ତେହେରାନ/ତେଲ୍ ଅଭିଭ୍: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ଦିନକୁ ଦିନ ବଢ଼ିଚାଲିଛି। ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଅଭିଯାନ ଏବେ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଛି। ଏହି ଅଭିଯାନର ଅଷ୍ଟମ ଦିନରେ ଇସ୍ରାଏଲ ପକ୍ଷରୁ ବ୍ୟାପକ ଏୟାରଷ୍ଟ୍ରାଇକ୍ ଜାରି ରହିଛି, ଯାହା ଇରାନର ସାମରିକ ଶକ୍ତିକୁ ଭୀଷଣ କ୍ଷତିଗ୍ରସ୍ତ କରିଛି। ଏହି ଦ୍ରୁତ ଓ ତୀବ୍ର ଆକ୍ରମଣ ଇରାନକୁ ଦୁର୍ବଳ କରିବାରେ ସଫଳ ହେଉଛି, କିନ୍ତୁ ଏହା ଦୀର୍ଘକାଳୀନ ଗରିଲା ଯୁଦ୍ଧ ଏବଂ ଛାୟା ଆକ୍ରମଣର ରାସ୍ତା ଖୋଲିଦେଇଛି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କହିଛନ୍ତି, ଇରାନ ଯୁଦ୍ଧ ହାରିଛି ଏବଂ ଏବେ ପଡ଼ୋଶୀଙ୍କ ନିକଟରେ ଆତ୍ମସମର୍ପଣ କରୁଛି। ଇରାନରେ ଆମେ ସମସ୍ତ ଟାର୍ଗେଟ୍‌ ଧ୍ବଂସ କରିବୁ ଏବଂ ଏଥିପାଇଁ ଆଜିଠାରୁ ଆକ୍ରମଣ ଅଧିକ ଭୟଙ୍କର ଓ ବ୍ୟାପକ ହେବ।

Advertisment

ଟ୍ରମ୍ପଙ୍କ ସର୍ତ୍ତରେ ଆତ୍ମସମର୍ପଣ କରିବୁ ନାହିଁ, ଆହୁରି ପ୍ରଚଣ୍ଡ ଆକ୍ରମଣ କରାଯିବ

ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଶତାଧିକ ଯୁଦ୍ଧବିମାନ ବ୍ୟବହାର କରି ଇରାନର ବିଭିନ୍ନ ସାମରିକ ସ୍ଥଳକୁ ନିଶାଣ କରି ବିଶାଳ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇମାମ ହୋସେନ ସାମରିକ ବିଶ୍ୱବିଦ୍ୟାଳୟ, ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପସ୍‌ (ଆଇଆରଜିସି) କମ୍ପାଉଣ୍ଡ, ବାଲିଷ୍ଟିକ୍ ମିସାଇଲ୍‌ ଭଣ୍ଡାର, ଭୂଗର୍ଭ ବଙ୍କର, କମାଣ୍ଡ ସେଣ୍ଟର, ଲଞ୍ଚ ସାଇଟ୍ ଏବଂ ତେହେରାନର ମେହରାବାଦ ଅନ୍ତର୍ଜାତୀୟ  ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି। ଇରାନର ରାଷ୍ଟ୍ରୀୟ ମିଡିଆ ଏହି ଆକ୍ରମଣକୁ ବର୍ବରୋଚିତ  ବୋଲି ବର୍ଣ୍ଣନା କରିଛି ଏବଂ ଏଥିରେ ନାଗରିକ ସ୍ଥଳଗୁଡ଼ିକରେ କ୍ଷତି ହୋଇଥିବା ଦାବି କରିଛି। ଅନ୍ୟପକ୍ଷରେ  ପ୍ରତିଶୋଧସ୍ୱରୂପ ଇରାନ ଆଜି ଇସ୍ରାଏଲ ଉପରେ ଶତାଧିକ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିଛି। ଏଥିରୁ ଅଧିକାଂଶକୁ ଇସ୍ରାଏଲୀ ପ୍ରତିରକ୍ଷା ବ୍ୟବସ୍ଥା ଧ୍ୱଂସ କରିଛି। ତେବେ କେତେକ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବାରୁ ତେହେରାନ ଓ ଅନ୍ୟ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଇସ୍ରାଏଲର ତେଲ୍‌ ଅଭିଭ୍‌ରେ ଇଚିଲୋଭ ମେଡିକାଲ ସେଣ୍ଟର ଓ ୨୦ରୁ ଅଧିକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

Health: ବୃତ୍ତିରେ ୬୦ ବର୍ଷ: ରାଇରଙ୍ଗପୁର ଦରଦୀ ଚିକିତ୍ସକ ଡା. ପି.ଏସ୍. ମାଣିକେଶ୍ୱରୀ

ମୃତାହତଙ୍କ ସଂପର୍କରେ କୌଣସି ରିପୋର୍ଟ ଜାରି ହୋଇନାହିଁ। ଲେବାନନର ହେଜବୁଲ୍ଲା  ଗୋଷ୍ଠୀ ମଧ୍ୟ ଇସ୍ରାଏଲ ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଅନ୍ୟପକ୍ଷରେ ଇସ୍ରାଏଲ ସ୍ଥଳସେନା ଆଜି ଲେବାନନରେ ପ୍ରବେଶ କରିଛି ଏବଂ ହେଜବୁଲ୍ଲା ସହ ମୁହାଁମୁହିଁ ସଂଘର୍ଷ ଜାରି ରହିଛି। ଦୁଇ ଦିନର ଇସ୍ରାଏଲ ଆକ୍ରମଣରେ ଲେବାନନରେ ୩ ଶହରୁ ଅଧିକ ଆହତ ହୋଇଛନ୍ତି। ଇରାନ ବିରୋଧୀ ସାମରିକ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ଯେ ଫେବ୍ରୁଆରି ଶେଷ ସପ୍ତାହରୁ ଇରାନରେ ୩,୦୦୦ରୁ ଅଧିକ ଲକ୍ଷ୍ୟକୁ ଆକ୍ରମଣ କରାଯାଇଛି। ତେବେ ଇରାନର ଆକ୍ରମଣ କ୍ଷମତା କାଏମ ରହିଥିବାରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଗକୁ ବଡ଼ଧରଣର ବୈଶ୍ବିକ ସଙ୍କଟ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ତେହେରାନରେ ବ୍ୟାପକ କ୍ଷୟକ୍ଷତି 
ଲେବାନନରେ ଭୀଷଣ ସଂଘର୍ଷ
ଉପସାଗରୀୟ ରାଷ୍ଟ୍ରରେ ଆକ୍ରମଣ ବନ୍ଦ ହେବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନଠାରୁ ନିଃସର୍ତ୍ତ ଆତ୍ମସମର୍ପଣ  ଦାବି କରିଥିବା ବେଳେ ଆଜି ଇରାନ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପଙ୍କ ସର୍ତ୍ତରେ ଆତ୍ମସମର୍ପଣର ପ୍ରଶ୍ନ ଉଠୁନାହିଁ ବୋଲି ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ କହିଛନ୍ତି। ସେ ଘୋଷଣା କରିଛନ୍ତି ଯେ  ତେହେରାନ କଦାପି ଆତ୍ମସମର୍ପଣ କରିବ ନାହିଁ ଏବଂ ଜାତୀୟ ଏକତାକୁ ସୁଦୃଢ଼ କରି ଲଢ଼େଇ ଜାରି ରଖିବ। ଆଜି ପେଜେସ୍କିଆନ ଉପସାଗରୀୟ ଦେଶମାନଙ୍କୁ କ୍ଷମା ମାଗିଛନ୍ତି ଏବଂ ସେମାନଙ୍କ ଦେଶରେ ଥିବା ସାମରିକ ଘାଟିରୁ ଆମେରିକା ଆକ୍ରମଣ କରୁଥିବାରୁ ଏହାର ଜବାବରେ ହିଁ ଇରାନ ଆକ୍ରମଣ କରୁଛି ବୋଲି କହିଛନ୍ତି। ଆମେରିକା ଘାଟିରୁ ଆକ୍ରମଣ ବନ୍ଦ ହେଲେ ଆମେ ତୁରନ୍ତ ଆକ୍ରମଣ ବନ୍ଦ କରିବୁ ବୋଲି ସେ କହିଛନ୍ତି। ଇତିମଧ୍ୟରେ ସାଉଦି ଆରବ, ଯୁଏଇ ଆଦି ଉପସାଗରୀୟ ଦେଶମାନେ ଇରାନ ଆକ୍ରମଣକୁ ପ୍ରତିରୋଧ କରିଛନ୍ତି। ସାଉଦି ବାହିନୀ ୨୦ଟି ଇରାନୀୟ ଡ୍ରୋନ୍ ଓ ୩ଟି ମିସାଇଲକୁ ଧ୍ୱଂସ କରିବାକୁ ସକ୍ଷମ ହେବାରୁ ଏହାର ତୈଳକ୍ଷେତ୍ର ଓ ସାମରିକ ଘାଟି ଅଳ୍ପକେ ବର୍ତ୍ତିଯାଇଛି।

GDP: ବିଶ୍ବର ଅଭିବୃଦ୍ଧିରେ ଭାରତର ଅବଦାନ ୧୭% ହେବ: ଆଇଏମ୍‌ଏଫ୍

ମଧ୍ୟପ୍ରାଚ୍ୟ ସଂଘର୍ଷରେ ମାନବୀୟ କ୍ଷତି ବ୍ୟାପକ ହେଉଥିବାରୁ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ଗତ ଏକ ସପ୍ତାହରେ ଇରାନରେ ୧୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ସର୍ବାଧିକ ସାଧାରଣ ନାଗରିକ ଅନ୍ତର୍ଭୁକ୍ତ। ଯୁଦ୍ଧ ପ୍ରଭାବରେ ଅର୍ଥନୈତିକ ବିଭ୍ରାଟ ବଢ଼ିଛି ଏବଂ  ବିଶ୍ୱବ୍ୟାପୀ ପେଟ୍ରୋଲ ଦର ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବାରୁ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।