Six murder accuse arrested in connection with murder case. Photograph: (sambad.in)
ସମ୍ବଲପୁର/ହୀରାକୁଦ: ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅଧୀନ ପଥରଲାଇନ୍ ନିକଟ ସବଷ୍ଟେସନପଡ଼ା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ କାଲୁ ବାହାଦୁର ହତ୍ୟା ମାମଲାରେ ଆଜି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୨୦୧୯ରେ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତମାନେ ଗତକାଲି ସନ୍ଧ୍ୟାରେ ସଂଘବଦ୍ଧ ଭାବେ କାଲୁ ବାହାଦୂରଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଆହୁରି ଅନେକ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଅଜୟ ମିଶ୍ର ଏହା ସୂଚନା ଦେଇଛନ୍ତି।
ଅଭିଯୁକ୍ତମାନେ ହେଲେ...
ଶ୍ରୀ ମିଶ୍ର କହିଛନ୍ତି, ଅଭିଯୁକ୍ତମାନେ ହେଲେ ଝୁପୁଡ଼ିପଡ଼ାର ସ୍ବର୍ଗତ ହୁକୁମ ବେହରାଙ୍କ ପୁଅ ସାଇନି ବେହେରା (୩୩), ଶତୃଘ୍ନ ବେହେରାଙ୍କ ପୁଅ ପ୍ରତାପ ବେହେରା (୨୪), ଗୋବର୍ଦ୍ଧନ ବେହେରାଙ୍କ ପୁଅ ସମୀର ବେହେରା (୨୧), କଦମପଡ଼ାର ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପୁଅ ଜୟନାରାୟଣ ମିଶ୍ର (୨୨), ଅର୍ଜୁନ ବାରିକଙ୍କ ପୁଅ ହୀରାକୁଦର ରାଜ ବାରିକ (୨୨) ଓ ରାଜୁ ପ୍ରସାଦଙ୍କ ପୁଅ ବ୍ରାହ୍ମଣପଡ଼ାର ଶ୍ରୀଧର ପ୍ରସାଦ। ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ସେ ସୂଚନା ଦେଇଛନ୍ତି।
ଯୋଜନାବଦ୍ଧ ହତ୍ୟାକାଣ୍ଡ: ପୁଲିସ
ସୂଚନାଯୋଗ୍ୟ, କାଲୁ ବାହାଦୁର(୩୦) ଷ୍ଟୋରଛକ ପଟୁ ଦୁର୍ଗାମନ୍ଦିରକୁ ଯାଉଥିବା ସମୟରେ ଅଭିଯୁକ୍ତମାନେ ସବଷ୍ଟେସନପଡ଼ା ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସିମେଣ୍ଟ ଇଟା ବ୍ଲକରେ ଆକ୍ରମଣ କରାଯିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। କାଲୁ ବାହାଦୁରର ସାଙ୍ଗ ସତ୍ୟ ରଞ୍ଜନ ଧଳ ବାଇକର ପଛ ପଟେ ବସିଥିବା ବେଳେ ତାକୁ ମଧ୍ଯ ଆକ୍ରମଣ ହୋଇଥିଲା। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ, ଯିଏ କି ଆହତ ହୋଇ ଦୌଡ଼ି ପଳାଇଥିଲେ। ସତ୍ୟଙ୍କୁ ଏବେ ଭିମସାରରେ ଭର୍ତ୍ତି କରାଯାଇଛି। ପୁଲିସ୍ ସେହି ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି କିଛି ସୁରାକ୍ ମିଳିଥିବା ନେଇ କହିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।
ଅଧିକ ପମନ୍ତୁ: Pakistan Supreme Court: ପାକିସ୍ତାନର ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ, ୧୨ ଆହତ
୨୦୧୯ ହତ୍ୟାକାଣ୍ଡ ମାମଲା କ’ଣ ଥିଲା?
୨୦୧୯ ମସିହାରେ ହୀରାକୁଦରେ ବଣ୍ଟି ବେହେରାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାର ଅଭିଯୁକ୍ତ ଥିଲା କାଲୁ ବାହାଦୂର। କେବଳ ଏତିକି ନୁହେଁ କାଲୁ ବାହାଦୁର ୨୦ରୁ ଅଧିକ ସଂଗୀନ ମାମଲାରେ ଅଭିଯୁକ୍ତ ଥିଲା। ଅଭିଯୁକ୍ତମାନେ କାଲୁ ବାହାଦୂରକୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିଲେ। ପ୍ରତିଶୋଧ ପରାୟଣ ହୋଇ ବଣ୍ଟିର ଭାଇ ଓ ୫ ସହଯୋଗୀ କାଲୁ ବାହାଦୁରର ହତ୍ୟା କରିଥିଲେ। ଖଣ୍ଡା ଓ ଛୁରୀରେ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ।
Follow Us