ନୂଆଦିଲ୍ଲୀ: ‘ମହିଳା ସଂରକ୍ଷଣ ବିଲ୍’ ମହିଳାମାନଙ୍କ ପ୍ରତି ସମାନତା ଆଣିବ ବୋଲି ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରି ଉଦ୍ବୋଧନ ଦେବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ କହିଛନ୍ତି।
ଆଜି ପ୍ରାରମ୍ଭରୁ ସେ କହିଥିଲେ, ଗତକାଲି ଲୋକସଭାରେ ଆମେ ବିଳମ୍ବ କରିଥିବାରୁ ଆଜି ‘ସପ୍ଲିମେଣ୍ଟାରି ବିଜ୍ନେସ୍’ ଜରିଆରେ ରାଜ୍ୟ ସଭାରେ ଏହି ବିଲ୍ ଉପସ୍ଥାପନ କରାଯିବ। ଲୋକସଭା ସଚିବାଳୟ ଏ ବିଷୟରେ ଉତ୍ତମରୂପେ ଅବଗତ ଅଛି। କିନ୍ତୁ, ଆଜି ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ।
ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟସଭାରେ ଆଗତ ହେବାକୁ ଥିବା ମହିଳା ସଂରକ୍ଷଣ ବିଲ୍ ସଂକ୍ରାନ୍ତ ବିତର୍କରେ ପ୍ରଥମେ ‘ବିଜେପି’ ଅଧ୍ୟକ୍ଷ ଜେ. ପି. ନଡ୍ଡା କହିବେ। ଏହାଛଡ଼ା, ଏହି ମହିଳା ସଂରକ୍ଷଣ ବିଲ୍ ବା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ଚିଠା’ ସଂକ୍ରାନ୍ତ ବିତର୍କରେ ରାଜ୍ୟସଭାରେ ହେବାକୁ ଥିବା ବିତର୍କରେ ‘ବିଜେପି’ର ୧୪ଜଣ ମହିଳା ସାଂସଦ ଓ ମନ୍ତ୍ରୀ ଭାଗ ନେବେ।
Image Courtesy of FirstPost
ଏହି ବିଲ୍ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଜି କଂଗ୍ରେସର ରାଜ୍ୟସଭା ସାଂସଦ ଇମ୍ରାନ୍ ପ୍ରତାପଗଡ଼ି କହିଛନ୍ତି, ୨୦୧୦ରେ କଂଗ୍ରେସ ସରକାର ଏହି ବିଲ୍ ଆଗତ କରିଥିଲା। ତେଣୁ, ଏଇଟା ଆମ ବିଲ୍। ‘ବିଜେପି’ର ଲକ୍ଷ୍ୟ ହେଉଛି ଏ ବିଲ୍କୁ ଲାଗୁ ନ କରାଇଦେବା। ବିଲ୍ ଗୃହୀତ କରିବା ଗୋଟାଏ କଥା ଓ ପ୍ରଣୟନ ବା ଲାଗୁ କରାଇବା ଅନ୍ୟ ଏକ କଥା। ଏହା ହେଉଛି ନିର୍ବାଚନ ପ୍ରଚାର ଅଭିଯାନ ମାତ୍ର।
ସେପଟେ, ଲୋକସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ବିଲ୍ ଦେଶର ମହିଳାମାନଙ୍କୁ ପ୍ରେରିତ କରିବା ସହିତ ମହିଳା ସଶକ୍ତିକରଣକୁ ସୁଦୃଢ଼ କରିବ।