ଭୁବନେଶ୍ବର: ବୟନ କଳାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜିଠାରୁ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୨୧ତମ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ ହୋଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହାକୁ ଉଦ୍‌ଘାଟନ କରି ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ତଥା ଅନ୍ୟାନ୍ୟ ରାଜ୍ୟର ହସ୍ତତନ୍ତ କାରିଗରଙ୍କ ଉନ୍ନତି ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି। ଏହି ମେଳା କାରିଗରୀ ଶୈଳୀର ବୃଦ୍ଧି ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଦକ୍ଷତାର ଆଦାନ ପ୍ରଦାନରେ ସହାୟକ ହେବ ବୋଲି ସେ କହିଛନ୍ତି।

Advertisment

ଅତିଥି ଭାବରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଶୁଭା ଶର୍ମା, ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ମେଳାରେ ୨୧୫ଟି ଷ୍ଟଲ ପଡ଼ିଥିବା ବେଳେ ୧୧୫ଟି ଷ୍ଟଲକୁ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସମିତିକୁ ଦିଆଯାଇଛି। ଅନ୍ୟ ୧୦୦ଟି ଷ୍ଟଲରେ ଉତ୍ତରପ୍ରଦେଶ, ଜମ୍ମୁ ଓ କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ହରିୟାନା ଆଦି ରାଜ୍ୟର ହସ୍ତତନ୍ତର ବିକ୍ରିବଟା ଚାଲିବ। ହସ୍ତତନ୍ତ ସହ ସମସ୍ତ ରାଜ୍ୟର ପାରମ୍ପରିକ ଖାଦ୍ୟ, ଖେଳକୁଦ ମଧ୍ୟ ପ୍ରଦର୍ଶିତ ହେବ। ଏହା ବ୍ୟତୀତ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ମେଳା ଅକ୍ଟୋବର ୯ ପର୍ଯ୍ୟନ୍ତ ଦିନ ସାଢେ ଏଗାରଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ।