ନୂଆଦିଲ୍ଲୀ: ଭାରତୀୟ ନ୍ୟାୟିକ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିର୍ବାଚନ କମିସନଙ୍କ ବିରୋଧରେ ଗର୍ଜିଛନ୍ତି। ଜଣେ ଆଇନଜୀବୀ ଭାବେ ସେ ନିଜେ ମାମଲା ପରିଚାଳନା କରି ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍)କୁ ଚ୍ୟାଲେଞ୍ଜ କରିଛନ୍ତି। ମମତା ଅଦାଲତରେ ଆବେଗପୂର୍ଣ୍ଣ ଶୈଳୀରେ କହିଥିଲେ, ଯେତେବେଳେ ନ୍ୟାୟ କବାଟ ପଛରେ କାନ୍ଦେ, ସେତେବେଳେ ଆମେ ଅନୁଭବ କଲୁ ଯେ ଆମକୁ କେଉଁଠି ହେଲେ ନ୍ୟାୟ ମିଳୁନାହିଁ। ସେ ଅଭିଯୋଗ କରିଛନ୍ତି ଯେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ବୈଧ ଭୋଟରଙ୍କ ନାମ ତାଲିକାରୁ କାଟିବା ପାଇଁ ଏହା ଏକ ଯୋଜନାବଦ୍ଧ ଷଡ୍ଯନ୍ତ୍ର।
Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର
ପ୍ରଥମ ପର୍ଯ୍ୟାୟରେ ୫୮ ଲକ୍ଷ ଓ ଚୂଡ଼ାନ୍ତ ପ୍ରକ୍ରିୟାରେ ପ୍ରାୟ ୧.୩୦ କୋଟି ଲୋକଙ୍କୁ ଭୋଟର ତାଲିକାରୁ ବାଦ୍ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଦର୍ଶାଇ ମମତା ନିର୍ବାଚନ କମିସନଙ୍କୁ ‘ହ୍ୱାଟ୍ସଆପ୍ କମିସନ’ କହି କଟାକ୍ଷ କରିଥିଲେ। ସେ ପ୍ରଶ୍ନ କରିଥିଲେ, କେବଳ ପଶ୍ଚିମବଙ୍ଗକୁ କାହିଁକି ଟାର୍ଗେଟ୍ କରାଯାଉଛି। ଏ ବାବଦ ସଙ୍କଟ ନେଇ କମିସନଙ୍କୁ ୬ ଥର ପତ୍ର ଲେଖିଥିଲେ ମଧ୍ୟ କୌଣସି ଜବାବ ମିଳିନାହିଁ। କମିସନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ମମତା କହିଥିଲେ, ନିର୍ବାଚନ କମିସନଙ୍କ ଦ୍ୱାରା ଲଦା ଯାଇଥିବା ଅତ୍ୟଧିକ କାର୍ଯ୍ୟଭାର ଓ ମାନସିକ ଚାପ ଯୋଗୁଁ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିର ଚାପ ଯୋଗୁ ମୁଁ ମୋ ଇଚ୍ଛାରେ କିଛି କରି ପାରୁନାହିଁ ଏବଂ ଗୋତି ଶ୍ରମିକ ଭଳି କାମ କରିବାକୁ ବାଧ୍ୟ ହେଉଛି।
ମମତାଙ୍କ ଏହି ସଙ୍ଗିନ ଅଭିଯୋଗର ଦୃଢ଼ ଜବାବ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟା। ସରକାରଙ୍କ ପକ୍ଷରୁ ଯୁକ୍ତି ବାଢ଼ି ମେହେଟା କହିଥିଲେ, ପଶ୍ଚିମବଙ୍ଗରେ ନିର୍ବାଚନ କମିସନଙ୍କ ଅଧିକାରୀମାନଙ୍କ ପାଇଁ ଏକ ‘ଶତ୍ରୁତାପୂର୍ଣ୍ଣ ପରିବେଶ’ ସୃଷ୍ଟି କରାଯାଇଛି। ରାଜ୍ୟ ସରକାର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଆଦୌ ସହଯୋଗ କରୁନାହାନ୍ତି। ବିଶେଷ କରି ସଂଶୋଧନ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ଅଧିକାରୀମାନଙ୍କୁ ଉପଲବ୍ଧ କରାଉନାହାନ୍ତି। ସ୍ବାଭାବିକ କାର୍ଯ୍ୟ ସଂପାଦନରେ ରାଜ୍ୟ ସରକାର ବାଧା ସୃଷ୍ଟି କରୁଥିବାରୁ ସମସ୍ୟା ଜଟିଳ ହେଉଛି। ପଶ୍ଚିମବଙ୍ଗରେ ନିର୍ବାଚନ ଅଧିକାରୀମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଲଗାତାର ଧମକ ଓ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟା କୌଣସି ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ, ବରଂ ମୃତ, ସ୍ଥାନାନ୍ତରିତ ଏବଂ ନକଲି ଭୋଟରଙ୍କୁ ଚିହ୍ନଟ କରି ଭୋଟର ତାଲିକାକୁ ସ୍ୱଚ୍ଛ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମେହେଟା କହିଥିଲେ।
Horoscope 2026 February 05 : ଜାଣନ୍ତୁ ଆଜିର ରାଶିଫଳ
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀର ବୋଲି ଦର୍ଶାଇଛନ୍ତି। କୋର୍ଟ କହିଛନ୍ତି, ଏତେ ବଡ଼ ସଂଖ୍ୟାରେ ଭୋଟରଙ୍କ ନାମ କଟାଯାଉଥିବା ଅଭିଯୋଗ ଯଦି ସତ୍ୟ ହୋଇଥାଏ, ତେବେ ଏହା ଗଣତନ୍ତ୍ର ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ଅନ୍ୟପଟେ ନିର୍ବାଚନ ଅଧିକାରୀଙ୍କୁ ସହଯୋଗ ନ ମିଳିବା ଅଭିଯୋଗର ମଧ୍ୟ ତଦନ୍ତ ହେବା ଆବଶ୍ୟକ। ଏ ସଂକ୍ରାନ୍ତରେ ନିର୍ବାଚନ କମିସନଙ୍କୁ ସବିଶେଷ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ଏସ୍ଆଇଆର ପ୍ରକ୍ରିୟାର ସମ୍ପୂର୍ଣ୍ଣ ତଥ୍ୟ ଏବଂ ସେଥିରେ ଅବଲମ୍ବନ କରାଯାଇଥିବା ସ୍ୱଚ୍ଛତା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ତାରିଖକୁ ଧାର୍ଯ୍ୟ କରାଯାଇଛି।
Follow Us