ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କିଛି ଛାତ୍ର ଉତ୍ତେଜନାମୂଳକ ସ୍ଲୋଗାନ ଦେଉଥିବା  ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପୁଣି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୨୦ ଦିଲ୍ଲୀ ଦଙ୍ଗା ଷଡ୍‌ଯନ୍ତ୍ର ମାମଲାରେ ଜେଏନ୍‌ୟୁର ପୂର୍ବତନ ଛାତ୍ର ଉମର ଖାଲିଦ ଓ ଶର୍ଜିଲ ଇମାମଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ଦେବାକୁ ମନା କରିବା ପରେ ଜାନୁଆରି ୫ ତାରିଖରେ ଏହି ଘଟଣା ଘଟିଥିଲା।

Advertisment

Greenland: ଗ୍ରୀନ୍‌ଲାଣ୍ଡ ହୋଇପାରେ ଆମେରିକାର ପରବର୍ତ୍ତୀ ଲକ୍ଷ୍ୟ

 
ମଙ୍ଗଳବାର ଜେଏନ୍‌ୟୁର ସୁରକ୍ଷା ବିଭାଗ ଦିଲ୍ଲୀ ପୁଲିସକୁ ଚିଠି ଲେଖି ଆପତ୍ତିଜନକ ଓ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିବାରୁ ଏଫ୍ଆଇଆର୍ ଦାବି କରିଛି। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (ଜେଏନ୍‌ୟୁଏସ୍‌ୟୁ) ସହ ଜଡିତ ଛାତ୍ରମାନେ କ୍ୟାମ୍ପସରେ ଏକ ସମାବେଶ କରିଥିଲେ। ପ୍ରାରମ୍ଭିକ ସମାବେଶ ୩୦-୩୫ ଛାତ୍ରଙ୍କ ମଧ୍ୟରେ ସୀମିତ ଥିବାବେଳେ ଇଭେଣ୍ଟ ଆରମ୍ଭ ହେବା ପରେ ଏହା ବୃଦ୍ଧି ପାଇଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରମାନଙ୍କ ମଧ୍ୟରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଆଦିତ୍ୟ ମିଶ୍ର ଓ ଉପସଭାପତି କିଜାକୁଟ ଗୋପିକା ବାବୁ ଥିଲେ। ପୁଲିସକୁ ଲେଖିଥିବା ଚିଠିରେ ସୁରକ୍ଷା ବିଭାଗ କହିଛି ଯେ, ଖାଲିଦ ଓ ଇମାମଙ୍କ ଜାମିନ ଆବେଦନ ଉପରେ ରାୟ ପରେ ସମାବେଶର ପ୍ରକୃତି ଓ ସ୍ୱର ଯଥେଷ୍ଟ ବଦଳିଯାଇଥିଲା ଏବଂ କିଛି ଛାତ୍ର ଅତ୍ୟନ୍ତ ଆପତ୍ତିଜନକ ଓ ଉତ୍ତେଜନାମୂଳକ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।

Irregularities in the sale: ଅଭାବୀ ବିକ୍ରି ଓ ଧାନ କିଣାରେ ଅବ୍ୟବସ୍ଥା: ତାତିଲେ ଚାଷୀ


ପୃଥକ୍ ଭାବେ ବିଶ୍ୱବିଦ୍ୟାଳୟ କହିଛି ଯେ ସାବରମତୀ ହଷ୍ଟେଲ ପରିସର ନିକଟରେ ଆୟୋଜିତ ବିକ୍ଷୋଭର ଭିଡିଓକୁ ଏହା ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ଜେଏନ୍‌ୟୁ ବିବୃତିରେ କୁହାଯାଇଛି ଯେ, ଏଭଳି ସ୍ଲୋଗାନ ଦେବା ଗଣତାନ୍ତ୍ରିକ ଅସନ୍ତୋଷ ସହିତ ସମ୍ପୂର୍ଣ୍ଣ ଅସଙ୍ଗତ, ଜେଏନ୍‌ୟୁ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ଏବଂ ସର୍ବସାଧାରଣ ଶୃଙ୍ଖଳା, କ୍ୟାମ୍ପସ ସୌହାର୍ଦ୍ଦ୍ୟ, ବିଶ୍ୱବିଦ୍ୟାଳୟ ତଥା ଦେଶର ସୁରକ୍ଷା ଓ ନିରାପତ୍ତା ପରିବେଶକୁ ଗୁରୁତର ଭାବରେ ଖରାପ କରିବାର ସମ୍ଭାବନା ରହିଛି।    
ଜେଏନ୍‌ୟୁ ମାମଲାରେ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। କିଛି ଲୋକ ଜେଏନ୍‌ୟୁକୁ ‘ଟୁକ୍‌ଡେ ଟୁକ୍‌ଡେ’ ଗ୍ୟାଙ୍ଗ୍‌ର ଆଡ଼ା କରିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି। ରାହୁଲ ଗାନ୍ଧୀ, ତୃଣମୂଳ କଂଗ୍ରେସ ଓ କିଛି କମ୍ୟୁନିଷ୍ଟ ନେତା ଏହି ଗ୍ୟାଙ୍ଗ୍‌ର ଅଂଶ ବୋଲି ସେ କହିଛନ୍ତି। ଏହି ଲୋକମାନେ ସୁପ୍ରିମ୍‌କୋର୍ଟ ଉପରେ ମଧ୍ୟ ବିଶ୍ୱାସ କରନ୍ତି ନାହିଁ ବୋଲି ସେ କହିଛନ୍ତି।