Indian Woman Killed In Sydney Photograph: (sambad.in)
ନୂଆଦିଲ୍ଲୀ: ସ୍ବାମୀ-ପୁଅ ସହ ଚାଲିବାକୁ ଯାଇଥିଲେ ୮ମାସର ଗର୍ଭବତୀ। ଧକ୍କା ଦେଲା କାର୍। ପ୍ରସବର କିଛି ଦିନ ପୂର୍ବରୁ ଏଭଳି ଗର୍ଭବତୀଙ୍କ ମୃତ୍ୟୁ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଦୁର୍ଘଟଣାରେ ମହିଳାଙ୍କ ପୁଅ ଓ ସ୍ବାମୀ ବର୍ତ୍ତି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଅଷ୍ଟ୍ରେଲିଆର ସ୍ବିଡେନରେ ଘଟିଛି ଏହି ଭୟଙ୍କର କାର୍ ଦୁର୍ଘଟଣା। ମୃତକଜଣଙ୍କ ହେଲେ ୩୩ ବର୍ଷିୟ ଭାରତୀୟ ମହିଳା ସମନ୍ୱିତ ଧରେଶ୍ୱର। ସ୍ବିଡେନର ହର୍ନ୍ସବିରେ ଏକ ପାର୍କ ବାହାରେ ରାସ୍ତା ପାର୍ ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
କେମିତି ଘଟିଥିଲା ଦୁର୍ଘଟଣା?
ସ୍ବିଡେନରେ ରହୁଥିବା ୩୩ ବର୍ଷିୟ ଭାରତୀୟ ମହିଳା ସମନ୍ୱିତ ଧରେଶ୍ୱରଙ୍କ ଆଗରୁ ଗୋଟିଏ ସନ୍ତାନ ଥିବାବେଳେ ସେ ୮ ମାସର ଗର୍ଭବତୀ ଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଗର୍ଭସ୍ଥ ଛୁଆର ମଧ୍ୟ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ନଭେମ୍ବର ୧୪ତାରିଖ ରାତି ପ୍ରାୟ ୮ଟାରେ ଜର୍ଜ ଷ୍ଟ୍ରିଟରେ ଧରେଶ୍ୱର ରାସ୍ତା ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏକ କିଆ କାର୍ ସେମାନଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କରିବା ପାଇଁ ଗାଡି ମନ୍ଥର କରୁଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଧଳା ରଙ୍ଗର ବିଏମଡବଲ୍ଯୁ କାର୍, କିଆ କାରକୁ ଧକ୍କା ଦେଇଥିଲା। ଫଳରେ କିଆ କାରଟି ନିଜର ଭାରସାମ୍ୟ ହରାଇ ସମନ୍ୱିତ ଏବଂ ତାଙ୍କ ପରିବାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ଧରେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
କ’ଣ କହୁଛି ପୁଲିସ?
ପୁଲିସର ସୂଚନା ଅନୁସାରେ, ଧଳା ରଙ୍ଗର ବିଏମଡବଲ୍ଯୁ କାର୍କୁ ୧୯ ବର୍ଷିୟ ଆରନ୍ ପାପାଜୋଗ୍ଲୁ ଚଲାଉଥିଲେ। ସେ ଜଣେ ପି-ପ୍ଲେଟ୍ର( ନୂଆ ନୂଆ ଗାଡ଼ି ଶିଖୁଥିବା ଚାଳକ ) ଡ୍ରାଇଭର ଥିଲେ। ଏହି ଦୁର୍ଘଟଣା ଘଟିବା ପରେ ବିଏମଡବଲ୍ଯୁ ଏବଂ କିଆ କାର୍ର ଡ୍ରାଇଭର କୌଣସି ଆଘାତ ପାଇନାହାନ୍ତି। ଦୁର୍ଘଟଣା ପରେ ପୁଲିସ ଅଭିଯୁକ୍ତ ଆରନ୍ଙ୍କୁ ଗିରଫ କରିଛି। ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ ମଧ୍ୟ ଘଟଣାର ଗମ୍ଭୀରତାକୁ ବିଚାର କରି କୋର୍ଟ ତାଙ୍କ ଜାମିନକୁ ଖାରଜ କରିଛନ୍ତି।
ପରିବାରକୁ ଛୁଟିଛି ସମବେଦନାର ସୁ୍ଅ
ଆଉ କିଛି ଦିନ ପରେ ସମନ୍ୱିତ ଧରେଶ୍ୱର ନିଜ ସନ୍ତାନକୁ ଜନ୍ମ ଦେଇଥାନ୍ତେ। ମୃତ୍ୟୁ ବେଳକୁ ସେ ୮ ମାସର ଗର୍ଭବତୀ ଥିଲେ। ଏହି ଘଟଣା ଘଟିବା ପରେ ସ୍ବିଡେନରେ ରହୁଥିବା ଭାରତୀୟମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣା ଘଟିଥିବା ସ୍ଥାନରେ ସମନ୍ୱିତଙ୍କ ଉଦ୍ଦେଶ୍ୟରେ ଫୁଲ ଏବଂ ହାତଲେଖା ନୋଟ ଶ୍ରଦ୍ଧାଞ୍ଜଳୀ ଆକାରରେ ଅର୍ପଣ କରାଯାଇଛି।
ଆହୁରି ପଢ଼ନ୍ତୁ: Traumatising Flight Experience: ବିମାନରେ ତ୍ରୁଟି ପାଇଁ ହୃଦ୍ସ୍ପନ୍ଦନ ଅଟକିଗଲା, ଭୟଭୀତ ହୋଇଯାଇଥିଲୁ: ରିଦ୍ଧିମା କପୁର
Follow Us