ଶ୍ରବଣ ହେଉଛି ଏକ ମୌଳିକ ଇନ୍ଦ୍ରିୟ ଯାହା ଶିଶୁମାନଙ୍କୁ ସାମାଜିକ ଦକ୍ଷତା ଆହରଣ କରିବାରେ ସାହାଯ୍ୟ କରିଥାଏ। ତେବେ ଶ୍ରବଣଶକ୍ତି ବିନା ଜନ୍ମ ନେଇଥିବା ଶିଶୁ ଯେ ଶୁଣିପାରୁନାହିଁ ତାହା ଜାଣିଲା ବେଳକୁ କିଛି ମାସ ଓ ଏପରିକି କିଛି ବର୍ଷ ବିତିଯାଇଥାଏ। ଭାରତରେ ପ୍ରତିବର୍ଷ ପ୍ରାୟ ଅଢ଼େଇ କୋଟି ଶିଶୁ ଜନ୍ମ ନେଉଥିବା ବେଳେ ଅଧିକାଂଶଙ୍କର ଶ୍ରବଣ ଶକ୍ତି ପରୀକ୍ଷା କରାଯାଇନଥାଏ। ଭାରତୀୟ ଶିଶୁମାନଙ୍କର ଶ୍ରବଣ ଶକ୍ତି ପରୀକ୍ଷା ବାଧ୍ୟତାମୂଳକ ହୋଇନଥିବାରୁ ବଧିର ଶିଶୁଙ୍କ ଚିକିତ୍ସା ସମ୍ଭାବନା ହ୍ରାସ ପାଇବା ସହ ବିଳମ୍ବ‌ ହୋଇଥାଏ । ଏକ ପରିସଂଖ୍ୟାନ ଅନୁଯାୟୀ, ବିଶ୍ବବ୍ୟାପୀ ହାରାହାରି ହଜାରେ ନବଜାତଙ୍କ ମଧ୍ୟରୁ ଏକରୁ ତିନି ଜଣ ଶିଶୁଙ୍କର ଶ୍ରବଣ  ସମସ୍ୟା ଥାଏ। ଅଧିକନ୍ତୁ ଭାରତରେ ଜନ୍ମଗତ ଅସୁବିଧା, ସଂକ୍ରମଣ ଅଥବା ଆନୁବଂଶିକ କାରଣରୁ ବଧିରତା ସହ ଜନ୍ମ ହେଉଥିବା ଶିଶୁଙ୍କ ସଂଖ୍ୟା ଅଧିକ। 

Advertisment

ଆହୁରି ପଢ଼ନ୍ତୁ: ପାଠପଢ଼ା ସମୟରେ ପ୍ରେମରେ ପଡ଼ିଲି ସବୁକିଛି ହରାଇ ସାଧୁ ଜୀବନ ଆପଣାଇଲି

କେତେ ଜରୁରି: 

ତେବେ ଜନ୍ମବେଳେ ବଧିରତା ନିରୂପଣ ଜରୁରି, କାରଣ ଶ୍ରବଣ ଶକ୍ତି ଶୈଶବାବସ୍ଥାର ପ୍ରଥମ ଗୁରୁତ୍ବପୂର୍ଣ୍ଣ ବର୍ଷରେ ଭାଷା ବିକାଶକୁ ସ୍ବାଭାବିକ କରିଥାଏ। ଅପରପକ୍ଷେ, ବଧିରତା ନିର୍ଣ୍ଣୟରେ ବିଳମ୍ବ କଲେ ତାହା ଶିକ୍ଷଣ ଓ ଭାବ ଆଦାନପ୍ରଦାନରେ ବାଧା ଉପୁଜାଇଥାଏ। ବିଶେଷ କରି ଗ୍ରାମାଞ୍ଚଳରେ, ଯେଉଁଠି ସ୍ବାସ୍ଥ୍ୟସେବା ସୁବିଧା କମ୍‌ ଥାଏ, ସେଠାରେ ଭିତ୍ତିଭୂମି ଓ ଉପଯୁକ୍ତ କର୍ମଚାରୀଙ୍କ ଅଭାବ ଶ୍ରବଣ ଶକ୍ତି ପରୀକ୍ଷା ଦିଗରେ ପ୍ରତିବନ୍ଧକ ସାଜିଥାଏ। 
ଜନ୍ମରୁ ବଧିରତା ଏକ ବିପଦପୂର୍ଣ୍ଣ ଅବସ୍ଥା ନୁହେଁ। ସୁତରାଂ ଅନ୍ୟାନ୍ୟ ରୋଗର ପରୀକ୍ଷା ପରି ଏହାର ପରୀକ୍ଷାକୁ ଲୋକେ ଅତ୍ୟାବଶ୍ୟକ ମଣିନଥା’ନ୍ତି। ତେବେ ଦେଶବ୍ୟାପୀ ନବଜାତ ଶିଶୁମାନଙ୍କର ସାର୍ବଜନୀନ ଶ୍ରବଣ ପରୀକ୍ଷାକୁ ବାଧ୍ୟତାମୂଳକ କରିବାର ଅନେକ ଉପକାରିତା ରହିଛି। ତାହା ବଧିରତା ଚିହ୍ନଟ କରି ଶ୍ରବଣ ଯନ୍ତ୍ର କି କର୍ଣ୍ଣ ପଟଳ ପ୍ରତିରୋପଣ କି ବାଣୀ ଚିକିତ୍ସାକୁ ସୁନିଶ୍ଚିତ କରାଇପାରିବ। ଏହା ଦ୍ବାରା ଭବିଷ୍ୟତରେ ଶ୍ରବଣ ଚିକିତ୍ସା ଜନିତ ବିପୁଳ ଖର୍ଚ୍ଚକୁ ରୋକାଯାଇପାରିବ। ଏଥି ସହିତ ଏହା ସାର୍ବଜନୀନ ସ୍ବାସ୍ଥ୍ୟସେବାରେ ଅତିରିକ୍ତ ରୋଗ ନିରୂପଣକୁ ସୁନିଶ୍ଚିତ କରିବ। ବିଳମ୍ବରେ ରୋଗନିର୍ଣ୍ଣୟ ଜନିତ ଭାବପ୍ରବଣତା ଓ ଆର୍ଥିକ ବୋଝକୁ ଏଡ଼ାଇ ଏହା ପିତାମାତାଙ୍କୁ ସେମାନଙ୍କ ଶିଶୁର ସ୍ବାସ୍ଥ୍ୟ ବିକାଶ ବାବଦରେ ନିଷ୍ପତ୍ତି ନେବା ଲାଗି ସଶକ୍ତ କରିବ। 

ଆହୁରି ପଢ଼ନ୍ତୁ: ନୂତନ ପ୍ରଜାତିର ସାପ ଆବିଷ୍କୃତ, କେବଳ ରାତିରେ ବାହାରେ ଓ ମାଟି ତଳେ ରହେ