କୋଲକାତା: ଛେଳି ପାଇଁ ‌ଟ୍ରେନ ଟିକେଟ କିଣି ଚର୍ଚ୍ଚାରେ ମହିଳା। ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମନ କିଣିଲା ମହିଳାଙ୍କ ସଚ୍ଚୋଟ ପଣିଆ। ଘଟଣାଟି ପଶ୍ଚିମବଙ୍ଗରେ ଘଟିଥିବା ବେଳେ ମହିଳାଜଣକ ନିଜ ଛେଳିକୁ ନେଇ ଟ୍ରେନରେ ଯାତ୍ରା କରୁଥିଲେ। ଯେତେବେଳେ ଟିଟିଇ ଟିକେଟ ଚେକ୍ କରିବା ପାଇଁ ଆସିଥିଲେ, ସେତେବେଳେ ସେ ଟିକେଟ ଦେଖାଇଥିଲେ। ତାଙ୍କ ଛେଳି ପାଇଁ ବି ମହିଳାଜଣକ ଟିକେଟ କାଟିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଟିଟିଇ।

Advertisment

ଏବେ ଏହି ସମୟର ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ମନ କିଣିନେବା ଭଳି ହସ ଏବଂ ତାଙ୍କ ସଚ୍ଚୋଟତା ସମସ୍ତଙ୍କୁ ଭାବବିହ୍ବଳ କରିଛି। ଭିଡିଓକୁ ଆଇଏଏସ୍ ଅୱନିଶ ଶରନ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଥିବା ବେଳେ ଏବେ ତାହା ଭାଇରାଲ ହୋଇଛି।

ଏକ୍ସରେ ଭିଡିଓ ପୋଷ୍ଟ କରି ଆଇଏଏସ୍ ଅୱନିଶ କ୍ୟାପସନରେ ଲେଖିଛନ୍ତି ଯେ, "ସେ ତାଙ୍କ ଛେଳି ପାଇଁ ଟ୍ରେନ୍ ଟିକେଟ୍ କିଣିଥିଲେ ଏବଂ ଗର୍ବର ସହିତ ଏହାକୁ ଟିଟିଇକୁ କହିଥିଲେ। ତାଙ୍କ ହସକୁ ଦେଖନ୍ତୁ। ଚମତ୍କାର।" ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକେ ମହିଳାଙ୍କ ମନ କିଣିନେବା ଭଳି ହସ ଏବଂ ତାଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି।