ମୁମ୍ବାଇ: କ୍ରୀଡ଼ା ଜଗତର ବିଶ୍ବ ଚାମ୍ପିଅନ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମୁମ୍ବାଇରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ୟୁନାଇ‌ଟେଡ୍‌ ଇନ୍‌ ଟ୍ରାମ୍ଫ’ର ଦ୍ବିତୀୟ ସଂସ୍କରଣ ଆୟୋଜନ କରାଯାଇଥିଲା। ସେଥିରେ ବିଶ୍ବକପ୍‌ ଜିତିଥିବା ପୁରୁଷ, ମହିଳା ଓ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଦଳ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ କହିଥି‌ଲେ ଯେ ପ୍ରତି ଭାରତୀୟଙ୍କ ତରଫରୁ ଆମେ ବିଶ୍ବକପ୍‌ ଚାମ୍ପିଅନ୍‌ଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରୁଛୁ। ଶ୍ରୀମତୀ ଅମ୍ବାନୀ କହିଲେ, ମୁଁ ଭାବୁଛି ଆମେ ନୂଆବର୍ଷକୁ ଏକ ଅତ୍ୟନ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ କରୁଛୁ। ଏଠାରେ ଗୋଟିଏ ଛାତ ତଳେ ସମସ୍ତ ତିନି କ୍ରିକେଟ୍‌ ଦଳ-ପୁରୁଷ କ୍ରିକେଟ୍‌ ଦଳ, ମହିଳା କ୍ରିକେଟ ଦଳ ଓ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଦଳର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ଆମକୁ ଯଥେଷ୍ଟ ଖୁସି ଓ ଉଲ୍ଲାସ ପ୍ରଦାନ କରିଥିବାରୁ ପ୍ରତି ଭାରତୀୟଙ୍କ ତରଫରୁ ଆମେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛୁ ବୋଲି ସେ କହିଥିଲେ। କ୍ରୀଡ଼ାର ସ୍ବତନ୍ତ୍ର ଶକ୍ତି ଓ ତାହାର ରୂପାନ୍ତରଣ ଆଣିବାର ପ୍ରଭାବ ସମ୍ପର୍କରେ ଶ୍ରୀମତୀ ଅମ୍ବାନୀ କହିଥିଲେ ଯେ କ୍ରୀଡ଼ା ଭାରତ ଓ ହୃଦୟକୁ ଯୋଡ଼ିଥାଏ। ଆଜି ଆମେ ବିଜୟରେ ଏକତ୍ରୀତ ହୋଇଛୁ। ଆମେ ସେମାନଙ୍କ ସଫଳତାର ଉତ୍ସବ ପାଳନ କରୁଛୁ ବୋଲି ସେ କହିଥିଲେ।

Advertisment

IMD: ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକାଙ୍କ ସ୍କୁଲ ଛାତ୍ରଛାତ୍ରୀ ସହ ଆଭାସୀ ଆଲୋଚନା

ଗୋଟିଏ ମଞ୍ଚରେ ତିନି ବିଶ୍ବକପ୍‌ ବିଜୟୀ କ୍ରିକେଟ୍‌ ଦଳ
‘ୟୁନାଇ‌ଟେଡ୍‌ ଇନ୍‌ ଟ୍ରାମ୍ଫ’ର ଦ୍ବିତୀୟ ସଂସ୍କରଣ

ଏହି କାର୍ଯ୍ୟକ୍ରମ‌ରେ ପ୍ରମୁଖ ଆକର୍ଷଣ ଥିଲେ ବିଶ୍ବକପ୍‌ରେ ବିଜୟୀ ହୋଇଥିବା ତିନି କ୍ରିକେଟ୍‌ ଦଳର ଅଧିନାୟକ-ପୁରୁଷ ଦଳର ରୋହିତ ଶର୍ମା, ମହିଳା ଦଳର ହର୍ମନପ୍ରୀତ୍‌ କୌର ଓ ଦୃ୍ଷ୍ଟିହୀନ ମହିଳା ଦଳର ଅଧିନାୟିକା ଦୀପିକା ଟିସି। ସେମାନଙ୍କ ନେତୃତ୍ବ, ଦୃଢ଼ ସଂକଳ୍ପ ଓ ବିଶ୍ବାସ ଐତିହାସିକ ବିଜୟ ଆଣିଦେଇଥିଲା ଓ ସାରା ଦେଶକୁ ଅନୁପ୍ରାଣିତ କରିଥିଲା। ସନ୍ଧ୍ୟାରେ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟମାନେ ଉପସ୍ଥିତ ହୋଇଥିଲେ। କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଯଶପ୍ରୀତ୍‌ ବୁମ୍‌ରା, ସୂର୍ଯ୍ୟ କୁମାର ଯାଦବ, ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗେଜ ଓ ଗଙ୍ଗା କାଡାମ। ତାଙ୍କ ସହିତ ଉପସ୍ଥିତ ଥିଲେ କ୍ରିକେଟ୍‌ କିଂବଦନ୍ତୀ ସଚିନ୍ ତେନ୍ଦୁଲକର, ସୁନିଲ ଗାଭାସ୍କର ଓ ରବିଚନ୍ଦ୍ରନ ଅଶ୍ବିନୀ। ଅଲିମ୍ପିକ ଓ ପାରାଲିମ୍ପିକ କିଂବଦନ୍ତୀଙ୍କ ମଧ୍ୟରେ ଉପସ୍ଥିତ ଥିଲେ ମୁରଲୀକାନ୍ତ ପେଟ୍‌କର, ଦୀପା ମଲ୍ଲିକ ଓ ଦେବେନ୍ଦ୍ର ଝାଝରିଆ। ସିନେମା ଜଗତରୁ ଅମିତାଭ ବଚ୍ଚନ ଓ ଶାହରୁଖ ଖାନ ଯୋଗଦେଇଥିଲେ ଯାହା କାର୍ଯ୍ୟକ୍ରମକୁ ଭାରତର ପ୍ରେରଣଦାୟୀ ବ୍ୟକ୍ତିତ୍ବମାନଙ୍କ ଏକ ଚମତ୍କାର ସମାଗମରେ ପରିଣତ କରିଥିଲା। ‘ୟୁନାଇଟେଡ୍‌ ଇନ୍‌ ଟ୍ରାମ୍ଫ’ ଶ୍ରୀମତୀ ଅମ୍ବାନୀଙ୍କ ଉତ୍କର୍ଷ, ଅନ୍ତର୍ଭୁକ୍ତୀକରଣ ଓ ଏକତା ପାଇଁ କ୍ରୀଡ଼ାକୁ ଏକ ଶକ୍ତି ଭାବେ ଦେଖିବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଯାହା କେବଳ ବିଜୟ ନୁହେଁ, ମୂଲ୍ୟବୋଧ ଓ ଉଦ୍ଦେଶ୍ୟର ଉତ୍ସବ ପାଳନ କରୁଛି ଯାହା ଭାରତର କ୍ରୀଡ଼ା ଯାତ୍ରାକୁ ଦର୍ଶାଉଛି।

Health: ଏମ୍‌କେସିଜିରେ ଅନ୍ଧାରରେ ରୋଗୀସେବା; ଅସ୍ତ୍ରୋପଚାର କକ୍ଷରେ ଲାଇନ୍‌ କଟିଗଲା