ramnaguda ps member Photograph: (sambad.in)
ରାୟଗଡା:ଦିନେ ଆର୍ଥିକ ସମସ୍ୟା ଯୋଗୁଁ ମାଟ୍ରିକ ପରୀକ୍ଷା ପରେ ଡ୍ରପ ଆଉଟ ହୋଇଯାଇଥିଲେ । ଆଜି ନିଜେ ୩୩ ବର୍ଷ ବୟସରେ କଲେଜରେ ପାଠ ପଢ଼ିବା ସହ ଡ୍ରପ ଆଉଟ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରୁଛନ୍ତି ଜଣେ ସମିତି ସଭ୍ୟ । ଏଭଳି ପ୍ରେରଣାଦାୟକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକରେ । ସୂଚନାରୁ ଜଣାପଡିଛି ରାମନାଗୁଡା ବ୍ଲକ ବୁଟିଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଡିଗୁଡା ଗ୍ରାମର ସମିତି ସଭ୍ୟ ହେଉଛନ୍ତି ଆପ୍ପାରାଓ ପାତିକା । ସମିତି ସଭ୍ୟ ଆପ୍ପାରାଓଙ୍କ ଜୀବନୀ ସଂଘର୍ଷମୟ ହେବା ସହ ପ୍ରେରଣାଦାୟକ ମଧ୍ୟ । ଅପ୍ପାରାଓଙ୍କ ବାପା ସେ ୩ୟ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଆରପାରିକୁ ଚାଲିଯାଇଥିଲେ ।
୨୦୦୭ ମସିହାରେ ସେ ଯେତେବେଳେ ମାଟ୍ରିକ ପାସ କରି ଗୁଣପୁର ମହାବିଦ୍ୟାଳୟରେ ଯୁକ୍ତଦୁଇ ଜଏନ କରିଥିଲେ, ସେତେବେଳ ଅର୍ଥାଭାବ ଦେଖାଯାଇଥିଲା ବାଧ୍ୟ ହୋଇ ସେ ବର୍ଷେ ପାଠ ପଢ଼ି କଲେଜ ଯିବା ବନ୍ଦ କରିଦେଇଥିଲେ । ପୁଣିଥରେ ସେ ଗୁଣପୁର ମହାବିଦ୍ୟାଳୟରେ ୨୦୦୯ ମସିହାରେ ଯୁକ୍ତଦୁଇ ଜଏନ କରି ୨୦୧୧ରେ ୫୯% ମାର୍କ ଆଣି କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ସେ ଆଉ ଯୁକ୍ତ ୩ ପାଠ ପଢ଼ିବା ପାଇଁ ଅର୍ଥ ବାଧକ ହେବାରୁ ଆଉ କଲେଜରେ ଜଏନ ହୋଇପାରିନଥିଲେ । ଅର୍ଥାଭାବ ଯୋଗୁଁ ପାଠ ପଢ଼ିବାରୁ ବଞ୍ଚିତ ହୋଇଥିବାରୁ ଆପ୍ପାରାଓ ସଦାବେଳେ ସ୍ନାତକ ପଢ଼ିବା ପାଇଁ ସ୍ବପ୍ନ ଦେଖୁଥିଲେ କିନ୍ତୁ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ସେ ଚାଷ କାର୍ଯ୍ୟରେ ମନୋନିବେସ କରି ପାଠ ପଢ଼ିପାରିନଥିଲେ । ପାଠପଢ଼ା ଚିନ୍ତା ସବୁବେଳେ ତାଙ୍କୁ ଘାରୁଥିବାରୁ ସେ ପ୍ରଥମେ ଡ୍ରପ ଆଉଟ ହୋଇଯାଉଥିବା ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ଆରମ୍ଭ କରିଥିଲେ ।
ଆହୁରି ପଢନ୍ତୁ: Saptagiri Demand: ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ ଦାବି କଲେ ସପ୍ତଗିରି
୨୦୨୨ ପଞ୍ଚାୟତ ନିର୍ବାଚନରେ ସେ ସମିତିସଭ୍ୟ ରୂପେ ବିଜୟୀ ହୋଇ ନିୟମିତ ଭାବେ ରାମନାଗୁଡା ଯିବା ଆସିବା କରୁଥିଲେ । ପୁଣି ତାଙ୍କୁ ସ୍ନାତକ ପଢ଼ିବା ନିଶା ଘାରିଥିଲା ଏବଂ ଗତ ୨୦୨୪ ମସିହାରେ ସେ ରାମନାଗୁଡା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ସ୍ନାତକ ପଢ଼ିବା ପାଇଁ ନାମ ଲେଖାଇ ଅଧ୍ୟୟନ ଜାରି ରଖିଛନ୍ତି । ଏନେଇ ଶ୍ରୀ ଆପ୍ପାରାଓ କୁହନ୍ତି ପାଠ ପଢ଼ୁଥିବା ସମୟରେ ତାଙ୍କୁ ବିଭିନ୍ନ ନୂତନ ତଥ୍ୟ ଏବଂ ଜ୍ଞାନ ଆହାରଣ ବିଦ୍ୟାଳୟ ଏବଂ କଲେଜ ପଢ଼ୁଥିବା ବେଳେ ମିଳୁଥିଲା ଏବଂ ସେ ଜ୍ଞାନ ଆହାରଣ କରି ଉତ୍ସାହିତ ହେଉଥିଲେ ।
ଆହୁରି ପଢନ୍ତୁ: Flight: ସାଢେ ୪ ମାସପରେ ଉଡ଼ିବ ବିମାନ: ଫଳପ୍ରଦ ହେବ କି କାମଚଳା ନୀତି?
ଏବେ ସରକାର ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେଇଛନ୍ତି କିନ୍ତୁ କିଛି ସାମାଜିକ କାରଣ ଯୋଗୁଁ ଡ୍ରପ ଆଉଟ ସଂଖ୍ୟା ବଢ଼ୁଛି । ଏଣୁ ସେ ଡ୍ରପ ଆଉଟ ପିଲାଙ୍କୁ ବିଦ୍ୟାଳୟ ମୁହାଁଇବା ଜାରି ରଖିଛନ୍ତି । ଏନେଇ ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ କହିଛନ୍ତି ଆପ୍ପାରାଓ ଜଣେ ଆଦିବାସୀ ଯୁବକ କିନ୍ତୁ ସେ ଶିକ୍ଷାକୁ ସଦାବେଳେ ଗୁରୁତ୍ବ ଦେଇ ଅନ୍ୟ ମାନଙ୍କୁ ମଧ୍ୟ ଉତ୍ସାହିତ କରୁଛନ୍ତି ଏବଂ ନିଜ ଅଞ୍ଚଳରେ ଡ୍ରପ ଆଉଟ ପିଲାଙ୍କୁ ବିଦ୍ୟାଳୟ ମୁହାଁଉଛନ୍ତି । ଏନେଇ ରାମନାଗୁଡା ବିଡିଓ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ କହିଛନ୍ତି ଆପ୍ପାରାଓ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ସମାଜସେବା କ୍ଷେତ୍ରରେ ସର୍ବଦା ଆଗଧାଡିରେ ରହିଥାନ୍ତି ।
Follow Us