ଇସଲାମାବାଦ: ଏକ ଭାରତୀୟ ମାଲବାହୀ ଜାହାଜ ବୁଡ଼ିଯିବା ପରେ ପାକିସ୍ତାନୀ ସେନା ଜାହାଜର କର୍ମଚାରୀଙ୍କ ଜୀବନ ରକ୍ଷା କରିଛି। ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) ବୁଧବାର ସାମୁଦ୍ରିକ ଉଦ୍ଧାର କାର୍ଯ୍ୟକୁ ସଫଳତାର ସହ କରିଛି। ଭାରତୀୟ କାର୍ଗୋ ଜାହାଜ ଏମଏସଭି ଏଏଲ ପିରାନପିର ବୁଡ଼ିଯିବା ପରେ ୧୨ ଜଣ କର୍ମଚାରୀଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା।
ବୁଧବାର ଜାରି ଏକ ବିବୃତିରେ ପିଏମଏସଏ କହିଛି ଯେ, ଭାରତର ମୁମ୍ବାଇର ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର(ଏମଆରସିସି)ରୁ ଏକ ଇ-ମେଲ ମିଳିଥିଲା। ବୁଡ଼ି ଯାଇଥିବା ଜାହାଜର ବଞ୍ଚିଥିବା ଲୋକଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏଥିଲେ ସହାୟତା ଲୋଡା ଯାଇଥିଲା।
ବିବୃତି ଅନୁଯାୟୀ ଏହି ଜାହାଜ ପାକିସ୍ତାନର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ରେ ବୁଡ଼ି ଯାଇଥିଲା ଏବଂ ଏହାର ୧୨ ଜଣ କ୍ରୁ ସଦସ୍ୟ ସମୁଦ୍ରରେ ଫସି ରହିଥିଲେ। ଇ-ମେଲ୍ ପାଇବା ପରେ ପାକିସ୍ତାନ ସାମୁଦ୍ରିକ ଏଜେନ୍ସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ତୁରନ୍ତ ଏକ ପିଏମଏସଏ ଜାହାଜକୁ ଦାୟିତ୍ବ ଦିଆଯାଇଥିଲା। ନିକଟସ୍ଥ ବାଣିଜ୍ୟିକ ଜାହାଜଗୁଡ଼ିକୁ ସଚେତନ କରାଯାଇ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଅନୁରୋଧ କରାଯାଇଥିଲା।
ସାମୁଦ୍ରିକ ସୂଚନା ସମନ୍ୱୟ କେନ୍ଦ୍ର ସହାୟତା ପ୍ରଦାନ କରି ଉଭୟ ପାକିସ୍ତାନୀ ନୌସେନା ଏବଂ ପିଏମଏସଏ ଜାହାଜଗୁଡ଼ିକୁ ହାଇ ଆଲର୍ଟରେ ରଖିଥିଲା। ନିକଟସ୍ଥ ନୌସେନା ଜାହାଜକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ଏହା ବ୍ୟତୀତ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ଦ୍ବାରା ବଞ୍ଚିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନରେ ପ୍ରବେଶ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।
ଅଧିକ ପଢ଼ନ୍ତୁ: କଲେଜରେ ପ୍ରେମ ଶିକ୍ଷା!: ଜନସଂଖ୍ୟା ହ୍ରାସ ନେଇ ଚୀନ୍ ସରକାରଙ୍କ ନୂଆ ଯୋଜନା
ଏହି ବିବୃତିରେ କୁହାଯାଇଛି, 'ତୁରନ୍ତ ପ୍ରତିକ୍ରିୟା ଏବଂ ପ୍ରଭାବଶାଳୀ ସମନ୍ୱୟର ପରିଣାମ ସ୍ୱରୂପ, ଭାରତୀୟ କାର୍ଗୋ ଜାହାଜରେ ଥିବା ସମସ୍ତ ୧୨ଜଣଙ୍କୁ ସଫଳତାର ସହିତ ଉଦ୍ଧାର କରାଯାଇଥିଲା । ଏହା ଅନ୍ତର୍ଜାତୀୟ ଏସଏଆର ଦାୟିତ୍ବକୁ ସମର୍ଥନ କରିବା ଏବଂ ଆଞ୍ଚଳିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପିଏମଏସଏର ପ୍ରତିବଦ୍ଧତାକୁ ଦର୍ଶାଉଛି।
ବିବୃତିରେ କୁହାଯାଇଛି ଯେ ଏହି ଅପରେସନ୍ରେ ଜାତୀୟତାକୁ ଗୁରୁତ୍ବ ପ୍ରଦାନ ନ କରି ସମୁଦ୍ରରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାରେ ପିଏମଏସଏର ତତ୍ପରତା ଏବଂ ବୃତ୍ତିଗତ ଅଭିଜ୍ଞତାକୁ ଦର୍ଶାଉଛି।
ଅଧିକ ପଢ଼ନ୍ତୁ: ଶାହଙ୍କୁ ଭେଟିଲେ ପ୍ରିୟଙ୍କା: ୱାୟନାଡ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମାଗିଲେ
Follow Us