Photograph: (google)
ଏମିତି ଅନେକ ବଦଭ୍ୟାସ ରହିଛି, ଯାହା ପରିହାର୍ଯ୍ୟ ହେଲେ ସୁଦ୍ଧା ତାହାକୁ ବେଳେବେଳେ ଦୂରେଇଦେବା ସମ୍ଭବ ହୋଇ ନଥାଏ। ସେଥି ମଧ୍ୟରୁ ପରିସ୍ରାକୁ ଦୀର୍ଘ ସମୟ ଧରି ଚାପି ରଖିବା ହେଉଛି ଅନ୍ୟତମ। ପରିସ୍ଥିତିରେ ପଡ଼ି ଦୀର୍ଘ ସମୟ ଧରି ପରିସ୍ରା ନଯିବାକୁ ଆମେ ବାଧ୍ୟ ହୋଇଥାଉ। ତେବେ ଏଭଳି ସାମାନ୍ୟ ତ୍ରୁଟି ସମୟକ୍ରମେ ଭୀଷଣ ସ୍ବାସ୍ଥ୍ୟ ସମସ୍ୟା ଆଣିବାର ଆଶଙ୍କା ରହିଛି। ଏଭଳି ‘ୟୁରିନାରି ଇନ୍କଣ୍ଟିନେନ୍ସ’ ବା ଦୀର୍ଘ ସମୟ ଧରି ପରିସ୍ରା ନଯିବା ଅବସ୍ଥା ବିଶେଷ କରି ବରିଷ୍ଠ ନାଗରିକଙ୍କ ଠାରେ ଅଧିକ ଦେଖାଦେଇଥାଏ। ତେବେ ସମ୍ପ୍ରତି ଏହା ଯୁବପିଢ଼ିକୁ ମଧ୍ୟ ଆକ୍ରାନ୍ତ କରିବାରେ ଲାଗିଛି।
ଆହୁରି ପଢ଼ନ୍ତୁୂ: ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ହେମାଙ୍କ ପ୍ରଥମ ପ୍ରତିକ୍ରିୟା
ଅବଶ୍ୟ ଏହା ପଛରେ ଅନେକ କାରଣ ରହିଛି। କୌଣସି ଗୁରୁତ୍ବପୂର୍ଣ୍ଣ ବୈଠକରେ ହେଉ ବା ଭୀଷଣ ଟ୍ରାଫିକ୍ରେ ହେଉ, ଜଣେ ସେଭଳି ସ୍ଥିତିରେ ଅଟକି ରହିଥିବା ସମୟରେ ଜୋର୍ରେ ପରିସ୍ରା ମାଡୁଥିଲେ ମଧ୍ୟ ତାହା ଚାପି ରଖିବାକୁ ବାଧ୍ୟ ହୋଇଥାଏ। ମାତ୍ର ଏଭଳି କରିବା ଦ୍ବାରା ଆମ ଶରୀରରେ ମୂତ୍ର ଠୁଳ ହୋଇ ରହୁଥିବା ଥଳି ବା ମୂତ୍ରାଶୟର ସମ୍ବେଦନଶୀଳତା କମି ଆସିଥାଏ। ଫଳରେ ମୂତ୍ରାଶୟର ମାଂସପେଶୀଗୁଡ଼ିକ ଶିଥିଳ ହୋଇଯାଇ ମୂତ୍ରନଳୀ ସଂକ୍ରମଣ (ୟୁଟିଆଇ)ର ଆଶଙ୍କା ବଢ଼ାଇଥାଏ। ତେଣୁ ପରିସ୍ରା ମାଡ଼ିଲା ମାତ୍ରେ ସ୍ଥାନ-କାଳ-ପାତ୍ର ନମାନି ଶୌଚାଳୟ ଯାଇ ତୁରନ୍ତ ତାହାକୁ ଖଲାସ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି। ନିୟମିତ ପରିସ୍ରା ଯିବା ହେଉଛି ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ଏହା ବିରୋଧରେ ଗଲେ ପରିଣାମ ବିପଜ୍ଜନକ ହୋଇପାରେ। ସେହିପରି ସ୍ଥଳବିଶେଷରେ ଯଦି କେହି ନିଜର କାର୍ଯ୍ୟକ୍ଷେତ୍ରରେ ଅଧିକ ସମୟ ବ୍ୟସ୍ତ ରହିବାର ସମ୍ଭାବନା ରହିଥାଏ, ତେବେ ତଦନୁଯାୟୀ ଆଗୁଆ ଯୋଜନା କରି ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ପରିସ୍ରା ଯିବା ଆବଶ୍ୟକ।
ଆହୁରି ପଢ଼ନ୍ତୁ: ‘ଲଢ଼େଇ’କୁ ମିଳିଲା ‘ଏ’ ସାର୍ଟିଫିକେଟ
Follow Us