ଆମ ସ୍ବାସ୍ଥ୍ୟର ନାନାଦି ବିଭବ ଉପରେ ପ୍ରଭାବ ପକାଉଛନ୍ତି ପେଟ ଭିତରେ ଥିବା ଅସୁମାରି ଅଣୁଜୀବ। ପାକସ୍ଥଳୀର ଅଣୁଜୀବଙ୍କ ବିବିଧତା ଠିକ୍ ଗୋଟାଏ ବନସ୍ତରେ ଥିବା କିସମ କିସମ ଗଛବୃଚ୍ଛ ଓ ଜୀବଜନ୍ତୁଙ୍କ ଭଳି। ପାକସ୍ଥଳୀରେ ଯେତେ ଅଧିକ ଓ ଭିନ୍ନଭିନ୍ନ ଜାତିର ଅଣୁଜୀବ ରହିବେ ମନୁଷ୍ୟ ସେତେ ଅଧିକ ପେଟ ବେମାରି ସହ୍ୟ କରିବାକୁ ସମର୍ଥ ହେବ। ବିଜ୍ଞାନ ମଧ୍ୟ ଦୀର୍ଘ ଦିନରୁ ସୁନିଶ୍ଚିତ କରିସାରିଛି ଯେ ମନୁଷ୍ୟର ସାମଗ୍ରିକ ସୁସ୍ଥତା ନିମନ୍ତେ ମୁଖ୍ୟ ଉପାଦାନ ହେଉଛି ବିପୁଳସଂଖ୍ୟକ ବିବିଧ କିସମ ପାକସ୍ଥଳୀ ଅଣୁଜୀବ। କାରଣ, ଏହା ମନୁଷ୍ୟ ମିଜାଜ୍ରୁ ନେଇ ମେଟାବଲିଜିମ୍ ଓ ମସ୍ତିଷ୍କକୁ ବି ପ୍ରଭାବିତ କରେ। ଅଣୁଜୀବ ବିବିଧତା ହ୍ରାସ ପାଇଲେ ମନୁଷ୍ୟଠାରେ ଶୟନ ସମସ୍ୟା, ପାକସ୍ଥଳୀ ବିକୃତି ଓ ପ୍ରଦାହ ଭଳି ରୋଗ ହେବାର ଯଥେଷ୍ଟ ଆଶଙ୍କା ଥାଏ। ତେଣୁ, କିଙ୍ଗ୍ସ କଲେଜ୍ ଲଣ୍ଡନ୍ର ନ୍ୟୁଟ୍ରିସନ୍ ପ୍ରଫେସର୍ ସାରା ବେରି କହନ୍ତି, ‘‘ଏ ଗୋଟାଏ ସାମଗ୍ରିକ ପରିସଂସ୍ଥାନ। ଅର୍ଥାତ୍ ଆମ ଶରୀର ମଧ୍ୟରେ ଅଣୁଜୀବସମୂହ ଗୋଟାଏ ଅତିରିକ୍ତ ଅଙ୍ଗ ସଦୃଶ।’’ କିନ୍ତୁ, ଆମେ ସାଧାରଣତଃ ଖାଉଥିବା କେତେକ ଆହାର ପାକସ୍ଥଳୀସ୍ଥିତ ପରିସଂସ୍ଥାନର କ୍ଷତିସାଧନ କରୁଛି ବୋଲି ପ୍ରମାଣ ମିଳିଗଲାଣି।
Health: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସେବା: ପ୍ରଥମ ଦିନରେ ୪୨୬ ଜଣ ରୋଗୀ ଚିକିତ୍ସିତ
ବିଶେଷତଃ ଅଲ୍ଟ୍ରା-ପ୍ରୋସେସ୍ଡ ଫୁଡ୍ ବା ଅତି ପ୍ରକ୍ରିୟାକୃତ ଆହାର ମନୁଷ୍ୟ ପାକସ୍ଥଳୀରେ ଅଣୁଜୀବଙ୍କ କ୍ରିୟାକଳାପରେ ବ୍ୟାଘାତ ଓ ପରିବର୍ତ୍ତନ ଘଟାଇପାରେ। ଏ ଧରଣର ଖାଦ୍ୟରେ ଦିଆଯାଉଥିବା ଏମଲ୍ସିଫାୟର୍, କୃତ୍ରିମ ଶର୍କରା ଓ ରଙ୍ଗ ଭଳି ଅସଂଖ୍ୟ ରାସାୟନିକ ଉପାଦାନ ଏଥିପାଇଁ ଦାୟୀ। ଅଧିକ ସ୍ବାଦଯୁକ୍ତ, ମୁସ୍ମୁସିଆ କରିବା ପାଇଁ ଅଥବା ଖାଦ୍ୟର ରୂପ ବଦଳାଇବା ପାଇଁ ଏବଂ ଦୀର୍ଘଦିନ ତଟକା ରଖିବା ଲାଗି ପ୍ରକ୍ରିୟାକରଣକାରୀ କମ୍ପାନିମାନେ ଏସବୁ କରନ୍ତି। ସୁପର୍ମାର୍କେଟ୍ଗୁଡ଼ିକରେ ମିଳୁଥିବା ଅଧିକାଂଶ ପ୍ରକ୍ରିୟାକୃତ ଖାଦ୍ୟଦ୍ରବ୍ୟରେ ଅଧିକ ଏମଲ୍ସିଫାୟର୍ ଥିବା କଥା ଗବେଷକମାନେ କହନ୍ତି। ଏ ଧରଣର ରାସାୟନିକ ଉପାଦାନ, ବିଶେଷ କରି ଏମଲ୍ସିଫାୟର୍ ମିଶ୍ରିତ ଆହାର ଭୋଜନ କଲେ ପାକସ୍ଥଳୀରେ ଥିବା ଅଣୁଜୀବଙ୍କ ଉପରେ କୁପ୍ରଭାବ ପଡ଼େ। ତା’ଛଡ଼ା ଏଥିଯୋଗୁଁ, ଆଇବିଡି, ଆଇବିଏସ୍, ଏବଂ କଲୋରେକ୍ଟାଲ୍ କ୍ୟାନ୍ସର୍ ଆଦି ରୋଗ ହେବାର ଆଶଙ୍କା ଥାଏ।
Health: ଉଆସ ପଲ୍ଲୀରେ କିଡ୍ନି ରୋଗ ନେଲା ଆଉ ଏକ ଜୀବନ
ପାକସ୍ଥଳୀର ଅନ୍ତରେ ଲାଗିରହିଥିବା ବହଳିଆ ଲାଳ ଅଣୁଜୀବମାନଙ୍କ କବଳରୁ ଏହାର ଭିତରପାର୍ଶ୍ବ ସୁରକ୍ଷିତ ରଖିଥାଏ। ଏ ଲାଳ ପ୍ରଦାହ ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ। ଅତି ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଯୋଗୁଁ ଉଦରସ୍ଥ ଲାଳ କ୍ଷୟ ହୋଇଯାଏ ଏବଂ ଅଣୁଜୀବମାନେ ଅନ୍ତ ଭିତରପାର୍ଶ୍ବକୁ ସଂକ୍ରମିତ କରି ପ୍ରଦାହ ସୃଷ୍ଟି କରନ୍ତି। ଏହାର ଅର୍ଥ ନୁହେଁ ଯେ ପ୍ରକ୍ରିୟାକୃତ ଖାଦ୍ୟ ଆଦୌ ନ ଖାଇବା। ମାତ୍ର ନିଜ ସ୍ବାସ୍ଥ୍ୟ ଓ ପାକସ୍ଥଳୀ ଅଣୁଜୀବଙ୍କ ହିତ ପାଇଁ ଏଥିସହିତ ଯଥା ସମ୍ଭବ ସଦ୍ୟ ରନ୍ଧା ଖାଦ୍ୟ ଖାଇବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ।
Follow Us