ଶୁକ୍ରବାର ମାଟିରେ ମିଶିବ ବୈକୁଣ୍ଠଧାମ ଆଶ୍ରମ: ଚାଲିବ ବିଡ଼ିଏ ବୁଲଡୋଜର

ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିବ। ମାଇକ୍ ଯୋଗେ ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଛି। ସରକାରୀ ଜମି ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ଯଥାଶୀଘ୍ର ସେହି ଜମି ଖାଲି କରିବାକୁ ବିଡ଼ିଏ କହିଛି...

Vaikuntadham Ashram at Khadgiri

Vaikuntadham Ashram at Khadgiri

ଭୁବନେଶ୍ବର: ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିବ। ମାଇକ୍ ଯୋଗେ  ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଛି। ସରକାରୀ ଜମି ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ଯଥାଶୀଘ୍ର ସେହି ଜମି ଖାଲି କରିବାକୁ ବିଡ଼ିଏ କହିଛି। ଏହାପରେ ବିଡ଼ିଏ ବୁଲଡୋଜର ଆଶ୍ରମରେ ଚାଲିବ।

ଜବର ଦଖଲ ହଟାଯିବା ସମୟରେ  କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ ଅବା ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଛି । ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଜବର ଦଖଲ ହଟାଇବାକୁ ଲକ୍ଷ୍ୟ ରଖାଯାଇଥିବା ବିଡ଼ିଏ ପକ୍ଷରୁ ସୂଚନା ଜାରି ହୋଇଛି। ଆଶ୍ରମ ଖାଲି କରାଯିବା ପରେ ବିଡ଼ିଏ ଏହି ଆଶ୍ରମକୁ ଭାଙ୍ଗିବ ।

ହାଇକୋର୍ଟଙ୍କ ସମ୍ମୁଖରେ ମିଥ୍ୟା ସତ୍ୟପାଠ କରି ଆଶ୍ରମ କର୍ତ୍ତୃପକ୍ଷ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ତେଣୁ ହାଇକୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା ରହିତାଦେଶକୁ ହଟାଇ ଦିଆଯାଇଥିଲା । ଗୁରୁବାର ବୈକୁଣ୍ଠ ଧାନ ଆଶ୍ରମ ଭାଙ୍ଗିବା ପାଇଁ  ବିଡିଏ ନିର୍ଦ୍ଦେଶ ଦେଇଛି ।

୨୦୨୫ ଜାନୁଆରି ୧୦ ତାରିଖରେ ହାଇକୋର୍ଟ  ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟ ଜବର ଦଖଲ ହଟାଇବା ନେଇ ବିଡ଼ିଏ ଉପରେ ଲାଗୁ ହୋଇଥିବା ରହିତାଦେଶକୁ ହଟାଇ ଦେଇଥିଲେ । ଏହା ପରେ ଏବେ ବିଡ଼ିଏ ପକ୍ଷରୁ ଜବର ଦଖଲ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ.୨୦୨୪ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡ଼ିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍‌ ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା । ୮ କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା  ଜଣାପଡ଼ିଥିଲା । 

୨୦୨୪ ନଭେମ୍ବର ୨୧ ଅପରାହ୍ନରେ ବିଡିଏ  କାର୍ଯ୍ୟାଳୟରେ ଆୟୋଜିତ ଉଚ୍ଚସ୍ତରୀୟ କମିଟି  ବୈଠକରେ ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ଜୋନାଲ କମିସନର, ପୁଲିସ ଅଧିକାରୀ ଆଶ୍ରମ  ଭାଙ୍ଗିବା ନେଇ ଆଲୋଚନା କରିଥିଲେ। 

ଭୁବନେଶ୍ବରର ଘାଟିକିଆ ମୌଜାର  ଖାତା ନଂ ୨୩୩୯ (ଜିଏଡି)ର ପ୍ଲଟ୍‌ ନଂ ୯୦୩୭ ଓ  ୯୦୩୮ ‘ପତିତ’ କିସମର ଜମିରେ ଗଢ଼ିଉଠିଥିବା ଆଶ୍ରମକୁ ଭଙ୍ଗାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଶ୍ରମ ଭଙ୍ଗାଯିବା ପୂର୍ବରୁ ନୋଟିସ୍‌ ଜାରି ହୋଇଥିଲା । ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ କୁହାଯାଇଥିଲା।

ତେବେ ଜବର ଦଖଲ ହଟାଯିବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖର  ଗୋଟିଏ ଦିନ ପୂର୍ବରୁ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଶ୍ରମ କର୍ତ୍ତୃପକ୍ଷ ମିଥ୍ୟା ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ । ଏହା ଏକ ଯୋଗାସନ ଶିକ୍ଷାକେନ୍ଦ୍ର ବୋଲି ଆଶ୍ରମ କର୍ତ୍ତୃପକ୍ଷ ସତ୍ୟପାଠ  ଦାଖଲ କରିଥିଲେ । ୨୦୨୨ରେ ସ୍କୁଲ ଓ ଗଣଶିକ୍ଷା  ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଚିଠିକୁ  ମଧ୍ୟ ସତ୍ୟପାଠରେ ସଂଲଗ୍ନ କରାଯାଇଥିଲା ।  

ଅଧିକ ପଢ଼ନ୍ତୁ: ଜାତୀୟ ଶିକ୍ଷାନୀତି ପାଇଁ ଷ୍ଟିଅରିଂ କମିଟି ଗଠିତ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା

ଚିଠିରେ ଗଣଶିକ୍ଷା ବିଭାଗ ଏହି ଜମିକୁ  ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିଶ କରିଥିବା  ଦର୍ଶାଯାଇଥିଲା । ଆଶ୍ରମ କର୍ତ୍ତୃପକ୍ଷଙ୍କ ସତ୍ୟପାଠ ଆଧାରରେ ହାଇକୋର୍ଟ  ବିଡ଼ିଏର  ଜବର ଦଖଲ ହଟାଇବା କାର୍ଯ୍ୟ ଉପରେ ରହିତାଦେଶ ଜାରି କରିଥିଲେ ।  ଏହା ସହିତ ଏନେଇ ହାଇକୋର୍ଟଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ  ଜବାବ ତଲବ କରାଯାଇଥିଲା। ଏହା ପରେ ଆଶ୍ରମକୁ ନେଇ ହୋଇଥିବା ଜାଲିଆତି  ଜଣାପଡି଼ଥିଲା ।  

ଅଧିକ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ମାତୃ ବିୟୋଗ

ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ନିର୍ମାଣ ହୋଇଛି। ଏଠାରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ସେ ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ନିକଟରେ ବାବାଙ୍କ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବିବାଦର ମୂଳ କାରଣ ଥିଲା କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଥିଲା। ଏହା ଶ୍ରଦ୍ଧାଳୁଙ୍କୁ ବେଶ୍ ମାନସିକ ଆଘାତ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe