ତେହେରାନ: ସୟିଦ ମୋଜତବା ‌ହୁସେନି ଖେମିନି ଇରାନର ତୃତୀୟ ସର୍ବୋଚ୍ଚ ନେତା ହୋଇଛନ୍ତି। ଇରାନ ବିରୋଧରେ ଇସ୍ରାଏଲ ଓ ଆମେରିକା ଯୁଦ୍ଧ ଆରମ୍ଭ କରିବା ପରଠାରୁ ପଶ୍ଚିମ ଏସିଆ‌ରେ ଦୁଇପକ୍ଷ ମଧ୍ୟରେ ଭୀଷଣ ସଂଘର୍ଷ ଜାରି ରହିଥିବାବେଳେ ଯୁଦ୍ଧର ନବମ ଦିନ ରବିବାର ଇରାନ ମୋଜତବାଙ୍କୁ ସର୍ବୋଚ୍ଚ ନେତା ଘୋଷଣା କରିଛି।

Advertisment

ଯୁଦ୍ଧର ପ୍ରଥମ ଦିନରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଥିଲା। ପିତାଙ୍କ ପରେ ୫୬-ବର୍ଷୀୟ ମୋଜତବା ଇରାନର ତୃତୀୟ ସର୍ବୋଚ୍ଚ ନେତା ହୋଇପାରିଛନ୍ତି। ରୁହୋଲ୍ଲାହ ଖୋମେନି ଓ ଖେମିନିଙ୍କ ପରେ ମୋଜତବା ଇରାନର ତୃତୀୟ ସର୍ବୋଚ୍ଚ ନେତା। ଏହାପୂର୍ବରୁ ସେ ପିତାଙ୍କ ପଛରେ ରହି ଇରାନର ସମସ୍ତ ବଡ଼ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ। ଫେବ୍ରୁଆରି ୨୮ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ମୋଜତବାଙ୍କ ପତ୍ନୀ ଜହରା ହଦାଦ-ଆଦେଲ, ଝିଅ ଓ ପିତା ଆୟାତୋଲ୍ଲା ଖେମିନିଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢନ୍ତୁ-  Operation Cyber kabach: ଅପରେସନ ସାଇବର କବଚ: ୩୨,୯୩୨ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୧ଜଣ ଅଭିଯୁକ୍ତ ଗିରଫ

ମୋଜତବା ୧୮୬୯ ମସିହା ‌ସେପ୍ଟେମ୍ବର ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଖେମିନିଙ୍କ ଦ୍ବିତୀୟ ପୁତ୍ର। ମୋଜତବା ଇସ୍ରାଏଲ ଓ ଆମେରିକା-ବିରୋଧୀ ଯୁଦ୍ଧରେ ସାମିଲ ଥିଲେ ମଧ୍ୟ ‌ବେଶି ଚର୍ଚ୍ଚାରେ ନ ଥିଲେ। ୨୦୧୯ରେ ଆମେରିକା ତାଙ୍କ ଉପରେ କଟକଣା ଲଗାଇଥିଲା। ଇସ୍ରାଏଲ ଓ ଆମେରିକା ଦ୍ବାରା ଯୁଦ୍ଧ ଆରମ୍ଭ ହେବା ପରଠାରୁ ମୋଜତବାଙ୍କୁ ସାବର୍ଜନୀନ ସ୍ଥାନରେ ଦେଖାଯାଇ ନ ଥିଲା। ରବିବାର ରାତିରେ ତାଙ୍କୁ ଇରାନର ସର୍ବୋଚ୍ଚ ନେତା ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଖେମିନିଙ୍କ ମୃତ୍ୟୁ ପରେ ଇସ୍ରାଏଲ ଓ ଆମେରିକା ସେମାନଙ୍କ ଅନୁମତି ବିନା ଇରାନ କାହାକୁ ସର୍ବୋଚ୍ଚ ନେତା କଲେ ତାଙ୍କୁ ଖୋଜି ଖୋଜି ମାରିବେ ବୋଲି ଧମକ ଦେଇଥିଲେ। ଖେମିନି ୩୭ ବର୍ଷ ହେଲା ଇରାନର ସର୍ବୋଚ୍ଚ ନେତା ପଦରେ ଥିଲେ। ୧୯୮୯ରେ ରୁହୋଲ୍ଲାହ ଖୋମେନିଙ୍କ ପରଲୋକ ପରେ ଖେମିନି ସର୍ବୋଚ୍ଚ ନେତା ହୋଇଥିଲେ। ୧୯୭୯ ଇସଲାମିକ୍‌ ବିଦ୍ରୋହରେ ଖେମିନି ବଡ଼ ଭୂମିକା ଗ୍ରହଣ କରିଥିଲେ। 

ଆହୁରି ପଢନ୍ତୁ-  Stock Market Crash: ୧୩୫୩ ପଏଣ୍ଟ ଖସିଲା ସେନ୍‌ସେକ୍ସ: ନିବେଶକଙ୍କ ୮ ଲକ୍ଷ କୋଟି ଧୋଇଗଲା

ରିପୋର୍ଟ ଅନୁଯାୟୀ ଆୟାତୋଲ୍ଲା ଏକ ଧର୍ମଗୁରୁ ପଦବୀ- ଇରାନ ଇସଲାମିକ ଆଇନ ଅନୁସାରେ ସର୍ବୋଚ୍ଚ ନେତା ହେବା ପାଇଁ ଆୟାତୋଲ୍ଲା ହେବା ଜରୁରୀ। ଅର୍ଥାତ୍ ସର୍ବେଚ୍ଚା ନେତା ପଦ କେବଳ ଜଣେ ଧାର୍ମିକ ନେତାଙ୍କୁ ମିଳିପାରିବ। ଯୁଦ୍ଧ ସମୟରେ ମୋଜତବା ଓ ତାଙ୍କ ପରିବାର ତେହେରାନର ଲବିଜାନ୍‌ ଅଞ୍ଚଳର ଏକ ଗୁପ୍ତ ବଙ୍କରରେ ଲୁଚି ରହିଥିଲେ। ଏହି ବଙ୍କର ୯୦ରୁ ୧୦୦ ମିଟର ଗଭୀର ଓ ବୋମା-ନିରୋଧୀ ପଦ୍ଧତିରେ ପ୍ରସ୍ତୁତ। ଏହି ବଙ୍କର ଅନେକ ସୁଡ଼ଙ୍ଗ ସହିତ ସଂଯୁକ୍ତ। ଆଇଆର୍‌ଜିସିର ଅଲଗା ଅଲଗା ୟୁନିଟ୍‌ ତାଙ୍କର ସୁରକ୍ଷା କରୁଥିଲା। ମୋଜତବାଙ୍କର ଇରାନ ବାହାରେ ବିପୁଳ ସମ୍ପତ୍ତି ରହିଛି। ବ୍ଲୁମ୍‌ବର୍ଗ ରି‌ପୋର୍ଟ ଅନୁଯାୟୀ, ଲଣ୍ଡନର କିଙ୍ଗସ୍‌ଟନ୍‌ରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ରହିଛି। ଏହି ଆପାର୍ଟମେଣ୍ଟ ଇସ୍ରାଏଲ ଦୂତାବାସ ସାମ୍ନାରେ ମାତ୍ର ୫୦ ମିଟର ଦୂରରେ ଷଷ୍ଠ ଓ ସପ୍ତମ ମହଲାରେ ରହିଛି। ଏହାର ମୂଲ୍ୟ ୫୦ ନିୟୁତ ପାଉଣ୍ଡ ବା ୬୧୪ କୋଟି ଟଙ୍କା। ୨୦୧୪ରୁ ଏହି ଆପାର୍ଟମେଣ୍ଟ ଦୁଇଟି ମୋଜତବାଙ୍କ ନାଁରେ ରହିିଛି। ଏହା ଗ୍ରୀନ୍‌ ନାମକ ଘରୋଇ ରୋଡ‌୍ରେ ରହିଛି, ଯେଉଁଠି ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଅଛି। ଇସ୍ରାଏଲ ଦୂତାବାସ ନିକଟରେ ଥିବାରୁ ଏହା ଖୁବ୍‌ ସମ୍ବେଦନଶୀଳ ସ୍ଥାନ। ଅନ୍ୟପକ୍ଷରେ ସୁରକ୍ଷା ବିଶେଷଜ୍ଞ ମତରେ ଏଠାରୁ ଦୂତାବାସ କର୍ମଚାରୀ, ପରିଦର୍ଶକଙ୍କ ନିରୀକ୍ଷଣ ଓ ଫଟୋଗ୍ରାଫି, ଲେଜରରେ କଥାବାର୍ତ୍ତା ଶୁଣିବା ତଥା ୱାଇଫାଇ ଇଣ୍ଟରସେପ୍ଟ କରିବା ସମ୍ଭବ।

ତେବେ ମୋଜତବା ଇସ୍ରାଏଲ ଆକ୍ରମଣରେ ଆହତ ହୋଇଥିବା ଟାଇମ୍ସ ଅଫ୍‌ ଇସ୍ରାଏଲ ପକ୍ଷରୁ କୁହାଯାଇଛି। ମୋଜତବା ଯୁଦ୍ଧରେ ଆହତ ହୋଇଥିବା ଏହା ଦାବି କରିଛି। ଟାଇମ୍ସ ଅଫ୍‌ ଇସ୍ରାଏଲ ଦାବି ଅନୁଯାୟୀ, ଇରାନର ସରକାରୀ ଟିଭି ତାଙ୍କୁ ‘ଜାନବାଜ’ କହିଛି। ଯାହାର ଅର୍ଥ ସେ ଶତ୍ରୁ ଆକ୍ରମଣରେ ଆହତ ହୋଇଛନ୍ତି। ତେବେ ମୋଜତବା କିଭଳି ଆହତ ହୋଇଛନ୍ତି ଇରାନ ପକ୍ଷରୁ କୁହାଯାଇନାହିଁ।