ଭୁବନେଶ୍ବର: ରାଜଧାନୀରେ ୫୦୦ରୁ ଅଧିକ ସରକାରୀ ଓ ବେସରକାରୀ ବିଦ୍ୟାଳୟ। ଲକ୍ଷାଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ହେଲେ ଏହି ଛାତ୍ରଛାତ୍ରୀ ସ୍କୁଲରେ ସୁରକ୍ଷିତ ତ? ସେମାନେ ସୁରକ୍ଷା ବ୍ୟବସ୍ଥା ଭିତରେ ପାଠ ପଢ଼ୁଛନ୍ତି ତ? ଯଦି ସ୍କୁଲରେ କିଛି ଅଘଟଣ ଘଟେ ତେବେ ସେଥିରୁ ମୁକୁଳିବାକୁ ସ୍କୁଲରେ ଆବଶ୍ୟକ ଭିତ୍ତିଭୂମି ଅଛି ତ? ଦୁଇ ଦିନ ତଳେ ମଞ୍ଚେଶ୍ବରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ(କେଭି)-୩ ଫାଟକ ନିକଟରେ ବିସ୍ଫୋରଣ ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। ରାଜଧାନୀରେ ବଢ଼ୁଥିବା ଅପରାଧିକ କାର୍ଯ୍ୟକଳାପକୁ ନଜରକୁ ନେଲେ ସିସିଟିଭି, ସୁରକ୍ଷା କର୍ମୀ ନିତ୍ୟାନ୍ତ ଆବଶ୍ୟକ। ହେଲେ ସହରର ୭୦% ସରକାରୀ ବିଦ୍ୟାଳୟରେ ସିସିଟିଭି ନାହିଁ। ବେସରକାରୀ ବିଦ୍ୟାଳୟରେ ସିସିଟିଭି ରହିଥିଲେ ମଧ୍ୟ ସଂଖ୍ୟା ବହୁତ ନଗନ୍ୟ। ପରିଣାମ ସ୍ବରୂପ ଅନେକ ସମୟରେ ନା ଅପରାଧକୁ ରୋକା ଯାଇପାରୁଛି ନା ଅପରାଧୀକୁ ଧରିବାରେ ସହାୟକ ହେଉଛି। କେନ୍ଦ୍ରୀୟ ବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ନିକଟରେ ବିସ୍ଫୋରଣକୁ ୪୮ ଘଣ୍ଟା ବିତିଥିଲେ ମଧ୍ୟ ଅପରାଧୀକୁ ଧରିବାରେ ପୁଲିସ ସକ୍ଷମ ହୋଇପାରି ନାହିଁ, ଯାହାକି ଏବେ ପୁଲିସର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି।  ପିଲାମାନେ କିଭଳି ସୁରକ୍ଷିତ ଭାବେ ବିଦ୍ୟାଳୟକୁ ଛାଡ଼ିବେ ସେନେଇ ଅଭିଭାବକମାନେ ଚିନ୍ତାପ୍ରକାଟ କଲେଣି। ବିଡ଼ମ୍ବନାର ବିଷୟ ହେଉଛି ରାଜଧାନୀର ହାତ ଗଣତି କେତୋଟି ଘରୋଇ ସ୍କୁଲକୁ ଛାଡ଼ିଦେଲେ ବାକି ଘରୋଇ ସ୍କୁଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ନାହିଁ।

Advertisment

ବିନା ସ୍ବୀକୃତିରେ ଚାଲିଛି ୨୮୫ ବିଦ୍ୟାଳୟ
ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ହେଉ ନାହିଁ
କେଭି ନିକଟରେ ବିସ୍ଫୋରଣ ପରେ ଅଭିଭାବକ ଛାନିଆ

Sports Awards : ୬ରେ ପ୍ରଦାନ କରାଯିବ ଏସଏସ୍ଆଇ କ୍ରୀଡ଼ା ପୁରସ୍କାର

ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଆଣିବା ଦୂର କଥା ଘରୋଇ ସ୍କୁଲଗୁଡ଼ିକ ଭଡ଼ା ଘରେ, ବିପଦସଙ୍କୁଳ ଘରେ ଦୀର୍ଘ ବର୍ଷ ଧରି ସ୍କୁଲ ଚଲାଉଥିଲେ ହେଁ ଏହାକୁ କେହି ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ରାଜଧାନୀ ଭୁବନେଶ୍ବର ସହ ଖୋର୍ଦ୍ଧା ଜିଲ୍ଲାରେ ୨୮୫ ସ୍କୁଲ୍ ବିନା ସ୍ୱୀକୃତିରେ ଚାଲୁଛି, ଯାହାକି ସମଗ୍ର ରାଜ୍ୟରେ ସର୍ବାଧିକ। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ଜଣେ ଜଣେ ଛାତ୍ର/ଛାତ୍ରୀଙ୍କଠାରୁ ଫି’ ବାବଦରେ ମାସକୁ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି ସେମାନେ କୁନି କୁନି ପିଲାଙ୍କର ସୁରକ୍ଷା ଦିଗରେ ଆଖି ବୁଜି ଦେଇଛନ୍ତି। କେଉଁଠି ଖୋଲା ସ୍ଥାନରେ ସ୍କୁଲ ଖୋଲୁଛି ତ କେଉଁଠି ୧୦ ଫୁଟର କରିଡର ଜାଗାରେ ୩ରୁ ୪ଫୁଟ କରିଡର ରହିଛି। ଏପରିକି ୩ଫୁଟିଆ ସିଡ଼ି ପାହାଚରେ ଛାତ୍ରଛାତ୍ରୀ ଛାତ ଉପରକୁ ଯାତାୟତ କରୁଛନ୍ତି। ଲୋକ ଆବାସିକ ଘର ପାଇଁ ପ୍ଲାନ୍ ନେଇ ଘର ନିର୍ମାଣ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସ୍କୁଲ ଖୋଲି ବ୍ୟବସାୟ ଚଲାଉଛନ୍ତି।

Nabarangpur: ନବରଂଗପୁରରେ ୫୫ ପ୍ରତିଶତ ମା’ ରକ୍ତହୀନତା‌ର ଶିକାର

ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କ’ଣ ଦରକାର, ସ୍କୁଲ କିପରି ନିର୍ମାଣ ହେବା ଆବଶ୍ୟକ ସେନେଇ ଓଡ଼ିଶା ଅଗ୍ନି ନିରାପତ୍ତା ଏବଂ ଅଗ୍ନି ସୁରକ୍ଷା ନିୟମ(ସଂଶୋଧିତ-୨୦୧୯)ରେ ବିସ୍ତୃତ ଭାବେ ଉଲ୍ଲେଖ ହୋଇଛି। ହେଲେ ନା ଅଗ୍ନିଶମ ବିଭାଗ ଏହାକୁ ଯାଞ୍ଚ କରୁଛି ନା ବିଡିଏ, ବିଏମ୍‌ସି କର୍ତ୍ତୃପକ୍ଷ। ଫଳରେ କାଗଜକଲମ ହିସାବରେ ପିଲାଙ୍କ ଅନୁପାତରେ ଶିକ୍ଷକ ଅଛନ୍ତି କି ନାହିଁ, ଶିକ୍ଷକଙ୍କ ଯୋଗ୍ୟତା ଅଛି କି ନାହିଁ, ଆର୍‌ଟିଇ ଲାଗୁ ହୋଇଛି କି ନାହିଁ, ଖେଳ ପଡ଼ିଆ ଅଛି କି ନାହିଁ ଆଦି ଯାଞ୍ଚ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍କୁଲକୁ ସିଓଆର୍‌ ଦେଇଦେଉଛନ୍ତି। ଓଡ଼ିଶା ଅଗ୍ନି ନିରାପତ୍ତା ଏବଂ ଅଗ୍ନି ସୁରକ୍ଷା ନିୟମ(ସଂଶୋଧିତ-୨୦୧୯)ରେ ନିୟମ ଅଛି ଯେ ସବୁ ସ୍କୁଲରେ ସେଫ୍‌ଟି କରିଡର ନିଶ୍ଚିତ ରହିବ। ଯେଉଁ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନର ଉଚ୍ଚତା ୧୨ମିଟର କିମ୍ବା ତିନି ମହଲାରୁ ଅଧିକ ହୋଇଥିବ ବା ହଜାରେ ବର୍ଗମିଟରରୁ ଅଧିକ ନିର୍ମାଣ ଅଞ୍ଚଳ ଥିବ(ଗୋଟିଏ ମହଲା ହେଉ କି ଏକାଧିକ) ସେମାନେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନେବା ବାଧ୍ୟତାମୂଳକ। ଏପରିକି ସବୁ ସ୍କୁଲରେ ପାହାଚଗୁଡ଼ିକର ଲମ୍ବ ୧.୫ମିଟରର ହେବା ଦରକାର। ୩୦୦ ବର୍ଗମିଟରରୁ କମ୍‌ ନିର୍ମାଣ ଅଞ୍ଚଳରେ ସ୍କୁଲ ଥିଲେ ସିଡ଼ି ପାହାଚର ଲମ୍ବ ୧.୨ ମିଟର ରହିବ। ଏହି ନିୟମକୁ ସରକାରୀ ସ୍କୁଲ କେତେକ କ୍ଷେତ୍ରରେ ମାନୁଥିଲେ ହେଁ ଅଧିକାଂଶ ଘରୋଇ ସ୍କୁଲ ମାନୁନାହାନ୍ତି। କିନ୍ତୁ କଡ଼ାକଡ଼ି ଯାଞ୍ଚ ହେଉନଥିବାରୁ ସମେସ୍ତ ଢିଲା ନିୟମର ଫାଇଦା ଉଠାଉଛନ୍ତି।

ଗଣଶିକ୍ଷା ବିଭାଗ ପକ୍ଷରୁ ଯେଉଁ ତିନୋଟି ଦୃଢ ସର୍ତ୍ତାବଳୀ ଧାର୍ଯ୍ୟ ହୋଇଛି ସେଥିମଧ୍ୟରେ ସହରାଞ୍ଚଳରେ ବିଦ୍ୟାଳୟ ନିମନ୍ତେ ଅନ୍ୟୁନ ଏକ ଏକର ଜାଗାର ପଟ୍ଟା ବିଦ୍ୟାଳୟ ନାମରେ ଥିବା ଆବଶ୍ୟକ। ଏହି ସର୍ତ୍ତାବଳୀ ଅନୁଯାୟୀ ପ୍ରାଥମିକ ସ୍ତରୀୟ ସିଓଆର୍‌ପ୍ରାପ୍ତ ବିଦ୍ୟାଳୟ ଅନୁପାତରେ ମାଧ୍ୟମିକ ଶିକ୍ଷା ନିମନ୍ତେ ପ୍ରଦାନ କରାଯାଉଥିବା ଏନଓସିପ୍ରାପ୍ତ ବିଦ୍ୟାଳୟ ସଂଖ୍ୟା ବହୁତ୍ କମ୍। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହିସବୁ ଅନିୟମିତତା ଓ ଦୁର୍ନୀତି ସମ୍ବନ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।
ଭୁମୋହନ ବେବର୍ତ୍ତା ପଟ୍ଟନାୟକ, ସଭାପତି, ନାସ୍‌ନାଲ ପ୍ୟାରେଣ୍ଟ୍ ଫେଡେରେସନ୍ 

ମଞ୍ଚେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ର ପଛ ଫାଟକ ପାଖରେ ବିସ୍ଫୋରଣ ହେବା ପରେ ପିଲାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ଡର ଲାଗୁଛି। ସୁରକ୍ଷା ବ୍ୟବସ୍ଥାରେ ଘୋର ତ୍ରୁଟି ରହୁଛି। ବୋମା ନୁହେଁ ବାଣ ଫୁଟାଯାଇଥିବାରୁ ବିସ୍ଫୋରଣ ହୋଇଥିବା ପୁଲିସ କମିସନର୍‌ କହିଛନ୍ତି। ହେଲେ ସ୍କୁଲ୍ ପଛ ପାଖ ଗେଟ୍‌ରେ ‌ନା ସିସି କ୍ୟାମେରା ନା ସୁରକ୍ଷା କର୍ମୀ ଅଛନ୍ତି। ସମାନ ଅବସ୍ଥା ପ୍ରାୟ ଅଧିକାଂଶ ବିଦ୍ୟାଳୟରେ ରହିଛି। ସିସିଟିଭି ଓ ସୁରକ୍ଷ‌ା କର୍ମୀ ରହିଲେ ଏଭଳି ଅଘଟଣର ପ୍ରକୃତ ଅପରାଧୀକୁ ଧରାଯାଇ ପାରନ୍ତା।
ସୁଜାତା ବେହେରା, ଅଭିଭାବକ

କେବଳ ବିସ୍ପୋ‌ରଣ ଚିନ୍ତା ବଢ଼ାଇଛି ତାହା ନୁହେଁ। ସ୍କୁଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ, ଛାତ୍ରଛାତ୍ରୀ ଯାତାୟତ ପାଇଁ ଯେମିତି କରିଡର ରହିବା କଥା ତାହା ଅଛି ନା ନାହିଁ, ସ୍କୁଲ ଯେଉଁ କୋଠାରେ ଚାଲୁଛି ତାହା ଉପଯୋଗୀ କି ନାହିଁ, ଛାତ୍ରଛାତ୍ରୀ ଯାତାୟତ କରୁଥିବା ସିଡିଗୁଡ଼ିକ ନିୟମ ଅନୁଯାୟୀ ଅଛି କି ନାହିଁ ସେନେଇ ଯାଞ୍ଚ କରାଯାଉ ନାହିଁ। ଯିଏ ସ୍କୁଲ ଖୋଲିଲା ତାକୁ ସାର୍ଟିଫିକେଟ୍ ଅଫ୍ ରିକୋଗ୍ନାଇଜେସନ୍ (ସିଓଆର୍) ଦେଇଦେଉଛନ୍ତି। ହେଲେ ପିଲା ସ୍କୁଲରେ ସୁରକ୍ଷିତ ଭାବେ କିପରି ରହିବ ତାହାର ଚିନ୍ତା କେହି କରୁ ନାହାନ୍ତି। ପିଲାଙ୍କ ସୁରକ୍ଷା ପାଇଁ କ୍ୟାମ୍ପସ ସାରା ସିସିଟିଭି ଓ ପ୍ରବେଶ ପଥରେ ସୁରକ୍ଷା କର୍ମୀ ବର୍ତ୍ତମାନ ନିତ୍ୟାନ୍ତ ଆବଶ୍ୟକ। 
କୃଷ୍ଣଚନ୍ଦ୍ର ପତି, ସଭାପତି

ଉତ୍କଳ ଅଭିଭାବକ ମହାସଂଘ
କେନ୍ଦ୍ରୀୟ ବିଦ୍ୟାଳୟ ଆମ ଅଧୀନରେ ଆସୁ ନାହିଁ। ତେବେ ଗଣଶିକ୍ଷା ବିଭାଗ ଅଧୀନ ସହର ଓ ଉପକଣ୍ଠର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ନିୟମିତ ଭାବେ ଯାଞ୍ଚ ହେଉଛି। ପ୍ରତି ବିଦ୍ୟାଳୟରେ ସୁରକ୍ଷା କମିଟି ଗଠନ ବାଧ୍ୟତାମୂଳକ ହେବା ସହ କାର୍ଯ୍ୟକ୍ଷମ ରହିଛି। ପ୍ରତି ମାସରେ ଏହି କମିଟି ସମୀକ୍ଷା କରୁଛି। ନିୟମିତ ବ୍ୟବଧାନରେ ସ୍କୁଲଗୁଡ଼ିକ ଯାଞ୍ଚ ହେଉଛି। କେତେକ ବିଦ୍ୟାଳୟରେ ସିସିଟିଭି ଲାଗିଛି।
ବ୍ରହ୍ମାନନ୍ଦ ରାଉତ, ବିଇଓ, ଭୁବନେଶ୍ବର