Government plane carrying cash crashes Photograph: (SAMBAD.IN)
ଲାପେଜ୍: ବଲିଭିଆର ପ୍ରଶାସନିକ ରାଜଧାନୀ ଲା ପେଜ୍ ନିକଟସ୍ଥ ଏଲ୍ ଆଲ୍ଟୋରେ ଏକ ବିମାନ ଦୁର୍ଘଟଣାଘଟିଛି। ସୂଚନା ଅନୁଯାୟୀ, ଖରାପ ପାଗ ମଧ୍ୟରେ ବଲିଭିଆନ୍ ବାୟୁସେନାର ଏକ ହର୍କୁଲିସ୍ କାର୍ଗୋ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଦେଶର ଅନ୍ୟ ସ୍ଥାନରେ ପହଞ୍ଚାଇବା ପାଇଁ ନୂଆ ନୋଟ୍ ବହନ କରୁଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଭାରସାମ୍ୟ ହରାଇ ରାଜପଥ ନିକଟରେ ଏକ ବ୍ୟସ୍ତବହୁଳ ରାସ୍ତାରେ ବିମାନଟି ଖସି ପଡ଼ିଥିଲା।
ଧକ୍କାରେ ୧୫ରୁ ଅଧିକ ଯାନ କ୍ଷତିଗ୍ରସ୍ତ ହୋଇଥିଲା
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିମାନଟି ରନୱେରୁ ଖସି ସହର ଆଡକୁ ମୁହାଁଇଥିଲା। ରାସ୍ତାରେ ଥିବା ଅନେକ ଯାନବାହନ ସହିତ ଧକ୍କା ହୋଇଥିଲା। ଧକ୍କାରେ ୧୫ରୁ ଅଧିକ ଯାନ କ୍ଷତିଗ୍ରସ୍ତ ହୋଇଥିଲା। ପାର୍କିଂ ହୋଇଥିବା କାରଗୁଡ଼ିକ ଭାଙ୍ଗିରୁଜି ଯାଇଥିଲା। ଅଧିକାରୀମାନେ ନିଶ୍ଚିତ କରିଛନ୍ତି , ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ବିମାନରେ ଥିଲେ କି ରାସ୍ତାରେ ଥିଲେ ତାହା ସ୍ପଷ୍ଟ ହୋଇନାହିଁ।
ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣା ଯୋଗୁ ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଥିଲା।
NIT Researcher ସଡ଼କ ଦୁର୍ଘଟଣା ରୋକିବ ସ୍ମାର୍ଟ୍ ବ୍ୟବସ୍ଥା, ବିକଶିତକଲେ ଏନ୍ଆଇଟି ଗବେଷକ
ଦୁର୍ଘଟଣା ପରେ ବିମାନର ନୂଆ ନୋଟ୍ଗୁଡ଼ିକ ରାସ୍ତାରେ ବିଛାଡ଼ି ହୋଇ ପଡ଼ିଥିଲା। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ ଶହ ଶହ ଲୋକ ଘଟଣାସ୍ଥଳକୁ ଧାଇଁ ଆସି ତଳେ ପଡ଼ିଥିବା ନୋଟ୍ଗୁଡ଼ିକୁ ଉଠାଇ ନେଉଥିବାର ଦେଖାଯାଉଛି। ପୁଲିସ ଭିଡ଼କୁ ଘଉଡ଼ାଇବା ପାଇଁ ବହୁ ଚେଷ୍ଟା କରି ସେମାନଙ୍କ ଉପରେ ୱାଟର କ୍ୟାନନ୍ରୁ ପାଣି ମାଡ଼ କରିଥିଲା। ଅଧିକାରୀମାନେ ଲୋକମାନଙ୍କୁ ଘଟଣାସ୍ଥଳରୁ ଦୂରରେ ରହିବାକୁ ଏବଂ ଉଦ୍ଧାର କାର୍ଯ୍ୟରେ ବାଧା ନ ଦେବାକୁ ଅନୁରୋଧ କରିଥିଲେ।
ଦୁର୍ଘଟଣା ପରେ ଏଲ୍ ଆଲ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା । ଜାତୀୟ ବିମାନ କମ୍ପାନି ବୋଲିଭିଆନା ଡି ଆଭିଏସିୟନ୍ ଏକ ବିବୃତି ଜାରି କରି ସ୍ପଷ୍ଟ କରିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନ ନୌବାହିନୀର ଅଂଶ ନୁହେଁ।
Follow Us