DGCA starts investigation Photograph: (sambad.in)
ନୂଆଦିଲ୍ଲୀ: ନଭେମ୍ବର ମାସରେ ଇଣ୍ଡିଗୋର କାର୍ଯ୍ୟକ୍ଷମତାରେ ଅନିୟମିତା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋଠାରୁ ସ୍ପଷ୍ଟୀକରଣ ମାଗିଛି। ଏୟାରଲାଇନ୍ସ ମାସେ ମଧ୍ୟରେ ୧,୨୩୨ ବିମାନ ଉଡ଼ାଣ ବାତିଲ କରିବା ସହିତ ଉଡ଼ାଣରେ ବିଳମ୍ବ ରେକର୍ଡ କରିଛି। ଯାହା ଫଳରେ ବିମାନ ନିୟାମକ କମ୍ପାନିର କାର୍ଯ୍ୟର ଯାଞ୍ଚ୍ କରିବାକୁ ନେଇ ନିର୍ଦ୍ଦେଶ ଜାରି କରିଛି।
ବୁଧବାର କମ୍ପାନିର ଅନେକ ବିମାନର ଉଡ଼ାଣ ବାତିଲ ହୋଇଥିଲା। ସକାଳ ଠାରୁ ଇଣ୍ଡିଗୋ ବିମାନଗୁଡ଼ିକ ବିଳମ୍ବରେ ଉଡ଼ାଣ କରିଥିଲା। ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ବିମାନବନ୍ଦରକୁ ଯାଉଥିବା ବିମାନ ଅନ୍ତର୍ଭୁକ୍ତ ଥିଲା।
ସୂତ୍ର ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ (FDTL) ମାନଦଣ୍ଡ କାର୍ଯ୍ୟକାରୀ ହେବା ଯୋଗୁ ଇଣ୍ଡିଗୋ କର୍ମଚାରୀ ଅଭାବର ସମ୍ମୁଖୀନ ହେଉଛି, ଯାହା ଫଳରେ ଦେଶର ବିଭିନ୍ନ ବିମାନବନ୍ଦରରେ ବିମାନ ଫସି ରହିଛି ଏବଂ ଯାତ୍ରୀମାନଙ୍କ ଯାତ୍ରା ସୂଚୀ ବାଧାପ୍ରାପ୍ତ ହୋଇଛି।
ବିମାନ ଉଡ଼ାଣ ବାତିଲର ମୁଖ୍ୟ କାରଣ କର୍ମଚାରୀଙ୍କ ଅଭାବ ବୋଲି କୁହାଯାଉଛି। କମ୍ପାନିର ୧୦୦ ବିମାନ ବାତିଲ ହେବାର ଗୋଟିଏ ଦିନ ପରେ ଏନେଇ ଡିଜିସିଏ ଯାଞ୍ଚ୍ ନିର୍ଦ୍ଦେଶ ଜାରି କରିଛି। କ୍ୟାଲିବ୍ରେଟେଡ୍ ସମୟସୂଚୀ ସଂଶୋଧନ ଘୋଷଣା କରିଥିବାରୁ ଅନେକ ସେବା ବିଳମ୍ବିତ ହୋଇଥିବା କୁହାଯାଇଛି। ବାତିଲ ତାଲିକାରେ ଦିଲ୍ଲୀ ବିମାନବନ୍ଦରରେ ୩୮ଟି, ମୁମ୍ବାଇ ବିମାନବନ୍ଦରରେ ୩୩ଟି ଏବଂ ଅହମ୍ମଦାବାଦ ବିମାନବନ୍ଦରରେ ୧୪ଟି ଉଡ଼ାଣ ସାମିଲ ଥିଲା।
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (RGIA) ପରିଚାଳନା ପକ୍ଷରୁ କୁହାଯାଇଛି ଯେ, ବିମାନବନ୍ଦରରେ ଇଣ୍ଡିଗୋ ବିମାନଗୁଡ଼ିକ ବାତିଲ ହେବା ବିମାନ କମ୍ପାନି ଭିତରେ ବୈଷୟିକ ଏବଂ କାର୍ଯ୍ୟକ୍ଷମ ସମସ୍ୟା ଯୋଗୁ ହୋଇଥିଲା, ଯାହା ଫଳରେ ବିମାନ ବାତିଲ ଏବଂ ବିଳମ୍ବ ହୋଇଥିଲା। ଇଣ୍ଡିଗୋ କହିଛି ଯେ, କର୍ମଚାରୀମାନେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ କାମ କରୁଛନ୍ତି। ଯେଉଁ ଯାତ୍ରୀମାନଙ୍କର ବିମାନ ବାତିଲ ହୋଇଛି ସେମାନଙ୍କୁ ଅନ୍ୟ ବିମାନରେ ସ୍ଥାନ ଦିଆଯାଉଛି କିମ୍ବା ପୂର୍ଣ୍ଣ ଫେରସ୍ତ ପାଉଛନ୍ତି। ବିଳମ୍ବ ହୋଇଥିବା ବିମାନରେ ଯାତ୍ରୀମାନଙ୍କୁ ମଧ୍ୟ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।
ନଭେମ୍ବର ମାସରେ ୧,୨୩୨ଟି ବାତିଲ
ଡିଜିସିଏ ଅନୁଯାୟୀ, ନଭେମ୍ବର ମାସରେ ମୋଟ ୧,୨୩୨ ଟି ବିମାନ ବାତିଲ କରାଯାଇଥିଲା। ତେଣୁ ଡିଜିସିଏ କମ୍ପାନିର କାର୍ଯ୍ୟଦକ୍ଷତା ଯାଞ୍ଚ୍ କରିଥିଲା।
ବାତିଲର କାରଣ:
- କ୍ରୁ/FDTL ସୀମା: ୭୫୫
- ATC ସିଷ୍ଟମ ବିଫଳତା: ୯୨
- ବିମାନବନ୍ଦର/ଆକାଶମାର୍ଗ ପ୍ରତିବନ୍ଧକ: ୨୫୮
ନଭେମ୍ବର ୬୭.୭୦% ରେ IndiGoର OTP
ଇଣ୍ଡିଗୋର ଅନ୍-ଟାଇମ୍ (OTP) କାର୍ଯ୍ୟଦକ୍ଷତା ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ନଭେମ୍ବରରେ OTP ୬୭.୭୦% ଥିଲା, ଯାହା ଅକ୍ଟୋବରରେ ୮୪.୧% ଥିଲା। ବିଳମ୍ବର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ATC ୧୬%, କ୍ରୁ/ଅପରେସନ୍ ୬%, ବିମାନବନ୍ଦର ସମସ୍ୟା ୩% ଏବଂ ଅନ୍ୟାନ୍ୟ କାରଣ ୮% ଥିଲା ବୋଲି କମ୍ପାନି ପକ୍ଷରୁ ସଫେଇ ଦିଆଯାଇଛି।
ବିଳମ୍ବର ପ୍ରମୁଖ କାରଣ
- ATC: ୧୬%
- କାର୍ଯ୍ୟ – କର୍ମଚାରୀ ଦଳ: ୬%
- ବିମାନବନ୍ଦର ସୁବିଧା ସମସ୍ୟା: ୩%
- ଅନ୍ୟାନ୍ୟ: ୮%
ଡିଜିସିଏ ବର୍ତ୍ତମାନ ପରିସ୍ଥିତିର ତଦନ୍ତ କରୁଛି ଏବଂ ଯାତ୍ରୀମାନଙ୍କ ଅସୁବିଧାକୁ କମ କରିବା ପାଇଁ ବାତିଲକରଣ ଏବଂ ବିଳମ୍ବକୁ ହ୍ରାସ କରିବା ପାଇଁ ବିମାନ କମ୍ପାନି ସହିତ ମିଶି ପଦକ୍ଷେପଗୁଡ଼ିକର ମୂଲ୍ୟାଙ୍କନ କରୁଛି। ଇଣ୍ଡିଗୋକୁ ଡିଜିସିଏ, ମୁଖ୍ୟାଳୟକୁ ରିପୋର୍ଟ କରିବାକୁ କୁହାଯାଇଛି, ଯାହା ଦ୍ୱାରା ବର୍ତ୍ତମାନର ପରିସ୍ଥିତିର ତଥ୍ୟ ଉପସ୍ଥାପନ କରାଯାଇପାରିବ ଏବଂ ବିଳମ୍ବ ଏବଂ ବାତିଲକରଣକୁ ହ୍ରାସ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇପାରିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ଇଣ୍ଡିଗୋ ସଫେଇ ଦେଲା
ଗୋଟିଏ ପରେ ଗୋଟିଏ ବିମାନ ବାତିଲ ହେବା ଯୋଗୁ ଦେଶବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା, ତେଣୁ ବୁଧବାର ଦିନ ବିମାନ କମ୍ପାନି ଏହାର ଯାତ୍ରୀମାନଙ୍କ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି। ଦେଶର ସର୍ବବୃହତ ବିମାନ କମ୍ପାନି ଏକ ବିବୃତିରେ କହିଛି ଯେ, କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ଆଗାମୀ ୪୮ ଘଣ୍ଟା ପାଇଁ କାର୍ଯ୍ୟସୂଚୀରେ "କ୍ୟାଲିବ୍ରେଟେଡ୍ ଆଡଜଷ୍ଟମେଣ୍ଟ" ଆରମ୍ଭ କରାଯାଇଛି। ଅପ୍ରତ୍ୟାଶିତ ପରିଚାଳନାଗତ ସମସ୍ୟାରୁ ଯୋଗୁ ବିମାନ ଉଡ଼ାଣ ବାତିଲ ହୋଇଥିବା କମ୍ପାନି କହିଛି।
ଏକ ବିବୃତିରେ, ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି, ଆମେ ସ୍ୱୀକାର କରୁଛୁ, ଗତ ଦୁଇ ଦିନ ଧରି ସମଗ୍ର ନେଟୱାର୍କରେ ଇଣ୍ଡିଗୋର କାର୍ଯ୍ୟରେ ବ୍ୟାପକ ବାଧା ସୃଷ୍ଟି ହୋଇଛି। କମ୍ପାନି ଗ୍ରାହକମାନଙ୍କର ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରୁଛି।
ଆହୁରି ପଢ଼ନ୍ତୁ:Student Tied With Chain ଦଶଦିନ ଧରି ଶିକୁଳିରେ ବାନ୍ଧି ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା, ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍
ସାମାନ୍ୟ ପ୍ରଯୁକ୍ତିବିଦ୍ୟା ତ୍ରୁଟି, ଶୀତ ଋତୁ ସହିତ ଜଡିତ ସମୟସୂଚୀ ପରିବର୍ତ୍ତନ, ପ୍ରତିକୂଳ ପାଗ ପରିସ୍ଥିତି, ବିମାନ ଚଳାଚଳ ବ୍ୟବସ୍ଥାରେ ବର୍ଦ୍ଧିତ ଭିଡ଼ ଏବଂ ଅପଡେଟ୍ କ୍ରୁ ରୋଷ୍ଟରିଂ ନିୟମ (ଫ୍ଲାଇଟ୍ ଡ୍ୟୁଟି ସମୟ ସୀମା) କାର୍ଯ୍ୟକାରୀ କରିବା ସମେତ ଅନେକ ଅପ୍ରତ୍ୟାଶିତ ପରିଚାଳନା ଚ୍ୟାଲେଞ୍ଜ କମ୍ପାନିର କାର୍ଯ୍ୟ ଉପରେ ଏପରି ନକାରାତ୍ମକ ପ୍ରଭାବ ପକାଇଥିଲା ବୋଲି ଏୟାରଲାଇନ୍ କହିଛି।
Follow Us