theft from house of teacher Photograph: (sambad.in)
ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜନୈକ ଶିକ୍ଷକ ନିଜ ଶ୍ୱଶୁର ଘରକୁ ଯାଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ଘର ତାଲା ଭାଙ୍ଗି ସର୍ବସ୍ବ ଲୁଟିନେଲେ ଦୁର୍ବୃତ୍ତ l ଆନୁମାନିକ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନାରୁପା ଅଳଙ୍କାର ସମେତ ଆସବାବପାତ୍ର ଓ ନଗଦ ୧୭ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ l ଅଞ୍ଚଳରେ ଏହିଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ସ୍ଥାନୀୟ ପୁଲିସର କାର୍ଯ୍ୟକାରିତାକୁ ନେଇ ଅସନ୍ତୋଷ ଝାଡ଼ିଲେ ଅଞ୍ଚଳବାସୀ l
ସୂଚନା ଅନୁଯାୟୀ, ଦୁର୍ଗାପୁର ଉପକଣ୍ଠ ଗଣେଶ୍ୱରପୁର ଗ୍ରାମର ବିକର୍ତ୍ତନ ସେନାପତିଙ୍କ ୭ପୁଅଙ୍କ ମଧ୍ୟରୁ ମଝିଆ ପୁଅ ବସନ୍ତ ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ଗାଁ ମୁଣ୍ଡରେ ନୂତନ ଗୃହ ନିର୍ମାଣ କରି ୩ବର୍ଷ ଧରି ସେଠାରେ ନିଜ ସ୍ତ୍ରୀ ଓ ପୁଅକୁ ଧରି ରହି ଆସୁଥିଲେ l ତେବେ ଗତ ଶନିବାର ଅପରାହ୍ନରେ ବସନ୍ତ ସେନାପତି ନିଜ ସ୍ତ୍ରୀ ମରାଳିକା ଓ ପୁଅ ସହିତ ନିଜ ଶ୍ୱଶୁର ଘରକୁ ଯାଇଥିବାବେଳେ ରବିବାର ଦିନରେ ତାଙ୍କ ବାପା ବିକର୍ତ୍ତନ ଆସି ଘରେ ବୁଲି ସବୁ ଠିକଠାକ ଥିବା ଦେଖି ଗାଁ ଘରକୁ ଫେରି ଯାଇଥିଲେ l ତେବେ ସୋମବାର ପୂର୍ବାହ୍ନରେ ବସନ୍ତ ଆସି ଘର ସମ୍ମୁଖ ଗେଟ ତାଲା ଖୋଲି ଭିତରକୁ ପଶି ଦେଖିଥିଲେ କି ଘର ଦ୍ୱାର ଗ୍ରିଲ ତାଲାକୁ କଟାଯାଇଛି ଓ ମୁଖ୍ୟ କବାଟ ଖୋଲା ପଡ଼ିଛି l ସେ ବ୍ୟସ୍ତ ହୋଇ ସଙ୍ଗେ ସଙ୍ଗେ ଭିତରକୁ ଯାଇ ଦେଖିବାକୁ ପାଇଥିଲେ କି ତାଙ୍କ ଶୋଇବା ଘର କବାଟ ତଡ଼ା ଯାଇଛି ଓ ଭିତରେ ଥିବା ଆସବାପତ୍ର ବିଛାଡ଼ି ହୋଇ ହୋଇ ଘର ସାରା ପଡ଼ିଛି l
ଆହୁରି ପଢ଼ନ୍ତୁ:Vande Mataram Educational Institutions ଶିକ୍ଷାନୁଷ୍ଠାନରେ ଶୁଭିଲା ‘ବନ୍ଦେ ମାତରମ୍’ ସାମୁହିକ ଗାନ
ସାହି ପଡ଼ିଶା ଵି ଲୁଟର ସୁରାକ ପାଇନଥିଲେ
ତେବେ ପରେ ଦେଖିବାକୁ ପାଇଥିଲେ କି ଲକର ମଧ୍ୟରେ ଥିବା ପ୍ରାୟ ୫୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ସମେତ ନଗଦ ୧୭ ହଜାର ଟଙ୍କା ଲୁଟ୍ ହୋଇଯାଇଛି l ତାପରେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା l ଲୁଟେରା ମାନେ ଲୁଟ୍ ପରେ ଘର ପଛପଟ ତାଲା ଭାଙ୍ଗି ସେଇପଟେ ଚମ୍ପଟ ମାରିଛନ୍ତି l ତେବେ ଘର ମୁଖ୍ୟ ଫାଟକ ତାଲା ପଡ଼ିଥିବା ଯୋଗୁଁ ସ୍ଥାନୀୟ ସାହି ପଡ଼ିଶା ଵି ଲୁଟର ସୁରାକ ପାଇନଥିଲେl
ଆହୁରି ପଢ଼ନ୍ତୁ: 2 Young Men Death Accident ବିଦ୍ୟୁତ ଖୁଣ୍ଟରେ ପିଟି ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ
ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି l ତେବେ ଏହିଭଳି ମାମଲା ବୈଶିଙ୍ଗା ଥାନା ଅଞ୍ଚଳରେ କିଛି ଦିନ ଧରି ଲଗାତାର ଚାଲିଥିବାବେଳେ ପୁଲିସ ହାତ ଏବେବି ଖାଲି ଅଛି l ଫଳରେ ଘଟଣା ସ୍ଥଳରେ ଉପସ୍ଥିତ ଅଞ୍ଚଳବାସୀ ପୁଲିସ ଉପରେ ଅସନ୍ତୋଷ ଝାଡ଼ିଛନ୍ତି l
Follow Us