Narendra Modi Photograph: (Hindustan Times)
ନୂଆଦିଲ୍ଲୀ: ଷ୍ଟାର୍ଟଅପ୍ ଇଣ୍ଡିଆକୁ ଆଜି ଏକ ଦଶନ୍ଧି ପୂରଣ ହୋଇଛି। ୨୦୧୬ ଜାନୁଆରି ୧୬ରେ ଏହା ଆରମ୍ଭ ହୋଇଥିଲା। ଏହି ଅବସରରେ ଭାରତ ମଣ୍ଡପମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ କହିଛନ୍ତି ଭାରତର ଯୁବପିଢ଼ି ଦେଶର ବାସ୍ତବ ସମସ୍ୟାର ସମାଧାନ କରୁଛନ୍ତି। ସେମାନଙ୍କର ସାହସ, ଆତ୍ମବିଶ୍ବାସ ଏବଂ ନବସୃଜନ ଦେଶର ଭବିଷ୍ୟତକୁ ଗଢ଼ୁଛି।
୧୦ ବର୍ଷ ପୂର୍ବେ ଯାହା ଏକ ସରକାରୀ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇଥିଲା ତାହା ଦେଶବ୍ୟାପୀ ଏକ ଆନ୍ଦୋଳନରେ ପରିଣତ ହୋଇଛି। ମାତ୍ର ୧୦ ବର୍ଷରେ ଷ୍ଟାର୍ଟଅପ୍ ଇଣ୍ଡିଆ ମିସନ ଏକ ବିପ୍ଳବରେ ପରିଣତ ହୋଇଛି। ଭାରତରେ ବିଶ୍ବର ତୃତୀୟ ବୃହତ୍ ଷ୍ଟାର୍ଟଅପ୍ ପରିସଂସ୍ଥାନ ସୃଷ୍ଟି ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏକ ଦଶନ୍ଧି ପୂର୍ବେ ଅପେକ୍ଷାକୃତ କମ୍ ଷ୍ଟାର୍ଟଅପ୍
ଏକ ଦଶନ୍ଧି ପୂର୍ବେ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା ୫୦୦ରୁ କମ୍ ରହିଥିଲା। କିନ୍ତୁ ଆଜି ଏହା ୨ ଲକ୍ଷରୁ ଅଧିକ ହୋଇଛି। ୨୦୧୪ରେ ଭାରତରେ କେବଳ ୪ଟି ୟୁନିକର୍ଣ୍ଣ ଥିଲା। କିନ୍ତୁ ସଂପ୍ରତି ପ୍ରାୟ ୧୨୫ଟି ସକ୍ରିୟ ୟୁନିକର୍ଣ୍ଣ ରହିଛି। କେବଳ ୨୦୨୫ରେ ପାଖାପାଖି ୪୪ ହଜାର ନୂଆ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛି। ଭାରତରେ ଷ୍ଟାର୍ଟଅପ୍ ଇଣ୍ଡିଆ ଆରମ୍ଭ ହେବାଦିନଠାରୁ ଯେକୌଣସି ବର୍ଷରେ ଏହା ସର୍ବାଧିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅତୀତରେ ରିସ୍କ ନେବାକୁ ନିରୁତ୍ସାହିତ କରାଯାଉଥିଲା। କିନ୍ତୁ ସଂପ୍ରତି ରିସ୍କ ନେବା ମୁଖ୍ୟସ୍ରୋତର ବିଷୟ ପାଲଟିଯାଇଛି।
ଆହୁରି ପଢ଼ନ୍ତୁ: Nobel Prize: ଟ୍ରମ୍ପ ମାଚାଡୋଙ୍କ ପଦକ ନେଲେ, କିନ୍ତୁ ନୋବେଲ ଶାନ୍ତି ପୁରସ୍କାର କ’ଣ ହସ୍ତାନ୍ତରଯୋଗ୍ୟ?
ଷ୍ଟାର୍ଟଅପ୍ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ: ମୋଦୀ
ଆଜି ଯେଉଁମାନେ ମାସିକ ଦରମା ବାଦ୍ ଚିନ୍ତା କରିପାରୁଛନ୍ତି ସେମାନଙ୍କୁ ଗ୍ରହଣ କରାଯାଉଛି ଏବଂ ସମ୍ମାନ ଦିଆଯାଉଛି। ଟିୟର-୨, ଟିୟର-୩ ସହର ଏବଂ ଏପରିକି ଗ୍ରାମାଞ୍ଚଳର ଯୁବକଯୁବତୀମାନେ ତୃଣମୂଳ ସ୍ତରର ସମସ୍ୟା ସମାଧାନ କରିବା ପାଇଁ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି। ଅର୍ଥାତ ଔଦ୍ୟୋଗିତା ଏବେ ସମାବେଶୀ ହୋଇପାରିଛି। ସ୍ବୀକୃତିପ୍ରାପ୍ତ ୪୫ ପ୍ରତିଶତ ଷ୍ଟାର୍ଟଅପ୍ରେ ଅତିକମ୍ରେ ଜଣେ ନିର୍ଦ୍ଦେଶକ କିମ୍ବା ସହ ପ୍ରତିଷ୍ଠାତା ମହିଳା ରହିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମିକଣ୍ଡକ୍ଟର, ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସନ୍ତା ଫେବ୍ରୁଆରିରେ ଭାରତରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ହେବ। ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Health: ପାକିସ୍ତାନ ବଦଳରେ ଭାରତୀୟ ଔଷଧକୁ ପସନ୍ଦ କରୁଛି ଆଫଗାନିସ୍ତାନ
ଷ୍ଟାର୍ଟଅପ୍ ଆମ ଯୁବପିଢ଼ିଙ୍କ ଆକାଂକ୍ଷାର ପ୍ରତିଫଳନ: ମୁଖ୍ୟମନ୍ତ୍ରୀ
/filters:format(webp)/sambad/media/media_files/2025/10/07/mohan-majhi-2025-10-07-22-29-28.jpg)
ଭୁବନେଶ୍ବର: ଆମ ଷ୍ଟାର୍ଟଅପ୍ଗୁଡ଼ିକ ରାଜ୍ୟର ଯୁବପିଢ଼ିଙ୍କ ଆକାଂକ୍ଷାର ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ସେ ଓଡ଼ିଶାର ସମସ୍ତ ନବସୃଜନକାରୀ ଓ ଉଦ୍ୟୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ସେ କହିଛନ୍ତି ଆମେ ଏଭଳି ଏକ ପରିବେଶ ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରଖିବୁ ଯେଉଁଠାରେ ନବସୃଜନ ସମୃଦ୍ଧ ହେବ, ବ୍ୟବସାୟ ଆଗକୁ ବଢ଼ିବ ଏବଂ ସମସ୍ତଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।୨୦୧୬ଠାରୁ ପ୍ରତିବର୍ଷ ଜାନୁଆରି ୧୬କୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ଭାବେ ପାଳନ କରାଯାଉଛି। ଦେଶବ୍ୟାପୀ ୧.୨୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି। ଓଡ଼ିଶାରେ ୨୫୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ପ୍ରଯୁକ୍ତି, କୃଷି ପ୍ରଯୁକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟସେବା, ଅକ୍ଷୟ ଶକ୍ତି, ଲଜିଷ୍ଟିକ୍ସ, ବିନିର୍ମାଣ ଓ ସାମାଜିକ ଉଦ୍ୟୋଗ କ୍ଷେତ୍ରରେ ସେହି ଷ୍ଟାର୍ଟଅପ୍ଗୁଡ଼ିକ କାର୍ଯ୍ୟ କରୁଛି। ରାଜ୍ୟର ଷ୍ଟାର୍ଟଅପ୍ ଯାତ୍ରା କେବଳ ଭୁବନେଶ୍ବର ମଧ୍ୟରେ ସୀମିତ ନାହିଁ। ଏନ୍ଆଇଟି ରାଉରକେଲା, ଆଇଆଇଏମ୍ ସମ୍ବଲପୁର, ଭିସୁଟ୍ ବୁର୍ଲା, ଆଦି ଷ୍ଟାର୍ଟଅପ୍ ଗଢ଼ିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଷ୍ଟାର୍ଟଅପ୍ ନୀତି ରହିଥିବା ବେଳେ ଏମ୍ଏସ୍ଏମ୍ଇ ବିଭାଗ ଅଧୀନସ୍ଥ ଷ୍ଟାର୍ଟଅପ୍ ଓଡ଼ିଶା ଜରିଆରେ ରାଜ୍ୟରେ ନବସୃଜନ ବ୍ୟବସ୍ଥାକୁ ସରକାର ପ୍ରୋତ୍ସାହିତ କରୁଛନ୍ତି।
Follow Us