Photograph: (The Economic Times)
ନୂଆଦିଲ୍ଲୀ: ବେଆଇନ ଖଣି କ୍ଷତିପୂରଣ ରାଶି ଅସୁଲ କରିବାରେ ପ୍ରତିବନ୍ଧକ ସାଜିଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା ଲାଗି ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ୨୦୨୬ ମାର୍ଚ୍ଚ ୩ ସୁଦ୍ଧା ସବୁ ମାମଲାର ଫଇସଲା କରିବା ପାଇଁ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଫଇସଲା ସମ୍ଭବ ହେଉନାହିଁ, ତେବେ ଅନ୍ତରୀଣ ସ୍ଥଗିତାଦେଶ ହଟାଇବା ଲାଗି ରାଜ୍ୟ କରିଥିବା ଆବେଦନ ଉପରେ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଥିବା ସୁପ୍ରିମକୋର୍ଟ କହିଛନ୍ତି।
Koraput: ଜାଡ଼ରେ ଥରୁଛି କୋରାପୁଟ: ରାଜୁଗୁଡ଼ାରେ ତୁଷାରପାତ, ୫ଂ ତଳକୁ ଖସିଲା ପାରଦ
ବେଆଇନ ଖଣି କାର୍ଯ୍ୟକଳାପରୁ ୨୭୦୦ କୋଟି ଟଙ୍କାର କ୍ଷତିପୂରଣ ରାଶି ଆଦାୟ ହୋଇପାରିନାହିଁ। ଏହାକୁ ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଦୀପଙ୍କର ଦତ୍ତା ଓ ଏଜି ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ଷତିପୂରଣ ରାଶି ସଂଗ୍ରହ କରାଯାଇପାରୁନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଖିଲାପୀ ଖଣି ଲିଜ୍ଧାରୀଙ୍କଠାରୁ କ୍ଷତିପୂରଣ ରାଶି ଆଦାୟ କରିବାକୁ ୨୦୧୭ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଚଳିତ ବର୍ଷ ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ। ଏତେ ପରିମାଣର କ୍ଷତିପୂରଣ ରାଶି ସରକାର ଅସୁଲ କରିପାରୁନଥିବାରୁ କୋର୍ଟ ଚିନ୍ତା ପ୍ରକଟ କରିଥିଲେ।
୨୦୨୬ ମାର୍ଚ୍ଚ ସୁଦ୍ଧା ସବୁ ମାମଲାର ଫଇସଲା କର
ସୁପ୍ରିମକୋର୍ଟରେ ରାଜ୍ୟ ସରକାର ପକ୍ଷ ରଖି କହିଥିଲେ ଯେ ୧୯ଟି ସାର୍ଟିଫିକେଟ୍ ମାମଲା ବିଚାରାଧୀନ ରହିଛି। ଅଧିକାଂଶ ମାମଲାରେ ବିବାଦୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଥିବାରୁ କର୍ତ୍ତୃପକ୍ଷଙ୍କୁ ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ପାଖରେ ପହଞ୍ଚିବାକୁ ପଡ଼ୁଛି। ନୋଟିସ୍ ପଠାଇଲେ ସେମାନେ ତାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରୁଛନ୍ତି। ବିବାଦୀୟ ସମ୍ପତ୍ତି ଆମର ନୁହେଁ ବୋଲି ସେମାନେ କହୁଛନ୍ତି ବୋଲି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଏହା ଶୁଣିବା ପରେ ଜଷ୍ଟିସ୍ ଦତ୍ତା କହିଥିଲେ ଯେ ଚଳିତ ମାସ ୧୯ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ଆବେଦନ କରିବା ଲାଗି ରାଜ୍ୟ ସରକାରଙ୍କୁ ଅନୁମତି ଦିଆଯାଉଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ସବୁ ମାମଲାର ଫଇସଲା କରିବା ଲାଗି ଏକ ଉତ୍ସର୍ଗୀକୃତ ଖଣ୍ଡପୀଠ ଗଠନ କରିବାକୁ କୋର୍ଟଙ୍କୁ କୁହାଯାଇଛି। ଆବଶ୍ୟକ ଜଙ୍ଗଲ ଓ ପରିବେଶ ମଞ୍ଜୁରି ନ ନେଇ ବେଆଇନ ଭାବେ ଅଧିକ ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନ କରିଥିବା ଖଣି ଲିଜଧାରୀଙ୍କଠାରୁ କ୍ଷତିପୂରଣ ଆଦାୟ କରିବାକୁ ୨୦୧୭ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟରୁ ୧୭,୫୦୦ କୋଟି ଟଙ୍କାରୁ ଅଧିକ ବେଆଇନ ଖଣିଜ ପଦାର୍ଥ ଖନନ କରାଯାଇଛି।
Follow Us