Tribals are the first heirs of India, Congress will fight for their rights: Rahul Photograph: (sambad.in)
ନୂଆଦିଲ୍ଲୀ: ବିଶ୍ୱ ଆଦିବାସୀ ଦିବସ ଅବସରରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଅନ୍ୟ କଂଗ୍ରେସ ନେତାମାନଙ୍କ ସହିତ ଶନିବାର ଆଦିବାସୀ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆପଣମାନେ ଭାରତର ପ୍ରଥମ ଉତ୍ତରାଧିକାରୀ। ଅଧିକାର, ପରିଚୟ ଏବଂ ନ୍ୟାୟ ପାଇଁ ଆପଣଙ୍କ ଲଢ଼େଇରେ ଆମେ ଆପଣଙ୍କ ସହିତ ଅଛୁ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ବିଶ୍ୱ ଆଦିବାସୀ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି।ସେ 'ଏକ୍ସ'ରେ ଏକ ପୋଷ୍ଟରେ ଲେଖିଛନ୍ତି, ବିଶ୍ୱ ଆଦିବାସୀ ଦିବସରେ ଆମ ଆଦିବାସୀ ସମାଜର ସମସ୍ତ ନାଗରିକଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଜଳ-ଜଙ୍ଗଲ-ଭୂମି ଏବଂ ଆଦିବାସୀ ସଭ୍ୟତା ଏବଂ ପରମ୍ପରାର ସଂରକ୍ଷଣ ଆମର ଲକ୍ଷ୍ୟ ଏବଂ କଂଗ୍ରେସ ଦଳ ଆପଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସମର୍ପିତ।
ସୂଚନାଯୋଗ୍ୟ, ବିଶ୍ୱର ଆଦିବାସୀ ଲୋକଙ୍କ ଅଧିକାରକୁ ସମର୍ଥନ ଏବଂ ସୁରକ୍ଷା ପାଇଁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ବିଶ୍ୱର ଆଦିବାସୀ ଦିବସ ପାଳନ କରାଯାଇଥାଏ।
ଏହା ମାଧ୍ୟମରେ ବିଶ୍ୱ ସ୍ତରରେ ଆଦିବାସୀ ସମ୍ପ୍ରଦାୟର ଅନନ୍ୟ ସଂସ୍କୃତି, ସାମାଜିକ ଚ୍ୟାଲେଞ୍ଜ ଏବଂ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଥାଏ।
ଆଦିବାସୀ ସମ୍ପ୍ରଦାୟ ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ଜୀବନଯାପନରେ ଉଲ୍ଲେଖନୀୟ ଅବଦାନ ରଖିଥାନ୍ତି।
ଡିସେମ୍ବର ୧୯୯୪ରେ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଅଗଷ୍ଟ ୯ ତାରିଖ ୧୯୮୨ରେ ଅନୁଷ୍ଠିତ ଜାତିସଂଘର ଆଦିବାସୀ ଜନସଂଖ୍ୟା କାର୍ଯ୍ୟ ଗୋଷ୍ଠୀର ପ୍ରଥମ ବୈଠକକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। ଏହି ଆନ୍ତର୍ଜାତୀୟ ଦିବସ ପାଳନ ଆଦିବାସୀ ଅଧିକାର ଏବଂ ସଂସ୍କୃତିକୁ ରକ୍ଷା କରିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସକୁ ଉତ୍ସାହିତ କରିଥାଏ।
ଜାତିସଂଘ ଅନୁଯାୟୀ, ଏହି ଦିବସ ଆଦିବାସୀମାନଙ୍କର ମୌଳିକ ଅଧିକାରକୁ ସ୍ୱୀକୃତି ଦିଏ। ବିଶ୍ୱ ଜନସଂଖ୍ୟାର ପ୍ରାୟ ୫-୬ ପ୍ରତିଶତ ହେଉଛନ୍ତି ଆଦିବାସୀ। ସେମାନେ ପ୍ରାୟତଃ ଦାରିଦ୍ର୍ୟତାରେ ନିଜ ରଜୀବନ ବିତାଇଥାନ୍ତି। ସେମାନେ ବହୁ କ୍ଷେତ୍ରରେ ଭେଦଭାବ ଶିକାର ହେଉଥିବାବେଳେ ଆବଶ୍ୟକ ଶିକ୍ଷା ତଥା ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଥାନ୍ତି।
ଏହି ଦିବସ ପାଳନ ଅବସର ବିଶ୍ୱ ସଚେତନତାକୁ ସୁଦୃଢ଼ କରିବା, ଆଦିବାସୀଙ୍କ ଅଧିକାରକୁ ପ୍ରୋତ୍ସାହିତ କରିବା, ସେମାନଙ୍କ ସଂସ୍କୃତିକୁ ସଂରକ୍ଷଣ କରିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ସାମାଜିକ ନ୍ୟାୟ ଏବଂ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥାଏ।
ଅଧିକ ପଢ଼ନ୍ତୁ: ଇରାନର ପରମାଣୁ ବୈଜ୍ଞାନିକ ମୋସାଦ୍ ଏଜେଣ୍ଟ !
Rahul Gandhi | mallikarjun kharge | International Day of the World’s Indigenous Peoples
Follow Us