ବାଲିପାଟଣା: ସାଧାରଣତଃ ଶିବମନ୍ଦିରଗୁଡ଼ିକର ଦ୍ବାର ପୂର୍ବ ଦିଗକୁ ଥାଏ। କାରଣ ମନ୍ଦିରରେ ପୂଜା ପାଉଥିବା ଶିବଲିଙ୍ଗ ପୂର୍ବମୁଖା ହୋଇ ଆବିର୍ଭାବ ହୋଇଥାଆନ୍ତି। ମାତ୍ର ଅଳ୍ପ କିଛି ମନ୍ଦିରର ମୁଖଶାଳା ପଶ୍ଚିମମୁଖା ଥାଏ ଏବଂ ସେଠାରେ ପୂଜା ପାଉଥିବା ମହାଦେବଙ୍କୁ ପଶ୍ଚିମାଶମ୍ଭୁ ବୋଲି ଅଭିହିତ କରାଯାଏ। ବିଶ୍ବାସ ରହିଛି ପଶ୍ଚିମାଶମ୍ଭୁ ମହାଦେବଙ୍କ କରୁଣା ଅପାର। ଯେଉଁଠି ବି ପଶ୍ଚିମାଶମ୍ଭୁଙ୍କ ଆବିର୍ଭାବ ହୋଇଛି, ଲୋକେ ତାଙ୍କୁ ପ୍ରତ୍ୟକ୍ଷ ଠାକୁର ବୋଲି ବିବେଚନା କରନ୍ତି। ଓଡ଼ିଶାରେ ଏମିତି ବହୁ ପ୍ରସିଦ୍ଧ ଶୈବପୀଠ ରହିଛି। ମାତ୍ର କିଛି ଅନନ୍ୟ ଶୈବପୀଠ ରହିଛି, ଯାହା ସ୍ଥାନୀୟ ଲୋକଙ୍କ ବାଦ୍ ବାହାରେ ଲୋକଲୋଚନକୁ ଆସିପାରିନାହିଁ। ଶୁଣିବାକୁ ବିସ୍ମୟକର ହେଲେ ହେଁ ଏକ ନିଆରା ଶୈବପୀଠ ରହିଛି ଯେଉଁଠି ଏକ ସରଳରେଖାରେ ପାତାଳଫୁଟା ତିନି ଶିବଲିଙ୍ଗ ଆବିର୍ଭାବ ହୋଇଛନ୍ତି। ସମସ୍ତେ ପଶ୍ଚିମମୁଖା। ଆଗ, ପଛ ଓ ମଝିରେ ଲାଗିଲାଗି ରହିଥିବା ପାତାଳଫୁଟା ତିନି ଶିବଲିଙ୍ଗମାନେ ପଶ୍ଚିମାଶମ୍ଭୁ। ଲୋକେ ବିଶ୍ବାସ କରନ୍ତି ଏମାନେ ତିନି ଭାଇ। ଗୋଟିଏ ସ୍ଥାନରେ ଧାଡ଼ି ହୋଇ ରହିଥିବା ତିନି ତିନିଟି ପାତାଳଫୁଟା ଶିବଲିଙ୍ଗ ଅନ୍ୟ କେଉଁଠି ପ୍ରାୟତଃ ନାହିଁ। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ବଦଳା ପଚିଶଖଣ୍ଡ ଗାଁରେ ଏହି ବିରଳ ଶୈବପୀଠ ରହିଛି।
ଶ୍ରଦ୍ଧାଳୁମାନଙ୍କ ପାଇଁ ତିନିଭାଇ ଭାବେ ପରିଚିତ ଏହି ତିନି ଶିବଲିଙ୍ଗଙ୍କ ମହିମା ବହୁତ ବୋଲି ଲୋକଙ୍କ ବିଶ୍ବାସ ରହିଛି। ବଡ଼ ଭାଇ ଯୋଗେଶ୍ୱର ମହାଦେବଙ୍କ ନାମାନୁସାରେ ଏହାକୁ ଯୋଗେଶ୍ବରଙ୍କ ପୀଠ ବୋଲି କୁହାଯାଏ। ମଝି ଶକ୍ତି ଜାଗେଶ୍ୱର ମହାଦେବ ତଥା ମଝିଆଁ ଭାଇ ଏବଂ ପୂରା ପଛରେ ଅଛନ୍ତି ବାଲୁଙ୍କେଶ୍ୱର ମହାଦେବ, ଯାହାଙ୍କୁ ଶ୍ରଦ୍ଧାଳୁମାନେ ସାନଭାଇ ବୋଲି ପୂଜା କରିଆସୁଛନ୍ତି। ସରଦେଇପୁର-ନିମାପଡ଼ା ରାସ୍ତାରେ ବସନ୍ତମାଳ ଛକରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ରହିଛି ଏହି ମନ୍ଦିର। ତିନି ପଶ୍ଚିମଶମ୍ଭୁଙ୍କୁ ଗୋଟିଏ ଜାଗାରେ ପୂଜା କରିବାର ସୌଭାଗ୍ୟ ପାଇଥିବାରୁ ସ୍ଥାନୀୟ ଲୋକେ ଗର୍ବ ଅନୁଭବ କରନ୍ତି। ଯୋଗେଶ୍ୱର ମହାଦେବ ବଦଳାଶାସନ ମୌଜା ୭ସାହିର ପରମ ଆରାଧ୍ୟ ଠାକୁର। ପଞ୍ଚୁଦୋଳ ସମୟରେ ଚାଚେରି ଭୋଗଖିଆକୁ ତିନିଠାକୁରଙ୍କ ବିଗ୍ରହ ଦୋଳବିମାନରେ ଗାଁ ବୁଲନ୍ତି। ସେହିଭଳି ଶିବରାତ୍ରି ବା ଜାଗର ଉତ୍ସବ, ଶୀତଳ ଷଷ୍ଠୀ, ଶିବପାର୍ବତୀ ବିବାହ, ଶ୍ରାବଣ ଜଳଲାଗି, ବଉଳ ଅମାବାସ୍ୟା, ଚିତାଲାଗି ଅମାବାସ୍ୟା, ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବହୁ ଶ୍ରଦ୍ଧାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସନ୍ତି। ମାନସିକ ପୂଜା, ପ୍ରାୟଶ୍ଚିତ କର୍ମ, ରୁଦ୍ରାଭିଷେକ, ଜଳଲାଗି, ଲହୁଣି ନବାତ ମାର୍ଜନା ପାଇଁ ବର୍ଷ ସାରା ଶ୍ରଦ୍ଧାଳୁମାନେ ଏଠାକୁ ଧାଇଁ ଆସନ୍ତି। ସକାଳୁ ତିନି ଠାକୁରଙ୍କ ସ୍ନାନ ବିଧି ସଂପନ୍ନ ହେବା ପରେ ବାଳ ଭୋଗ ଲାଗି କରାଯାଏ। ମଧ୍ୟାହ୍ନରେ ଅନ୍ନ ଖେଚୁଡ଼ି ସହ ଶଙ୍ଖୁଡ଼ି ଭୋଗ ଲାଗି ହୁଏ ଏବଂ ବଡ଼ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସନ୍ଧ୍ୟାରେ ପଖାଳ ଭୋଗ ଲାଗି କରାଯାଏ। କାର୍ତ୍ତିକ, ମାଘ, ବୈଶାଖ ମାସରେ ବିଶେଷ ରୀତିନୀତି ହୋଇଥାଏ। ପୌଷମାସରେ ଶ୍ରଦ୍ଧାଳୁମାନେ ପୁଷ୍ୟାଭିଷେକ କରନ୍ତି। ମାଘ ମାସ ଶୁକ୍ଳପକ୍ଷ ଶେଷ ଭାଗରେ ବିଶ୍ୱଶାନ୍ତି ମହାଯଜ୍ଞ ହୋଇଥାଏ।
Highmast light Without Electricity: ହାଇମାଷ୍ଟ୍ ଲାଇଟ୍ରେ ୮ବର୍ଷ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ନାହିଁ
ମନ୍ଦିରଟି ଦେବୋତ୍ତର ବିଭାଗ ଅଧୀନରେ ରହିଛି। ଏହି ବିରଳ ଆଧ୍ୟାତ୍ମିକସ୍ଥଳୀ ମହାଦେବଙ୍କ ପୀଠଟି ଆଜି ବି ଅବହେଳିତ ଅବସ୍ଥାରେ ରହିଛି। କାଁ ଭାଁ ମିଳୁଥିବା ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ସଦୃଶ। ଦେବୋତ୍ତର ବିଭାଗର ଅବହେଳା କାରଣରୁ ପୀଠର ବିକାଶ ହୋଇପାରୁ ନାହିଁ। ମନ୍ଦିରଟି ବହୁ ପ୍ରାଚୀନ ହୋଇଥିଲେ ହେଁ ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶେଷ ସୁବିଧା ନାହିଁ। ମନ୍ଦିର ଚାରିପାର୍ଶ୍ବରେ ପାଚେରି, ପାନୀୟ ଜଳ, ଆଲୋକୀକରଣ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶ୍ରାମଗୃହ ଜରୁରି। ମାତ୍ର ସରକାରୀ ସହାୟତା ମିଳୁନଥିବାରୁ ମନ୍ଦିରର ଖ୍ୟାତି ପ୍ରଚାରପ୍ରସାର ହୋଇପାରୁନି। ସରକାର ଏଥିପ୍ରତି ନଜର ଦେଲେ, ଏହା ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା ପୂଜକ ଦୈତାରି ଦୀକ୍ଷିତ, ଦେବେନ୍ଦ୍ର ଦୀକ୍ଷିତ, ଅଗାଧୁ ଚରଣ ପଣ୍ଡା, ଆର୍ତ୍ତତ୍ରାଣ ଦୀକ୍ଷିତ ଓ ବସନ୍ତ ପାଢ଼ୀ ପ୍ରମୁଖ କହିଛନ୍ତି।
Follow Us