ମୁମ୍ବାଇ: ଗତ କିଛି ଦିନ ହେଲାଣି ରୁପା ଦର ହୁ ହୁ ହୋଇବଢ଼ିଚାଲିଥିଲା। ସୋମବାର ହଠାତ୍ ସେଥିରେ ବଡ଼ ଧରଣର ହ୍ରାସ ଘଟିଛି। ତେବେ ଏହି ହ୍ରାସ ସାଧାରଣ ବଜାରରେ ହୋଇନାହିଁ। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ)ରେ ଆଜି ରୁପାର ମାର୍ଚ୍ଚ ମାସ ଫ୍ୟୁଚର୍ର ଦାମ୍ କେଜି ପିଛା ୨୧ ହଜାର ଟଙ୍କା କମ୍ ହୋଇ ୨,୩୩,୧୨୦ ଟଙ୍କାକୁ ହ୍ରାସ ପାଇଛି। ଏହା ପୂର୍ବରୁ ରୁପା କେଜି ୨,୫୪,୧୭୪ ଟଙ୍କା ଥିଲା। ଅନ୍ତର୍ଜାତୀୟ ବଜାରରେ ରୁପାର ଆଉନ୍ସ ପିଛା ଦର ୮୦ ଡଲାରକୁ ବୃଦ୍ଧି ପାଇଛି। ଅବଶ୍ୟ କିଛି ସମୟ ପରେ ତାହା ପୁଣି ୭୫ ଡଲାର ତଳକୁ ଖସିଯାଇଛି।
ଚଳିତ ବର୍ଷ ରୁପା ମୂଲ୍ୟରେ ୧୮୧ ପ୍ରତିଶତ ବୃଦ୍ଧି ହୋଇଛି। ଦରବୃଦ୍ଧିରେ ଏହା ସୁନାକୁ ପଛରେ ପକାଇଦେଇଛି। ଆମେରିକାରେ ରୁପାକୁ କ୍ରିଟିକାଲ୍ ମିନେରାଲ ଘୋଷଣା କରାଯିବା ପରେ ତାହାର ଚାହିଦା ବଢ଼ିବାରେ ଲାଗିଛି। ସମ୍ଭାବ୍ୟ ଅଭାବକୁ ଦୃଷ୍ଟିରେ ରଖି ଏବେଠାରୁ ରୁପା ମହଜୁଦ କରିବା ଆରମ୍ଭ ହେଲାଣି। ଫଳରେ ବଜାରରେ ଯେତିକି ପରିମାଣର ରୁପା ଥିଲା ତାହା ଦ୍ରୁତ ଗତିରେ ଶେଷ ହେଉଛି। ଇଳେକ୍ଟ୍ରିକ ଯାନ, ସେମିକଣ୍ଡକ୍ଟର, ସୋଲାର ପ୍ରକଳ୍ପ ଭଳି ଶିଳ୍ପରେ ରୁପା ବହୁଳ ମାତ୍ରାରେ ବ୍ୟବହାର ହେଉଛି। ଭଲ ରିଟର୍ଣ୍ଣ ଦେଉଥିବାରୁ ନିବେଶକମାନେ ମଧ୍ୟ ରୁପାରେ ନିବେଶ କରିବାକୁ ପଛାଉ ନାହାନ୍ତି। ସୋମବାର ରୁପା ଦରରେ ହୋଇଥିବା ହଠାତ୍ ହ୍ରାସ ପଛରେ ନିବେଶକମାନେ ଲାଭ ପାଇବା ଆଶାରେ ରୁପା ବିକ୍ରି କରିଥିବା ଆଶଙ୍କା କରାଯାଉଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ଆଲୋଚନା କରିବେ। ଏହି ଭୂରାଜନୈତିକ ସଙ୍କଟର ସମାଧାନ ହେଲେ ସ୍ଥିରତା ଫେରିବା ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନରେ ରୁପା ଦାମ କମିପାରେ ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି। ସେଥିପାଇଁ ସେମାନେ ରେକର୍ଡ ସ୍ତରରେ ଥିବା ରୁପା ବିକ୍ରି କରି ଲାଭ ଉଠାଇବାକୁ ଉଦ୍ୟମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/30/untitled-8-2025-12-30-07-22-31.jpg)