miscreants burn auto at balipatna Photograph: (sambad.in)
ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଧୀନ ଶେଖପାଟଣା ବଜାରରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପାସେଞ୍ଜର ଅଟୋରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇ ଯାଇଛି | କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହେଉଛି | ଅଟୋ ଚଳାଇ ପରିବାର ଗୁଜୁରାଣ ମେଣ୍ଟାଉଥିବା ଚାଳକ ଶେଖପାଟଣାର ନାରାୟଣ ସାହୁ ଦୁଃଖରେ ଭାଙ୍ଗି ପଡିଛନ୍ତି | ଡ୍ରାଇଭର ମହାସଂଘ ଉପସ୍ଥିତି ରେ ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |
ସୂଚନା ଅନୁସାରେ, ବନମାଳୀପୁର ଶେଖପାଟଣାର ନାରାୟଣ ସାହୁ ୯ ବର୍ଷ ତଳେ ଗୋଟିଏ ପାସେଞ୍ଜର ଅଟୋ କିଣିଥିଲେ | ଗାଡ଼ି ନଂ ଓଡି ୧୧ ଇ ୪୫୭୯ ରେ ବନମାଳୀପୁର ରୁ ଭୁବନେଶ୍ୱର ଯାତ୍ରୀ ଏବଂ ସାମଗ୍ରୀ ନେବା ଆଣିବା କରୁଥିଲେ | ଅଟୋରୁ ଯାହା ରୋଜଗାର ହୁଏ ସେଥରେ ନାରାୟଣଙ୍କ ପତ୍ନୀ ଓ ୩ ଝିଅଙ୍କୁ ମିଶାଇ ପରିବାରରେ ୫ ପ୍ରାଣୀ କୁଟୁମ୍ବଙ୍କ ଗୁଜୁରାଣ ମେଣ୍ଟାଉଥିଲେ |
ଗତକାଲି ଅଟୋ ଭଡା ପରେ ରାତିରେ କୁଶଭଦ୍ରା ନଦୀବନ୍ଧ ତଳ ଶେଖପାଟଣା ମା ବାସୁଳେଇଙ୍କ ମନ୍ଦିର ନିକଟ ରାସ୍ତାକଡ଼ରେ ସବୁଦିନ ଭଳି ଅଟୋ ରଖି ଘରକୁ ଚାଲି ଯାଇଥିଲେ | ରାତି ପ୍ରାୟ ସାଢେ ଗୋଟେରେ ଅଟୋରେ ନିଆଁ ଲାଗି ଜଳୁଥିବା ଦେଖି ଜନୈକ ସ୍ଥାନୀୟ ବ୍ୟକ୍ତି ନାରାୟଣଙ୍କୁ ଜଣାଇଥିଲେ | ସେ ଆସିବା ବେଳକୁ ଅଟୋ ହୁ ହୁ ହୋଇ ଜଳୁଥିଲା | ଅଟୋ ସାରା ନିଆଁ ବ୍ୟାପି ଭୟଙ୍କର ରୂପ ନେଇଥିଲା | ଫଳରେ ନିଆଁ ଲିଭାଇବା ସମ୍ଭବ ହୋଇ ନ ଥିଲା | କିଛି କ୍ଷଣ ଭିତରେ ଅଟୋଟି ସମ୍ପୂର୍ଣ ଜଳି ପାଉଁଶ ହୋଇ ଯାଇଥିଲା |
ଆହୁରି ପଢ଼ନ୍ତୁ: procession sundargarh jatra ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ଯତରା ଏବଂ ସୁଭଦ୍ରା ଶକ୍ତି ମେଳା ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ସହର
ଦୁବୃତ୍ତଙ୍କୁ କାବୁ କରିବାକୁ ଡ୍ରାଇଭର ମହାସଂଘ ତରଫରୁ ଦାବି
ଆଜି ସକାଳୁ ନାରାୟଣ ସ୍ଥାନୀୟ ଡ୍ରାଇଭର ମହାସଂଘର ସହଯୋଗ ଲୋଡ଼ିଛନ୍ତି | ଅଟୋ ପୋଡ଼ି ପାଉଁଶ ହୋଇ ଯିବା ପରେ ନାରାୟଣ ରୋଜଗାର ହରାଇ ବେସାହାରା ହୋଇ ପଡିଛନ୍ତି | ପୁଲିସ ତୁରନ୍ତ ଦୁବୃତ୍ତଙ୍କୁ କାବୁ କରିବାକୁ ଡ୍ରାଇଭର ମହାସଂଘ ତରଫରୁ ଦାବି ହୋଇଛି |
Follow Us