ମୁମ୍ବାଇ: ପୁଞ୍ଜି ବଜାର ନିବେଶକମାନଙ୍କ ଉପରେ ଯୁଦ୍ଧର ବଡ଼ ପ୍ରଭାବ ପଡ଼ିଛି। ନିବେଶକମାନେ ଛାନିଆଁ ହୋଇ ସେୟାର ବିକ୍ରି କରିବାରେ ଲାଗିଛନ୍ତି। ଏଥିଯୋଗୁ ଆଜି ଉଭୟ ସେନ୍‌ସେକ୍ସ ଓ ନିଫ୍‌ଟି ଆଜି ପାଖାପାଖି ୨ ପ୍ରତିଶତ ତଳକୁ ଖସିଯାଇଛି। ସେନସେକ୍ସ ୧୩୫୨.୭୪ ପଏଣ୍ଟ୍‌ (୧.୭୧ ପ୍ରତିଶତ) ହ୍ରାସ ପାଇଁ ୭୭,୫୬୬.୧୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ତେବେ ଦିନର କାରବାର ମଝିରେ ସେନ୍‌ସେକ୍ସ ଆଜି ୨୪୯୪.୩୫ ପଏଣ୍ଟ ବା ୩.୧୬ ପ୍ରତିଶତ ତଳକୁ ଖସିଯାଇଥିଲା। ପରେ ଏଥିରେ ସୁଧାର ଆସିଥିଲା।

Advertisment

ଆହୁରି ପଢନ୍ତୁ-  Trump statement: ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ଟପିଲା: ଏହି ମୂଲ୍ୟ ବହୁତ କମ୍ କହିଲେ ଟ୍ରମ୍ପ

ସେହିଭଳି ନିଫ୍‌ଟି ଆଜି ଦିନର କାରବାର ମଧ୍ୟରେ ୭୫୨.୬୫ ପଏଣ୍ଟ ବା ୩.୦୭ ପ୍ରତିଶତ ତଳକୁ ଖସିଯାଇଥିଲା। କିନ୍ତୁ ପରେ ଏଥିରେ ସୁଧାର ଆସିବାରୁ ନିଫ୍‌ଟି ୨୪,୦୨୮.୦୫ ପଏଣ୍ଟରେ ବନ୍ଦ ହୋଇଛି, ଯାହାକି ଗତ ଶୁକ୍ରବାର ତୁଳନାରେ ୪୨୨.୪୦ ପଏଣ୍ଟ ବା ୧.୭୩ ପ୍ରତିଶତ କମ୍‌। ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାରପୁଞ୍ଜି ଆଜି ୪,୪୯,୬୮,୨୬୦.୮୧ କୋଟି ଟଙ୍କାକୁ କମିଯାଇଛି। ଏଥିପାଇଁ ନିବେଶକମାନଙ୍କର ପ୍ରାୟ ୮ ଲକ୍ଷ ଟଙ୍କା ଧୋଇଯାଇଛି।

ଆହୁରି ପଢନ୍ତୁ-  Energy Crisis: ବିଦ୍ୟୁତ ସଞ୍ଚୟ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କଲା ବାଂଲାଦେଶ

ଯୁଦ୍ଧ ପ୍ରଭାବରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଛି। ସେହିଭଳି ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରକୁ ହ୍ରାସ ପାଇଛି। ଏଥିସହିତ ଏସିଆର ଅନ୍ୟ ବଜାରରେ ଷ୍ଟକ୍‌ ମାର୍କେଟଗୁଡ଼ିକ ନିମ୍ନମୁଖୀ ହୋଇଛି। ଦକ୍ଷିଣ କୋରିଆର କୋପ୍‌ସି ୭ ପ୍ରତିଶତକୁ ଅଧିକ, ଜାପାନର ନିକେଇ ୬.୫ ପ୍ରତିଶତ, ଚୀନର ସାଂଘାଇ ଏସ୍‌ଏସ୍‌ଇ କମ୍ପୋଜିଟ୍‌ ଏବଂ ହଂକଂର ହ୍ୟାଙ୍ଗ୍‌ ସେଙ୍ଗ୍‌ ଆଦି ତଳକୁ ଖସିଛି। ବିଦେଶୀ ସଂସ୍ଥାଗତ ନିବେଶକମାନେ ମଧ୍ୟ ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଇବା ଅବ୍ୟାହତ ରଖିଛନ୍ତି।

୧ ଡଲାରର ବିନିମୟ ମୂଲ୍ୟ ଆଜି ୯୨.୨୮ ଟଙ୍କାକୁ ହ୍ରାସ ପାଇଛି, ଯାହାକି ଗତ ଶୁକ୍ରବାର ତୁଳନାରେ ୪୬ ପଇସା କମ୍‌। ଅଶୋଧିତ ତେଲ ଦର ବୃଦ୍ଧି, ଇକ୍ବିଟି ବଜାର ନିମ୍ନମୁଖୀ ହେବା ଏବଂ ବିଦେଶୀ ସଂସ୍ଥାଗତ ନିବେଶକମାନେ ଭାରତରୁ ମୁହଁ ଫେରାଇବା ଫଳରେ ଟଙ୍କା ମୂଲ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।