେଲେ ସତ, କିନ୍ତୁ ସବୁ ଖୁସି ଛଡ଼ାଇନେଲେ।"
କମ ହୋଇନି ଶାରୀରିକ ଯନ୍ତ୍ରଣା
ସେ ଆହୁରି କହିଛନ୍ତି ଯେ, ବିମାନର ଭଙ୍ଗା ଅଂଶ ଦେଇ ସିଟ୍ 11Aରୁ ବାହାରକୁ ଯିବା ସମୟରେ ମୋ ଗୋଡ, କାନ୍ଧ, ଆଣ୍ଠୁ ଏବଂ ପିଠିରେ ଗମ୍ଭୀର ଆଘାତ ଲାଗିଥିଲା, ଯାହା ଫଳରେ ମୁଁ ଏବେ କାମ କରିପାରୁ ନାହିଁ କିମ୍ବା ଗାଡ଼ି ଚଲାଇପାରୁ ନାହିଁ। ଏବେ ଚାଲିବା ପାଇଁ ମୋତେ ମୋ ସ୍ତ୍ରୀଙ୍କ ସାହାଯ୍ୟ ଦରକାର ପଡ଼ୁଛି।
ଆହୁରି ପଢ଼ନ୍ତୁ: Indian Women Team Win: ମହିଳା ଟିମ୍ ବିଶ୍ବକପ୍ ହାତେଇବା ଦେଖି କାନ୍ଦି ପକାଇଲେ ରୋହିତ୍, ଭାଇରାଲ ହେଲା ଭିଡିଓ
ଆହୁରି ପଢ଼ନ୍ତୁ: Jaipur Accident: ଛାତି ଥରାଇ ଦେଉଛି ଭୟାବହ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ମାଡ଼ିଗଲା ଡମ୍ପର, ଚାଲିଗଲା ୧୯ଜଣ ଯାତ୍ରୀଙ୍କ ଜୀବନ
  
 Follow Us