ନୂଆଦିଲ୍ଲୀ: ତେଲ, ଏଲ୍ପିଜି ଓ ସାର ପରେ ଏବେ ବିଟୁମେନ୍। ଦକ୍ଷିଣ ଏସିଆ ଯୁଦ୍ଧ ଭାରତର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି। ବିଟୁମେନ୍ ହେଉଛି ସଡ଼କ ନିର୍ମାଣରେ ବ୍ୟବହାର ହେଉଥିବା ଗୁରୁତ୍ବପୂର୍ଣ୍ଣ ଉପାଦାନ। ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ୧୦ ହଜାର କିଲୋମିଟର ନୂଆ ସଡ଼କ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଏହି ଲକ୍ଷ୍ୟ ପ୍ରତି ସବୁଠୁ ବଡ଼ ବିପଦ ହେଉଛି ବିଟୁମେନ୍ ଅଭାବ। ଯୁଦ୍ଧ ପ୍ରଭାବରେ ଭାରତ ଆବଶ୍ୟକ ପରିମାଣର ବିଟୁମେନ ପାଇବ ନାହିଁ ବୋଲି ଆଶଙ୍କା କରାଯାଉଛି।ତିନି ସରକାରୀ ତୈଳ କମ୍ପାନି ଭାରତୀୟ ତୈଳ ନିଗମ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଭାରତ ପେଟ୍ରୋଲିୟମଠାରୁ ଏନ୍ଏଚ୍ଏଆଇ ବିଟୁମେନ ସଂଗ୍ରହ କରିଥାଏ। ଭାରତର ବାର୍ଷିକ ବିଟୁମେନ ଆବଶ୍ୟକତା ହେଉଛି ୯ ନିୟୁତ ଟନ୍। ଏହାର ଟନ୍ ପିଛା ମୂଲ୍ୟ ୪୦,୦୦୦-୬୦,୦୦୦ ଟଙ୍କା ମଧ୍ୟରେ ରହିଛି।
ଅଧିକପଢ଼ନ୍ତୁ:ନ୍ୟୁଜିଲାଣ୍ଡ ଆଗରେ ୨୫୬ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଭାରତ, ତିନି ବ୍ୟାଟରଙ୍କ ଅର୍ଦ୍ଧଶତକ
ସଡ଼କ ନିର୍ମାଣ ପାଇଁ ବିଟୁମେନ ଯୋଗାଣ ଜାରି ରଖିବା ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନ୍ଏଚ୍ଏଆଇ ଜରିଆରେ ତୈଳ କମ୍ପାନିଗୁଡ଼ିକ ସହ ଆଲୋଚନା କରାଯାଇଛି। ଭାରତ ନିଜ ଆବଶ୍ୟକତାର ୩୫-୩୬ ପ୍ରତିଶତ ବିଟୁମେନ ଆମଦାନୀ କରିଥାଏ। ସେଗୁଡ଼ିକ ମୁଖ୍ୟତଃ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସିଥାଏ। ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ କରୁଥିବାରୁ ଏହି ଗୁରୁତ୍ବପୂର୍ଣ୍ଣ ଉପାଦାନର ଯୋଗାଣ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ବିଟୁମେନର ଘୋର ଅଭାବ ଦେଖାଦେବ
ଗତ ଆର୍ଥିକ ବର୍ଷରେ ଦେଶରେ ୮.୩ ନିୟୁତ ଟନ୍ ବିଟୁମେନ ବ୍ୟବହାର ହୋଇଥିଲା। ସେଥିରୁ ଦେଶ ଭିତରେ ୫.୩ ନିୟୁତ ଟନ୍ ଉତ୍ପାଦନ କରାଯାଇଥିଲା ଓ ଅବଶିଷ୍ଟ ଆମଦାନୀ କରାଯାଇଥିଲା। ଭାରତ ଆମଦାନୀ କରୁଥିବା ୯୯ ପ୍ରତିଶତ ବିଟୁମେନ ଇରାକ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଇରାନ, ଓମାନ ଓ ବାହାରିନରୁ ଆସିଥାଏ। ଯଦି ଯୁଦ୍ଧ ଅଧିକ ଦିନ ଜାରି ରହିବ ତେବେ ସିଙ୍ଗାପୁର କିମ୍ବା ଅନ୍ୟ ଦକ୍ଷିଣ ଏସୀୟ ଦେଶଗୁଡ଼ିକରୁ ଭାରତ ବିଟୁମେନ ଆମଦାନୀ କରିପାରିବ। ରୁଷ, ପଶ୍ଚିମ ଆଫ୍ରିକା ଓ ଆମେରିକାରୁ ଅଶୋଧିତ ତେଲ ଆମଦାନୀର ସୁଯୋଗ ରହିଛି। ତେଣୁ ସେହି ସ୍ଥାନରୁ ବିଟୁମେନ ଆଣିବାରେ ଅସୁବିଧା ହେବନି। କିନ୍ତୁ ତାହା ଦେଶର ଆମଦାନୀ ବିଲ୍ ବଢ଼ାଇଦେବ।
ସଡ଼କ ନିର୍ମାଣକାରୀମାନେ ସାଧାରଣତଃ ଗୋଟିଏ ଥରରେ ୨୦୦ ଟନ୍ ପର୍ଯ୍ୟନ୍ତ ବିଟୁମେନ ମଗାଇଥାନ୍ତି। ସେହି ବରାଦକୁ ତୈଳ କମ୍ପାନିଗୁଡ଼ିକ ୨-୩ ଦିନରେ ପୂରଣ କରନ୍ତି। ବିଟୁମେନ ହେଉଛି ଅଶୋଧିତ ତୈଳକୁ ବିଶୋଧନ କରିବା ସମୟରେ ବାହାରୁଥିବା ଏକ ଉପ-ଉତ୍ପାଦ। ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ପରେ ତଳେ ରହିଯାଉଥିବା ଭାରୀ ଅବଶିଷ୍ଟାଂଶକୁ ବିଟୁମେନରେ ପରିଣତ କରାଯାଏ।
ଅଧିକପଢ଼ନ୍ତୁ:ନ୍ୟୁୟର୍କ ମେୟର ମାମଦାନୀଙ୍କ ବାସଭବନ ବାହାରେ ବୋମା ବିସ୍ଫୋରଣ ଉଦ୍ୟମ କରି ୨ ଗିରଫ
Follow Us