ନୂଆଦିଲ୍ଲୀ: ମଙ୍ଗଳବାର ସଂସଦର ଶୀତ ଅଧିବେଶନର ଦ୍ୱିତୀୟ ଦିନ ବି ବିରୋଧୀ ଦଳମାନଙ୍କ ଜୋର୍ଦାର ହଟ୍ଟଗୋଳ ଯୋଗୁଁ ଧୋଇଯାଇଛି। ଲୋକସଭା ଓ ରାଜ୍ୟସଭାରେ ପ୍ରାୟତଃ କୌଣସି କାର୍ଯ୍ୟ ହୋଇ ପାରିନାହିଁ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଉପରେ ତୁରନ୍ତ ଆଲୋଚନା ଦାବି କରି ବିରୋଧୀ ସାଂସଦମାନେ ଉଭୟ ଗୃହରେ ସ୍ଲୋଗାନ୍ ଦେଇ ହଟ୍ଟଗୋଳ କରିଥିଲେ। ଫଳରେ ଲୋକସଭା ମାତ୍ର ୧୬ ମିନିଟ୍ ଓ ରାଜ୍ୟସଭା ୫୩ ମିନିଟ୍ ଚାଲିବା ପରେ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ହୋଇ ଯାଇଥିଲା। ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।
FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା
ସଂସଦ ପରିସରରେ ଆଜି ମଧ୍ୟ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି ଓ ବାମ ଦଳର ସାଂସଦମାନେ ଏସ୍ଆଇଆର୍ ବିରୋଧରେ ବ୍ୟାନର-ପୋଷ୍ଟର ଧରି ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ, ସରକାର ଜନସାଧାରଣଙ୍କ ଚିନ୍ତାକୁ ଡ୍ରାମା କହୁଛନ୍ତି, କିନ୍ତୁ ଆଲୋଚନା ନ କରିବା ହିଁ ପ୍ରକୃତ ଡ୍ରାମା। ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ ଆଜି ଆସନ ଗ୍ରହଣ କରିବାମାତ୍ରେ ବିରୋଧୀ ସାଂସଦମାନେ ଲଗାତାର ‘ଏସ୍ଆଇଆର୍ ପେ ଚର୍ଚ୍ଚା ହୋ’ ସ୍ଲୋଗାନ୍ ଦେଇଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ, ଗୃହ ସରକାରଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଲେ ହିଁ ଆମେ ଆଲୋଚନା କରିପାରିବୁ। ଗୃହର ନେତା ଜେ.ପି. ନଡ୍ଡା ଘୋଷଣା କରିଥିଲେ ଯେ ଏସ୍ଆଇଆର୍ ଉପରେ ବିରୋଧୀ ଦଳ ନେତାମାନଙ୍କ ସହ ବୈଠକ କରି ଆଲୋଚନା ତାରିଖ ନିଶ୍ଚିତ କରାଯିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସବୁ କଥା କେବଳ ହଟ୍ଟଗୋଳ ମାଧ୍ୟମରେ ହୋଇପାରିବ ନାହିଁ। ତେବେ ହଟ୍ଟଗୋଳ ଜାରି ରହିବାରୁ ରାଜ୍ୟସଭା ମୁଲତବୀ ହୋଇଯାଇଥିଲା।
ଅନ୍ୟପକ୍ଷରେ ଲୋକସଭାରେ ପ୍ରଶ୍ନକାଳ ମଧ୍ୟ ବ୍ୟାହତ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହେବାର ମାତ୍ର ଏକ ମିନିଟ୍ ପରେ ବିରୋଧୀଙ୍କ ସ୍ଲୋଗାନ୍ ଯୋଗୁଁ କାର୍ଯ୍ୟ ବ୍ୟାହତ ହୋଇଥିଲା। ଅଧ୍ୟକ୍ଷ ଓମ୍ ବିର୍ଲା ବାରମ୍ବାର ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଥିଲେ ମଧ୍ୟ ପ୍ରତିବାଦ ଅବ୍ୟାହତ ରହିଥିଲା। ପରେ ସଦନ ପ୍ରଥମେ ୧୨ଟା ଓ ପୁଣି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା। ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଣିପୁର ସାମଗ୍ରୀ ଏବଂ ସେବା ଟିକସ (ଦ୍ୱିତୀୟ ସଂଶୋଧନ) ବିଲ୍-୨୦୨୫ ଲୋକସଭାରେ ଉପସ୍ଥାପନ କରିଥିଲେ ଏବଂ ଏହା ବିନା ବିତର୍କରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଗୃହରେ ଏହି ବିଲ୍ ଉପସ୍ଥାପନ କରିଥିଲେ। ଏହା ଏକ ଅର୍ଥ ବିଲ୍ ହୋଇଥିବାରୁ, ରାଜ୍ୟସଭାରେ ଆଲୋଚନା ପରେ ଏହାକୁ ଲୋକସଭାକୁ ଫେରାଇ ଦିଆଯାଇଥିଲା।
Follow Us