Question mark on Police Investigation Photograph: (sambad.in)
କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁର ଅଭିଯୁକ୍ତ ଶାନ୍ତନୁ ବେହେରା(୪୫) ସାଢ଼େ ୩ ବର୍ଷରେ ମାତ୍ର ୩ କିଲୋମିଟର ଦୂରତାରେ ସମାନ ଅସ୍ତ୍ର ଓ ଢଙ୍ଗରେ ୨ଟି ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ସାଧାରଣରେ ଆଲୋଡ଼ନର କାରଣ ହୋଇଛି। ସ୍ନାତକ ଡିଗ୍ରିଧାରୀ ଅଭିଯୁକ୍ତର ଏତାଦୃଶ ଅମାନୁଷିକତାକୁ ନେଇ ତା’ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୁକିନ୍ଦା ଲେମ୍ବୋ ପଞ୍ଚାୟତ ମାଟିଗାଡ଼ିଆ ଗାଁରୁ ପୁଲିସ ଗତ ୨୨ ସକାଳ ସେହି ଗାଁର ସାଇକଲ ମେକାନିକ୍ ଦଶରଥ ବେହେରାଙ୍କ ଗଳାକଟା ମୃତଦେହ ଉଦ୍ଧାର କରିଥିଲା। ମୃତକଙ୍କ ପୁଅ ଅଶୋକ ଏତଲା ଦେଇଥିଲେ। ଏସ୍ପି ଯଶ ପ୍ରତାପ ଶ୍ରୀମଲଙ୍କ ପରାମର୍ଶରେ କଳିଙ୍ଗନଗର ଏଏସ୍ପି ସୁପ୍ରସନ୍ନ ମଲ୍ଲିକ ଓ ଥାନା ଅଧିକାରୀ ବିଲ୍ବ ମଙ୍ଗଳ ସେଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୂର୍ବଦିନ ରାତିରେ ଦଶରଥ ଓ ଅଭିଯୁକ୍ତ ଶାନ୍ତନୁ କଥା ହେଉଥିବା ସୂଚନା ଆଧାରରେ ଆରମ୍ଭରୁ ପୁଲିସ ତଦନ୍ତ ଏହି ଜେଲ୍ ଫେରନ୍ତା ଶାନ୍ତନୁ ବେହେରା ଉପରେ ନିବିଷ୍ଟ ଥିଲା। ଶାନ୍ତନୁ ମୋବାଇଲ୍ ସୁଇଚ୍ଅଫ୍ କରି ଫେରାର୍ ହୋଇଯାଇଥିଲା। ତୁରନ୍ତ ପୁଲିସ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇ ଛାନଭିନ୍ କରାଯାଇଥିଲା। ଚାଲିଚାଲି ଯାଉଥିବା ବେଳେ ଟମକା ଥାନା ଦୁର୍ଗାପୁର ଜଙ୍ଗଲ ପାଖରେ ଶାନ୍ତନୁ ଧରାପଡ଼ିଥିଲା।
ଅଧିକପଢ଼ନ୍ତୁ:ସାରଣ୍ଡା ଘଟଣାକୁ ନେଇ ନକ୍ସଲ ସଂଗଠନର ବଡ଼ ଦାବି, ଏନକାଉଣ୍ଟର ଫର୍ଜି
ଅଭିଯୁକ୍ତ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ସେ ଅପରାଧ ସ୍ବୀକାର କରିଥିଲା। ପୁଲିସ ତାକୁ ଘଟଣାସ୍ଥଳକୁ ନେଇ ପୁନଃଦୃଶ୍ୟାୟନ କରାଇଥିଲା। ଗୁପ୍ତ ସ୍ଥାନରୁ ହତ୍ୟାରେ ବ୍ୟବହୃତ କଟୁରି ସେ ପୁଲିସକୁ ଦେଖାଇଥିଲା। ଗତକାଲି ତାକୁ କେସ୍ ନମ୍ବର ୧୬/୨୬ ଓ ଦଫା ୧୦୩(୧) ଆଧାରରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତ ପଠାଯାଇଛି। ଏଥର ଅଭିଯୁକ୍ତ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।
ଅଧିକପଢ଼ନ୍ତୁ:ଆରପାରିରେ ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର୍
ଶାନ୍ତନୁ ବିବାହିତ, ତା’ର ୨ ପୁଅ ଅଛନ୍ତି। ଉଗ୍ର ସ୍ବଭାବରୁ ପତ୍ନୀ ସ୍ବାମୀଙ୍କୁ ଛାଡ଼ି ବାପଘରେ ରହିଆସୁଛନ୍ତି। ୪ ବର୍ଷ ତଳେ ଗାଁରେ ସାଧୁବେଶରେ ବୁଲୁଥିବା ମହାରାଷ୍ଟ୍ରର ମାଣିଆ ବାବରଙ୍କ ସହ ଶାନ୍ତନୁର ଭେଟ ହୁଏ। ପତ୍ନୀଙ୍କୁ ବଶୀକରଣ ପାଇଁ ମାଣିଆ ତାଙ୍କୁ କିଛି ରତ୍ନପଥର ଓ ତାବିଜ ଦେଇଥିଲେ। ହେଲେ ଏସବୁ ଅକାମୀ ହୋଇଥିଲା। ୨୦୨୨ ମସିହା ସେପ୍ଟେମ୍ବର ୨ ତାରିଖରେ ସେହି ସାଧୁବେଶୀ ମାଣିଆଙ୍କୁ ଦେଖି ଶାନ୍ତନୁ ନିଜ ତିକ୍ତ ଅନୁଭୂତି ଦର୍ଶାଇ ଟଙ୍କା ଫେରସ୍ତ ମାଗିଥିଲା। ଟଙ୍କା ନଫେରାଇବାରୁ ପଞ୍ଚାୟତ ଅଫିସ ସମ୍ମୁଖରେ ଥିବା ସହଦେବ ମହାନ୍ତଙ୍କ ଦୋକାନ ପାଖରେ ମାଣିଆଙ୍କୁ ଦିନ ଦ୍ବିପ୍ରହରରେ କଟୁରିରେ ହାଣି ହତ୍ୟା କରିଥିଲା। ହେଲେ ଗତ ଜୁନ ମାସରେ ତାକୁ ଜାମିନ ମିଳିଯାଇଥିଲା। ଉକ୍ତ ହତ୍ୟାକାଣ୍ଡର ଦୃଶ୍ୟ ଗ୍ରାମବାସୀଙ୍କ ମନରୁ ଯାଇନଥିବାରୁ ସେ ନିଜ ଗାଁକୁ ନଫେରି ମାଟିଗାଡ଼ିଆସ୍ଥିତ ଭଉଣୀ ଘରେ ରହୁଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳରେ କାମ କରୁଥିଲା। ପାଖାପାଖି ରହୁଥିବା ଭଉଣୀର ଦେଢ଼ଶୂର ପୁଅ ମୃତକ ଦଶରଥ ଓ ହତ୍ୟାକାରୀ ଶାନ୍ତନୁ ସଂପର୍କରେ ମାମୁ’ଭଣଜା। ଘଟଣାଦିନ ଶାନ୍ତନୁ ଆନ୍ଧ୍ରପ୍ରଦେଶ ଯିବା ଯୋଜନା କରିଥିଲା। ଏଥିପାଇଁ ଦଶରଥଙ୍କୁ ଟଙ୍କା ଉଧାର ମାଗିଥିଲା। ଏକାଧିକ ବାର ସମ୍ମତି ସତ୍ତ୍ବେ ସେ ଟଙ୍କା ଦେଇନଥିଲେ। ୨୧ ତାରିଖ ରାତି ମଦ ଓ ଭୋଜି ଲୋଭ ଦେଖାଇ ଦଶରଥଙ୍କୁ ଶେଯରୁ ଉଠାଇ ଡାକି ନେଇଥିଲା। ହତ୍ୟାକାଣ୍ଡ ଭିଆଇ ଭଉଣୀଘରକୁ ଆସି ଶୋଇପଡ଼ିଥିଲା। ପୁଲିସ ପହଞ୍ଚିବା ପୂର୍ବରୁ ଖସି ପଳାଇଥିଲା।
Follow Us