ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାର ବିଚାରଣା ଆରମ୍ଭ ହୋଇଛି। ଏଣୁ ଏହି ମାମଲାରେ ଅଭିଯୁକ୍ତ ଥିବା ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ କୋର୍ଟରେ ହାଜର ହୋଇଛନ୍ତି। ସାଂସଦ ଓ ବିଧାୟକଙ୍କ ପାଇଁ ରହିଥିବା ସ୍ବତନ୍ତ୍ର କୋର୍ଟ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌(ଗ୍ରାମାଞ୍ଚଳ) ଜୁଏଲ୍‌ ପଟ୍ଟନାୟକଙ୍କ କୋର୍ଟରେ ବିଚାରଣା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ ଦୁଇଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। 

Advertisment

ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ଟଙ୍କା ଠକେଇ ମାମଲା ଜିଆର୍‌-୨୨୨୫/୨୦ର ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ଜିଆର୍‌-୬୨/୨୧ର ଏତଲାକାରୀ ପ୍ରଭାତ ନାୟକ ନିଜର ସାକ୍ଷ୍ୟ ଦେଇଥିଲେ। ଉଭୟେ ତାଙ୍କ ବୟାନରେ କହିଥିଲେ ଯେ, ସେ ସମୟରେ ଚାପ ଦେଇ ମାମଲା ରୁଜୁ କରିବାକୁ ବାଧ୍ୟ କରାଯାଇଥିଲା। ବିଜେଡିର କିଛି ନେତା, ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ କଥାରେ ପଡ଼ି ପ୍ରଦୀପଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ପ୍ରଦୀପଙ୍କୁ ଆମେ କୌଣସି ଟଙ୍କା ଦେଇ ନାହୁଁ ବୋଲି ଉଭୟ ଏତଲାକାରୀ ତାଙ୍କର ବୟାନ୍‌ରେ କହିଥିବା ସାଂସଦଙ୍କ ଓକିଲ ଦୀପକ ପଟ୍ଟନାୟକ ଓ ଅସିତ ଶତପଥୀ କହିଛନ୍ତି।

871a55e2-3f9c-4099-a189-2c25642bdaab

ଏହି ଖବର ପଢ଼ନ୍ତୁ: ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ

ବିଚାରଣା ଆରମ୍ଭ ହେବା କ୍ଷଣି ଏତଲାକାରୀଙ୍କ ଏଭଳି ବୟାନ୍‌ ମାମଲାର ସତ୍ୟତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ପ୍ରକାଶ ଥାଉ କି ପୂର୍ବରୁ ଏହି ଦୁଇଜଣଙ୍କ ସମେତ ୪ଜଣ ଏତଲାକାରୀ ଗତ ମେ’ ମାସରେ କୋର୍ଟରେ ସତ୍ୟପାଠ ଦାଖଲ କରି ମାମଲା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ।

ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ କରିବା ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସାଂସଦ ପ୍ରଦୀପଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର୍‌ ଥାନାରେ ମାମଲା ରୁଜୁ ହୋଇଥିଲା। ଅଧିକ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗତ ୨୦୨୦ ନଭେମ୍ବର ମାସରେ ବ୍ରହ୍ମପୁର ଆସିଥିଲା। 

ଏହି ଖବର ପଢ଼ନ୍ତୁ: କାନାଡାରୁ ଆସିଥିଲା ଧମକପୂର୍ଣ୍ଣ ମେଲ୍‌

ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ୪ଟି ମାମଲା ଗୋଳନ୍ଥରା ଥାନା (ଜିଆର୍‌ ନମ୍ବର-୨୨୨୫/୨୦, ୨୨୬୮/୨୦, ୬୨/୨୧, ୬୭୮/୨୧)ରେ ରୁଜୁ ହୋଇଥିବା ବେଳେ ଗୋଟିଏ ବୈଦ୍ୟନାଥପୁର ଥାନା (ଜିଆର୍‌ ନମ୍ବର-୫୧୧/୨୧)ରେ ରୁଜୁ ହୋଇଥିଲା। ସମସ୍ତ ମାମଲାର ଚାର୍ଜଫ୍ରେମ ସରିବା ପରେ ଆଜିଠାରୁ ବିଚାରଣା ଆରମ୍ଭ ହୋଇଛି। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାର ବିଚାରଣା ଆରମ୍ଭ ହୋଇଥିବା ବେଳେ ସାଂସଦ ପ୍ରଦୀପ ଆଜି କୋର୍ଟରେ ହାଜର ହୋଇଥିଲେ।

ଏହି ଖବର ପଢ଼ନ୍ତୁ: ଓଡ଼ିଶା ପାଇଁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ