Manoj Mishra-Aamir Khan Photograph: (sambad.in)
ମୁମ୍ବାଇ: ଆମିର ଖାନଙ୍କୁ ଭେଟିଲେ ମନୋଜ ମିଶ୍ର । କଥା ଦେଇ କଥା ରଖିଲେ ବଲିଉଡର ସୁପରଷ୍ଟାର ଆମିର ଖାନ୍ । ଅଭିନେତା ମନୋଜ ମିଶ୍ରଙ୍କୁ ଗୋଆ ଫିଲ୍ମ ଫେଷ୍ଟିଭାଲରେ ଆମିର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସିଏ ପୂରଣ କରିଛନ୍ତି ଆଉ ମନୋଜଙ୍କୁ ଡାକି ତାଙ୍କୁ ଭେଟିଛନ୍ତି ଏବଂ ଓଡିଆ ସିନେମାର ଉନ୍ନତି ଦିଗରେ ଆଲୋଚନା କରିଛନ୍ତି ।
ତେବେ ଭେଟଘାଟ ପାଇଁ ଦିନ ଗୋଟାଏରେ ସମୟ ସ୍ଥିର ହୋଇଥିବା ବେଳେ ପ୍ରାୟ ୧ ଘଣ୍ଟା ୪୫ ମିନିଟ୍ କାଳ ଆମିର-ମନୋଜ ଆଲୋଚନା କରିଥିଲେ । ଓଡିଆ ସିନେମା ଏବଂ ହଲ ପ୍ରସଙ୍ଗରେ ଆଲୋଚନା କରିବା ସହ ତାଙ୍କ ମୂଲ୍ୟବାନ ସମୟ ଦେଇଥିବାରୁ ଆମିରଙ୍କୁ ଧନ୍ୟବାଦ ଜଣାଇଥିଲେ ମନୋଜ ମିଶ୍ର ଏବଂ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ମନୋଜ ଲେଖିଛନ୍ତି-
ମତେ କିଏ କଣ ବୁଝିଛି ମୁଁ ଜାଣିନି କିନ୍ତୁ ଆଜି ଆମିର ଖାନଙ୍କ ସହ ଦେଢ଼ ଘଣ୍ଟା ଆଲୋଚନା ଭିତରେ ମୁଁ ବୁଝିଗଲି ଯେ ଓଡ଼ିଶାରେ ତିଆରି ସିନେମାକୁ ନେଇ ମୋ ମୁଣ୍ଡରେ କଣ ଅଛି ସେ କଥା ଆମୀର ଖାନ୍ ଭଲ ଭାବରେ ବୁଝିଗଲେ, ଦଶ ମିନିଟ୍ ସମୟ ଦେଇଥିଲେ କିନ୍ତୁ ଦେଢ଼ ଘଣ୍ଟା ଆମର ଆଲୋଚନା ହେଲା।। ଏତେ ବଡ଼ ଷ୍ଟାର ହେଲେ ବି କଳା ପ୍ରତି ତାଙ୍କର ଭଲ ପାଇବା ଅଛି ବୋଲି ସେ ମୋ କଥା ବୁଝି ପାରିଲେ,
ଏଇତ ଆରମ୍ଭ।।।।।
ଜୟ ମା ସମଲେଇ
ଓଡ଼ିଆ ସିନେମାର ପ୍ରଚାର କରିବେ ଆମିର୍
ସେପଟେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ମନୋଜ କହିଛନ୍ତି- ମୁଁ ତାଙ୍କୁ ମାଇଣ୍ଡ ଗେମର ଟିଜର ଦେଖାଇଲି । ସେ ମୋ କାମକୁ ନେଇ ଖୁସି ହେଲେ । ସାଢେ ୧୧ଟା ବେଳେ ମେସେଜ ଦେଇଥିଲେ ୧ଟାରେ ଦେଖାହେବା ବୋଲି । ଆମେ ଭେଟ ହେଲୁ କଥା ହେଲୁ । ସିନେମା ହଲ୍ ସମସ୍ୟା ସାରା ଭାରତର ସମସ୍ୟା । ଗାଁଗାଁରେ ସିନେମା ପହଞ୍ଚାଇବାର ମୋର ପ୍ରୟାସକୁ ସେ ପ୍ରଶଂସା କଲେ । ଭଲ ସିନେମା ହେଲେ ସିଏ ପ୍ରମୋଟ କରିବେ ବୋଲି କହିଲେ । ସିନେମାର ଉନ୍ନତି କେମିତି ହେଉ ସେଇଟା ଆମିର ଚାହାନ୍ତି ।
ଆହୁରି ପଢନ୍ତୁ- Encounter: ଗୁଳିବିନିମୟରେ ୩ଜଣ ଯବାନ ସହିଦ, ୭ ମାଓବାଦୀ ନିପାତ!
ଦେଢ ଘଣ୍ଟା ଧରି କଣ ଚର୍ଚ୍ଚା ହେଲା ?
ଭେଟଘାଟରେ ସିଏ ମତେ ଜାଣିଲେ । ଅତୁଲ କୁଲକର୍ଣ୍ଣି ମୋ ବ୍ୟାଚମେଟ୍ ବୋଲି ମୁଁ କହିଲି । ଓଡିଆ ସିନେମା ସିଏ ଦେଖିଛନ୍ତି କି ନାହିଁ ପଚାରିଲି । ଓଡିଆ ସିନେମାର ଭବିଷ୍ୟତ ନେଇ ଆଲୋଚନା କଲୁ ।
ଗୋଆରେ କଣ ହେଇଥିଲା ?
ଗୋଆ ଫିଲ୍ମ ଫେଷ୍ଟିଭାଲରେ ସିନେମାକୁ ନେଇ ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଓଡ଼ିଆ ସିନେମା ଓ ତାର ବିକାଶ ନେଇ ଆମିର ଖାନଙ୍କ ସହ ଆଲୋଚନା କରିଥିଲେ ଅଭିନେତା ମନୋଜ ମିଶ୍ର । ଓଡ଼ିଶାରେ ଫିଲ୍ମ ତ ତିଆରି ହେବ କିନ୍ତୁ ବାହାରେ ବିକ୍ରି କେମିତି ହେବ ? ସିନେମାକୁ ହଲ୍ କେମିତି ମିଳିବ ? ସିନେମା ନିର୍ମାଣର ଖର୍ଚ୍ଚ କେମିତି ଆଦାୟ ହେବ ? ଏମିତି ଅନେକ ପ୍ରସଙ୍ଗରେ ଆମିର ଖାନଙ୍କ ସହ କଥା ହୋଇଥିଲେ ମନୋଜ । ମଞ୍ଚ ଉପରେ ଆମିର ବସିଥାନ୍ତି ଆଉ ମନୋଜଙ୍କ ମୁହଁରୁ ବାହାରୁଥିବା ଓଡିଆ ସିନେମାକୁ ନେଇ ଗୋଟେ ପରେ ଗୋଟେ ପ୍ରଶ୍ନ ସେ ଶୁଣୁଥାନ୍ତି…
ମନୋଜ କହୁଥିଲେ ଆମିର ଶୁଣୁଥିଲେ
ତେବେ ମଞ୍ଚରେ ଥିବା ଷ୍ଟାର୍ ଆମିରଙ୍କୁ ମନୋଜ ନିଜ ମନକଥା କହିବାକୁ ଯାଇ ନିଜ ଫିଲ୍ମ ‘ମାଇଣ୍ଡ ଗେମ’ ପ୍ରସଙ୍ଗ ଉଠାଇଥିଲେ । ଯେଉଁଠି ସେ ଓଡିଶାରେ ହଲ ନଥିବା କାରଣରୁ ଲୋକଙ୍କ ପାଖରେ ସିନେମା ପହଞ୍ଚାଇବାକୁ କେମିତି ଗାଁ ଗାଁ ବୁଲୁଛନ୍ତି ତାହା ସେ ବର୍ଣ୍ଣନା କରିଥିଲେ ଏବଂ ଆମିର ଏଥା ଶୁଣି ଖୁବ୍ ପ୍ରଶଂସା କରିଥିଲେ । ସ୍ବାଧିନ ସିନେମା ନିର୍ମାତାଟେ କେମିତି ନିଜ ଟଙ୍କା ସିନେମା କରି ଫେରି ପାଇବ ? ଓଡିଶାର ସିନେମା କେମିତି ଓଡିଶା ବାହାରକୁ ଆସିବ ? ବୋଲି ପ୍ରଶ୍ନ କରିବା ପରେ ଫର୍ମୁଲା ଦେଇଥିଲେ ଆମିର ଖାନ୍ । ତେବେ ଆମିରଙ୍କ ସହ ଆଲୋଚନା ପରେ ମନୋଜ ମିଶ୍ର ତାଙ୍କୁ ଭେଟି ଓଡିଶା ସିନେମାର ଭାଗ୍ୟ ବଦଳାଇବାକୁ କଣ କରିହେବ ? ସେନେଇ ଅଧିକ ଆଲୋଚନା କରିବାକୁ ଆମିରଙ୍କୁ ସମୟ ମାଗିଥିଲେ । ଆଉ ଆମିର ସୋ ସରିବା ପରେ କଥା ହେବାକୁ ମଞ୍ଚରୁ ଘୋଷଣା କରିଥିବା ବେଳେ ମନୋଜ ସୋସିଆଲ ମିଡିଆରେ ବହୁତ୍ ଜଲଦି ତାଙ୍କ ସହ ମୁମ୍ବାଇରେ ମୋର ଦେଖା ହେବ ବୋଲି ସୂଚନା ଦେଇଥିଲେ । ଆଉ ଆଜି ଆମିରଙ୍କୁ ମୁମ୍ବାଇରେ ଭେଟିଛନ୍ତି ମନୋଜ ମିଶ୍ର ।
ଓଡିଆ ସିନେମା ଚିନ୍ତାରେ ମନୋଜ
ଓଡିଆ ସିନେମା କେମିତି ଲୋକଙ୍କୁ ଛୁଇଁବ ? କେମିତି ସିନେମା ନିର୍ମାତା ଲାଭବାନ ହେବେ ? ସିନେମାର କନଟେଣ୍ଟ କେମିତି ହେବା ଦରକାର ? ଏବଂ ଓଡିଆ ସିନେମାର ଭଲଦିନ କେବେ ଫେରିବ ? ଏନେଇ ସବୁବେଳେ ମନୋଜ ମିଶ୍ର ଅଭିଯୋଗ, ଆଲୋଚନା, ଚର୍ଚ୍ଚା କରୁଥିବା ବେଳେ ଏହି କଥା ଖାଲି ଓଡିଶାରେ ନୁହେଁ ବରଂ ସେ ଆନ୍ତର୍ଜାତୀୟ ସ୍ତରରେ ବି ପହଞ୍ଚାଇଛନ୍ତି । ଓଡିଶାର ସ୍ବର ସାଜି ଆମ ରାଜ୍ୟରେ ସିନେମାକୁ ନେଇ ଉପୁଜିଥିବା ସମସ୍ୟା କଥା ଗୋଆ ଫିଲ୍ମ ଫେଷ୍ଟିଭାଲ ସହ ଆମିରଙ୍କ ସହ ଭେଟି ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିଛନ୍ତି । ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ଗୋଆରେ ମନୋଜ-ଆମିର ଆଲୋଚନାର ଭିଡ଼ିଓ
Follow Us