ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ଆଜି ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ। ଭାରତୀୟ ବଂଶୋଦ୍ଭବ ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ସେ ମଧ୍ୟ ଇନଫୋସିସର ପ୍ରତିଷ୍ଠାତା ଏନଆର୍ ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି। ସେ ଦୃଷ୍ଟିରୁ ସୁନକଙ୍କୁ ଭାରତର ଜ୍ବାଇଁ ବୋଲି ମଧ୍ୟ କୁହାଯାଇଥାଏ। ତାଙ୍କୁ ଭାରତର ଜ୍ବାଇଁ କୁହାଯାଉଥିବାରୁ ତାଙ୍କର ଏହି ଭାରତ ଗସ୍ତ ନିଶ୍ଚିତ ଭାବେ ସ୍ବତନ୍ତ୍ର ବୋଲି ସୁନକ ବ୍ରିଟେନରୁ ଆସିବା ସମୟରେ ସାମ୍ବାଦିକମାନଙ୍କୁ ବିମାନରେ ଏହା କହିଛନ୍ତି। ୪୩ ବର୍ଷୀୟ ସୁନକ କହିଛନ୍ତି, ଭାରତ ଯିବା ପାଇଁ ସେ ଅତ୍ୟନ୍ତ ବ୍ୟଗ୍ର। କାରଣ ଭାରତ ତାଙ୍କର ଅତ୍ୟନ୍ତ ପ୍ରିୟ। ଜି-୨୦ ସମ୍ମିଳନୀକୁ ସ୍ପଷ୍ଟ ଚିନ୍ତାଧାରା ନେଇ ଯାଉଛି।
ବିଶ୍ବ ଅର୍ଥନୀତିରେ ସ୍ଥିରତା ଆଣିବା, ଅନ୍ତର୍ଜାତୀୟ ସଂପର୍କ ସ୍ଥାପନ କରିବା ଏବଂ ଅତ୍ୟନ୍ତ ଦୁର୍ବଳ ବର୍ଗଙ୍କୁ ସହାୟତା ପ୍ରଦାନ କରିବା ଉପରେ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି। ଏଥିସହିତ ପୁଟିନ ପୁଣିଥରେ ଜି-୨୦ ସମ୍ମିଳନୀରେ ମୁହଁ ଦେଖାଇବାରେ ବିଫଳ ହୋଇଛନ୍ତି। ପୁଟିନ ତାଙ୍କ ନିଜଦ୍ବାରା ରଚାଯାଇଥିବା କୂଟନୈତିକ ନିର୍ବାସନରେ ଫସିଛନ୍ତି। ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ କୋଠା ଭିତରେ ନିଜକୁ ଏକାକୀ କରି ରଖିଛନ୍ତି। ସମାଲୋଚନା ଓ ବାସ୍ତବତାକୁ ବନ୍ଦ କରି ରଖିଛନ୍ତି। କିନ୍ତୁ ଆମେ ୟୁକ୍ରେନର ସମର୍ଥନରେ ବାହାରିବୁ ବୋଲି ସୁନକ ସ୍ପଷ୍ଟ କରିଛନ୍ତି। ତେଣୁ ଜି-୨୦ ସମ୍ମିଳନୀରେ ରୁଷ୍-ୟୁକ୍ରେନ ଯୁଦ୍ଧ ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି।