Textile Park Photograph: (Photo-Sambad.in)
ଭଦ୍ରକ(ହରିହର ନାୟକ): ୩୫ ବର୍ଷ ତଳେ ଭଦ୍ରକରେ ଏକ ଚିନି କଳ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା। ଧରଣୀ ସୂଗାର ପକ୍ଷରୁ ଚିନି କଳ ପ୍ରତିଷ୍ଠା ପାଇଁ ଇଡକୋ ଜରିଆରେ ଜମି ଅଧିଗ୍ରହଣ କରାଯାଇଥିଲା। ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକଠାରେ ୨୫୦ ଏକର ଜମି ଅଧିଗୃହୀତ ହୋଇଥିଲା। ଜମି ଅଧିଗ୍ରହଣ ପରେ ଧରଣୀ ସୁଗାର ଏହି ଜମି ଉପରେ ଚିନି କଳ କରିବ ନାହିଁ ବୋଲି ମୁହଁ ମୋଡ଼ି ଦେଲା। ସେହିଦିନ ଠାରୁ ଅଧିଗୃହୀତ ଚିନି କଳ ଜମି ଉପରେ ଆଉ ଶିଳ୍ପ ପ୍ରତିଷ୍ଠା ହୋଇପାରି ନାହିଁ। ଏହି ଜମି ଅଧିଗ୍ରହଣ ଓ ଚିନି କଳ ପ୍ରତିଷ୍ଠାର ସ୍ଵପ୍ନ ଥିଲା କଂଗ୍ରେସ ସରକାର ସମୟର । ରାଜ୍ୟରେ କଂଗ୍ରେସ କ୍ଷମତାରୁ ଯିବା ପରେ ବିଜେଡି ଓଡ଼ିଶାରେ କ୍ଷମତାକୁ ଆସିଲା। ବିଜେଡି କ୍ଷମତାକୁ ଆସିବା ପରେ ଚିନି କଳ ଜମିକୁ ନେଇ ଫୁଡ ପାର୍କ କରିବ ବୋଲି ଘୋଷଣା କଲା। ମାତ୍ର କଂଗ୍ରେସ ପରି ବିଜେଡି ମଧ୍ୟ ଏଠାରେ ଫୁଡ଼ ପାର୍କ ପ୍ରତିଷ୍ଠା କରି ପାରିଲା ନାହିଁ। ବିଜେଡି ରାଜ୍ୟରେ କ୍ଷମତାରେ ଥାଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଲା। ସେତେବେଳେ କେନ୍ଦ୍ର ସରକାର ଭଦ୍ରକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କଲେ।
ରାଜ୍ୟ ସରକାର ୫୬ ଏକର ଜମି ଯୋଗାଇ ଦେଲେ | ଭଦ୍ରକ ଜିଲ୍ଲାରେ ଆଇଓସିଏଲ ପକ୍ଷରୁ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରିବା ପାଇଁ ସେତେବେଳର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କଲେ। ରାଜ୍ୟ ସରକାର ଇଡକୋ ଅଧିଗୃହୀତ ଚିନି କଳ ଜମିରୁ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେଲେ । ଜମି ଯୋଗାଇବା ପରେ ଇଡକୋ ପକ୍ଷରୁ ଏହି ଜମି ଚାରି ପାଖରେ ପାଚେରୀ ନିର୍ମାଣ କଲେ। ରାସ୍ତା ନିର୍ମାଣ କଲେ। ଏହି କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଗଲା। କିନ୍ତୁ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରି ପାରିଲେ ନାହିଁ। ଉଲ୍ଲେଖ ଥାଉ କି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା, ମେଡ଼ିକାଲ କଲେଜ ଓ ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟ ଘୋଷଣା କରିବାର ସ୍ବପ୍ନ ଦେଖାଇ ବିଜେପି ଭଦ୍ରକ ଜିଲ୍ଲାରେ ଖାତା ଖୋଲିଥିଲା। ପ୍ରଥମେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଜେପି ବିଜେପି ବିଧାୟକ ବିଷ୍ଣୁ ସେଠୀ ବିଜୟୀ ହୋଇଥିଲେ ।
ଆହୁରି ପଢନ୍ତୁ: Smriti Mandhana Wedding: ଏହି ବଲିଉଡ ପରିବାରର ବୋହୂ ହେବେ କ୍ରିକେଟର ସ୍ମୃତି ମନ୍ଧାନା
ପରେ ତାଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୁରଜ ଉପ ନିର୍ବାଚନ କେନ୍ଦ୍ରର ସେହି ଘୋଷଣାକୁ ନେଇ ବିଜୟୀ ହେଲେ। ପରେ ୨୦୨୪ ନିର୍ବାଚନରେ ଭଦ୍ରକ ଜିଲ୍ଲାବାସୀ ବିଜେଡିର ପ୍ରତାରିତ ଶାସନ ବ୍ୟବସ୍ଥାରେ ଅତିଷ୍ଠ ହୋଇ କେନ୍ଦ୍ରରେ ପରିଚାଳିତ ବିଜେପି ସରକାରଙ୍କ ଉପରେ ଭରସା କରି ଜିଲ୍ଲାରେ ଭଦ୍ରକ ଲୋକସଭା, ଭଦ୍ରକ ଓ ଧାମନଗର ବିଧାନ ସଭାରେ ବିଜେପିକୁ ଜିତାଇବାରେ ସହାୟକ ହେଲେ। ବିଜେପି ସାରା ରାଜ୍ୟ ଓ କେନ୍ଦ୍ରରେ ପୁଣି କ୍ଷମତାକୁ ଆସିଲା। ହେଲେ ଭଦ୍ରକ ଜିଲ୍ଲାର ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହୋଇପାରିଲା ନହିଁ। ବିଜେପି କ୍ଷମତାକୁ ଆସିବାର ୫୦୦ ଦିନ ବିତିଯାଇଛି। ମାତ୍ର ଭଦ୍ରକ ଜିଲ୍ଲାର ପ୍ରମୁଖ ଦାବି ଗୁଡ଼ିକ ଉପରେ ବିଜେପି ସରକାର କୌଣସି ପଦକ୍ଷେପ ନେଇ ନାହିଁ। ଯାହାକୁ ନେଇ ସରକାରଙ୍କ ଉପରେ ଭଦ୍ରକ ଜିଲ୍ଲାବାସୀଙ୍କର ଭରସା ତୁଟି ଯାଉଛି। ଲୋକଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି। ଆନ୍ଦୋଳନ ପାଇଁ ପୁଣି ଲୋକେ ସଜବାଜ ଆରମ୍ଭ କରୁଛନ୍ତି।
ଆହୁରି ପଢନ୍ତୁ: APP Safety :ଆପଣଙ୍କ ମୋବାଇଲରେ ଆକ୍ଟିଭ ନାହିଁ ତ ଏହି ସେଟିଂ! ଥରେ ଚେକ କରିଦିଅନ୍ତୁ
ଗତ ୩୫ ବର୍ଷ ଧରି କେବଳ ଘୋଷଣା, ଯୋଜନା ଏବଂ ଜମି ହସ୍ତାନ୍ତର ପ୍ରକ୍ରିୟାରେ ଅଟକି ରହିଛି ଭଦ୍ରକର ଧାମନଗର ଛକର ପ୍ରସ୍ତାବିତ ଟେକ୍ସଟାଇଲ ପାର୍କ । ୧୯୯୫ ମସିହାରେ ଭଦ୍ରକ ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥ ସୀମାକୁ ଲାଗି ଧାମନଗର ଛକ ନିକଟରେ ଘରୋଇ ଲୋକଙ୍କର ୨୯୬ .୭୧ ଏକର ପରିମିତ ମୂଲ୍ୟବାନ ଚାଷ ଜମିକୁ ଇଡକୋ ଜରିଆରେ ଅଧିଗ୍ରହଣ କରାଯାଇଥିଲା। ଏହି ଜମି ସହିତ ୧୭୨୬ ଏକର ସରକାରୀ ଜମି ଯାହା ପଡିଆ, ଗୋଚର ଓ ଜଙ୍ଗଲ କିସମର ଜମିକୁ ମଧ୍ୟ ଅଧିଗ୍ରହଣ କରାଯାଇଥିଲା । ଏହି ଜମିରେ ପାଚେରି ନିର୍ମାଣ ପାଇଁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଖର୍ଚ କରାଯାଇଛି। ଜମି ଅଧିଗ୍ରହଣ ହେବା ପର ଠାରୁ ଏହି ଜମି ପଡ଼ିଆ ପଡ଼ିଛି।
Follow Us