ୱାସିଂଟନ: ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ନେଇ ଆମେରିକାରେ ଜୋର୍ଦାର ବିରୋଧ କରାଯାଇଛି। ଭାରତରୁ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଶେଷ କରିବାପାଇଁ ଦାବି କରି ଆଜି ‘ଆମେରିକା ପ୍ରତିନିଧି ସଭା’ର ୩ ଜଣ ସଦସ୍ୟ ଏକ ପ୍ରସ୍ତାବ ଆଣିଛନ୍ତି। ଟ୍ରମ୍ପଙ୍କ ଭାରତ ବିରୋଧୀ ଶୁଳ୍କ ନୀତି ଆମେରିକୀୟ କର୍ମଚାରୀ, ଗ୍ରାହକ ଏବଂ ଭାରତ- ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ପାଇଁ କ୍ଷତିକାରକ ବୋଲି ସେମାନେ ଦାବି କରିଛନ୍ତି। ପ୍ରତିନିଧି ସଭା ସଦସ୍ୟ ଦେବୋରା ରସ୍, ମାର୍କ ବିସି ଏବଂ ରାଜା କ୍ରିଷ୍ଣମୂର୍ତ୍ତି ଏହି ପ୍ରସ୍ତାବ ଆଣିଛନ୍ତି।
ରସ୍ କହିଛନ୍ତି, ନର୍ଥ କାରୋଲିନାର ଅର୍ଥନୀତି ଭାରତ ସହ ବାଣିଜ୍ୟ, ବିନିଯୋଗ ଦ୍ବାରା ଗଭୀର ଭାବେ ଜଡ଼ିତ। ସାଂସଦ ମାର୍କ କହିଛନ୍ତି, ଭାରତ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ଏବଂ ରଣନୀତିକ ସହଯୋଗୀ ଏବଂ ଏହି ବେଆଇନ ଶୁଳ୍କ ଦ୍ବାରା ପ୍ରତିଦିନ ମୁଦ୍ରାସ୍ଫୀତିକୁ ନେଇ ସଂଘର୍ଷ କରୁଥିବା ଲୋକଙ୍କ ଉପରେ ଏହା ଏକ ବଡ଼ ବୋଝ। ଇତିମଧ୍ୟରେ ଭାରତୀୟ-ଆମେରିକୀୟ ସାଂସଦ କ୍ରିଷ୍ଣମୂର୍ତ୍ତି କହିଛନ୍ତି, ଏହି ବେଆଇନ ଶୁଳ୍କ ଯୋଗାଣ ଶୃଙ୍ଖଳକୁ ବ୍ୟାଘାତ ପହଞ୍ଚାଇବା ସହ ଆମେରିକୀୟ ଶ୍ରମିକଙ୍କ ସ୍ବାର୍ଥକୁ ଅଣଦେଖା କରୁଛି। ଏଭଳି ସ୍ଥିତିରେ ଗ୍ରାହକଙ୍କ ପାଇଁ ଦରଦାମ୍ ବଢ଼ିଚାଲିଛି । ଶୁଳ୍କ ବନ୍ଦ କରାଗଲେ ଆମେରିକା-ଭାରତ ଅର୍ଥନୈତିକ ଏବଂ ସୁରକ୍ଷା ସହଯୋଗ ସୁଦୃଢ଼ ହେବ ବୋଲି ସେ କହିଛନ୍ତି।
Messi's event: ମେସିଙ୍କ କାର୍ଯ୍ୟକ୍ରମରେ ତୁମୁଳକାଣ୍ଡ: ଚୌକି, ଟେବୁଲ ଭାଙ୍ଗି ଷ୍ଟାଡିୟମ୍କୁ ଫିଙ୍ଗିଲେ
Follow Us