ନୂଆଦିଲ୍ଲୀ: ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

Advertisment

ନ୍ୟୁୟର୍କରେ ଜାତିସଂଘର ମହାସଭାର (ୟୁଏନ୍‌ଜିଏ) ୭୮ତମ ଅଧିବେଶନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନ୍‌ୱାର୍‌ ଉଲ୍‌ ହକ୍‌ କାକଡ଼ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବାରୁ ଭାରତ ଉପରୋକ୍ତ ଜବାବ ଦେଇଛି।

‘ୟୁଏନ୍‌ଜିଏ’ରେ ପାକିସ୍ତାନ ଅଭିଭାଷଣର ପ୍ରତି ଉତ୍ତର ଦେବା ଅଧିକାର ସାବ୍ୟସ୍ତ କରି ଭରତ କଠୋର ଭାଷାରେ କହିଛି ଯେ, ନୂଆଦିଲ୍ଲୀ ବିରୋଧରେ ଅପପ୍ରଚାର କରିବା ପାଇଁ ପାକିସ୍ତାନ ଆନ୍ତର୍ଜାତିକ ସାମ୍ମୁଖ୍ୟର ଅପବ୍ୟବହାର କରୁଛି। ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ସେ ପ୍ରସଙ୍ଗରେ କହିବା ଲାଗି ପାକିସ୍ତାନର କୌଣସି ଅଧିକାର ନାହିଁ।

publive-image Image Courtesy of KannadNews

‘ୟୁଏନ୍‌ଜିଏ’ର ଦ୍ବିତୀୟ କମିଟି ପାଇଁ ଜାତିସଂଘରେ ଭାରତର ‘ଫାଷ୍ଟ୍‌ ସେକ୍ରେଟେରି’ ପେଟଲ୍‌ ଗହଲୋତ କହିଲେ, ଭାରତ ବିରୋଧରେ ଭିତ୍ତିହୀନ ଓ ବିଦ୍ବେଷପୂର୍ଣ୍ଣ ପ୍ରଚାର ଲାଗି ଏହି ସାମ୍ମୁଖ୍ୟକୁ ଅପବ୍ୟବହାର କରିବାରେ ପାକିସ୍ତାନ ପୁରୁଣା ଅପରାଧୀ ‌ପାଲଟି ଗଲାଣି। ମାନବ ଅଧିକାର ଉପରେ ନିଜର ମନ୍ଦ ରେକର୍ଡ ପ୍ରତି ଆନ୍ତର୍ଜାତିକ ସମୁଦାୟର ଦୃଷ୍ଟି ହଟାଇବା ଲାଗି ପାକିସ୍ତାନ କ’ଣ କରେ ତାହା ଜାତିସଂଘର ସଦସ୍ୟ ରାଷ୍ଟ୍ର ଓ ଅନ୍ୟାନ୍ୟ ବହୁପାକ୍ଷିକ ସଙ୍ଗଠନ ସବୁ ଭଲ ଭାବେ ଅବଗତ ଅଛନ୍ତି।

ଆମେ ପୁନର୍ବାର କହୁଛୁ ଯେ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛିନ୍ନ ଅଂଶ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ସମସ୍ୟା ଭାରତର ଅଭ୍ୟନ୍ତରୀଣ ବ୍ୟାପାର। ଆମ ଅଭ୍ୟନ୍ତରୀଣ ବ୍ୟାପାରରେ ଟିପ୍ପଣୀ ଦେବା ପାଇଁ ପାକିସ୍ତାନର ଅଧିକାର ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଦକ୍ଷିଣ ଏସିଆରେ ଶାନ୍ତି ବଜାୟ ରଖିବା ଲାଗି ପାକିସ୍ତାନକୁ ତ୍ରିମୁଖୀ କାର୍ଯ୍ୟଧାରା ଅବଲମ୍ବନ କରିବାକୁ ପଡ଼ିବ। ପ୍ରଥମତଃ, ତୁରନ୍ତ ସୀମାପାରି ଆତଙ୍କବାଦ ବନ୍ଦ କରିବା ସହିତ ଆତଙ୍କବାଦ ପାଇଁ ଚଳାଇଥିବା ତା’ର ଭିତ୍ତିଭୂମି ବନ୍ଦ କରିବାକୁ ପଡ଼ିବ। ଦ୍ବିତୀୟତଃ, ବେଆଇନ ଭାବେ ଜବରଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କରିବାକୁ ପଡ଼ିବ। ତୃତୀୟତଃ, ପାକିସ୍ତାନରେ ଥିବା ସଂଖ୍ୟାଲଘୁଙ୍କ ପ୍ରତି ସାଙ୍ଘାତିକ ତଥା ନିରବଚ୍ଛିନ୍ନ ମାନବ ଅଧିକାର ଉଲ୍ଲଂଘନ  କାର୍ଯ୍ୟକଳାପ ବନ୍ଦ କରିବାକୁ ପଡ଼ିବ।