No hope for Esic Medical College Rourkela Photograph: (sambad.in)
ରାଉରକେଲା: ପୁଣିଥରେ ଉପେକ୍ଷିତ ହୋଇଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା। ଏଠାକାର ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଆଦୌ ଦୃଷ୍ଟି ଦିଆଯାଉନି। ସୁନ୍ଦରଗଡ଼ ଜିଲ୍ଲା, ବିଶେଷକରି ରାଉରକେଲାରେ ନୂଆ ମେଡିକାଲ କଲେଜ ଓ ହସପିଟାଲ ଏକ ଆବଶ୍ୟକତା ନୁହେଁ, ବରଂ ଅନିବାର୍ଯ୍ୟ ହେଲାଣି। ଏହାସତ୍ତ୍ବେ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେଉନାହାନ୍ତି। ରାଜ୍ୟରେ ସରକାର ବଦଳିବାପରେ ମଧ୍ୟ ରାଉରକେଲାର ଭାଗ୍ୟ ଫିଟିପାରୁନି। ସେହିଭଳି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ମଧ୍ୟ ବଳବତ୍ତର। ନ୍ୟାଯ୍ୟ ଦାବି ସତ୍ତ୍ବେ ରାଉରକେଲାରେ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ ପାଇଁ କେନ୍ଦ୍ର ସରକାର ଯୋଗ୍ୟ ଭାବୁନାହାନ୍ତି। ଅପରପକ୍ଷରେ ୧୮ରୁ ଅଧିକ ମେଡିକାଲ କଲେଜ ଓ ହସପିଟାଲ ଥିବା ଭୁବନେଶ୍ବରକୁ ପୁନର୍ବାର ପ୍ରାଥମିକତା ଦେଇଛନ୍ତି।
ଚଳିତ ୨୦୨୬/୨୭ ଆର୍ଥିକ ବର୍ଷରେ ଦେଶରେ ୧୦ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ଶ୍ରମ ଓ କର୍ମ ନିୟୋଜନ ମନ୍ତ୍ରାଳୟ ଅନ୍ତର୍ଗତ ଇଏସ୍ଆଇସି ମେଡିକାଲ ଏଜୁକେସନ ସେଲ୍ ପକ୍ଷରୁ ଘୋଷଣା କରାଯାଇଥିଲା। ସମସ୍ତ ମାନଦଣ୍ଡ ପୂରଣ କରୁଥିବାରୁ ଏଥର ରାଉରକେଲାକୁ ନ୍ୟାୟ ମିଳିବାନେଇ ଆଶା ସଞ୍ଚାର ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର କ୍ରମାଗତ ଅଣଦେଖାକୁ ଜାରିରଖି ଏଥର ମଧ୍ୟ ରାଉରକେଲାକୁ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ରଖିଛନ୍ତି। ଗତ ୧୪ ତାରିଖରେ ଇଏସ୍ଆଇସି ପ୍ରକାଶିତ ବିଜ୍ଞପ୍ତିରେ ୫୦ ଶଯ୍ୟା ବିଶିଷ୍ଟ୧୦ଟି ନୂତନ ମେଡିକାଲ କଲେଜ ତାଲିକାରେ ରାଉରକେଲା ପରିବର୍ତ୍ତେ ଭୁବନେଶ୍ବରକୁ ସ୍ଥାନିତ କରାଯାଇଛି। ଗତ ଜୁନ ୨୭ ତାରିଖରେ ୧୯୬ତମ ଇଏସ୍ଆଇସି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ଭୁବନେଶ୍ବର ସମେତ ମୋଟ ୧୦ଟି ସ୍ଥାନରେ ମେଡିକାଲ କଲେଜ ସ୍ଥାପନ ପାଇଁ ସୈଦ୍ଧାନ୍ତିକ ଅନୁମୋଦନ ଦିଆଯାଇଛି। ରାଉରକେଲାକୁ ଅଣଦେଖା କରାଯାଇଥିବାରୁ ଜିଲ୍ଲାର ପ୍ରାୟ ୨ ଲକ୍ଷ ବୀମାଧାରୀ ପୁଣିଥରେ ଉପେକ୍ଷିତ ହେବା ଜଳଜଳ। ଏନେଇ ସହରରେ ଅସନ୍ତୋଷ ବ୍ୟାପକ ହେବାସହ ବିଭିନ୍ନ ସାମାଜିକ, ସ୍ବେଚ୍ଛାସେବୀ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ ହେଲେଣି।
ରାଉରକେଲା ଆକ୍ସନ କମିଟିର ବିକ୍ଷୋଭ
କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳାକୁ କଡ଼ା ସମାଲୋଚନା କରିଛି ଇଏସ୍ଆଇସି ମେଡିକାଲ କଲେଜ ରାଉରକେଲା ଆକ୍ସନ କମିଟି। ଏହାକୁ ପ୍ରତିବାଦକରି ଆକ୍ସନ କମିଟି ନେତୃତ୍ବରେ ବିଶ୍ରା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉଦ୍ବୋଧନରେ କର୍ମକର୍ତ୍ତା କହିଲେ, ଏହି ନ୍ୟାଯ୍ୟ ଦାବିକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସମର୍ଥନକରି ଦୁଇ ଦୁଇ ଥର ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସହ ୨୦୦୯ ମସିହାରୁ ଏନେଇ ସହରବାସୀ ଦାବି କରିଆସୁଛନ୍ତି। କିନ୍ତୁ ରାଉରକେଲାବାସୀଙ୍କୁ ଜାଣିଶୁଣି ଉନ୍ନତମାନର ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରଖାଯାଉଛି। ଭୁବନେଶ୍ବରରେ ପୂର୍ବରୁ ୧୪ରୁ ଅଧିକ ଇଏସ୍ଆଇସି ସହବନ୍ଧିତ ହସପିଟାଲ ଓ ୨୨ରୁ ଅଧିକ ମେଡିକାଲ କଲେଜ ରହିଛି।
ଆହୁରି ପଢ଼ନ୍ତୁ: Naxal: ନକ୍ସଲ ସଫା ନେଇ କାଉଣ୍ଟଡାଉନ ଆରମ୍ଭ; ଯବାନଙ୍କ ଟାର୍ଗେଟରେ ମାଓ ନେତା ପାପା ରାଓ
ଅପରପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ବୀମାଧାରୀ ଥିବାସତ୍ତ୍ବେ ସେମାନଙ୍କୁ ଉତ୍କୃଷ୍ଟମାନର ସ୍ବାସ୍ଥ୍ୟସେବା ଯୋଗାଇବାକୁ ପ୍ରୟାସ କରାଯାଉନି। ଏଭଳି ଅନ୍ୟାୟ ବିରୋଧରେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ। ଦାବି ପୂରଣ ନହେଲେ ରେଳ ରୋକୋ କରାଯିବାସହ ରାଉରକେଲା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।
Follow Us