ବାଲିଅନ୍ତା : ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ବାଲିଅନ୍ତା ବିଜେପି କୃଷକ ମୋର୍ଚ୍ଚା ସଂଗଠନ ପକ୍ଷରୁ ଆଜି ଉକ୍ତ ପଞ୍ଚାୟତ ସମିତି ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ତେବେ ଧାରଣାସ୍ଥଳକୁ ବିଡିଓ ଆସି ସେମାନଙ୍କଠାରୁ ସ୍ଥାନୀୟ କୃଷକମାନଙ୍କର ବିଭିନ୍ନ ସମସ୍ୟା ସଂପର୍କିତ ସ୍ମାରକପତ୍ର ନେବାରେ ବିଳମ୍ବ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୋର୍ଚ୍ଚାର କର୍ମୀମାନେ ବେଶ୍ କିଛି ସମୟ ହାତରେ ଦାବିପତ୍ର ଧରି ଠିଆହୋଇ ଅପେକ୍ଷା କରିବା ପରେ ବିଡିଓ ସେଠାକୁ ନ ଆସିବାରୁ ଉତ୍କ୍ଷିପ୍ତ ହୋଇ ଉଠିଥିଲେ। ଉତ୍ତ୍ୟକ୍ତ କର୍ମୀମାନେ ମୁଖ୍ୟ ଗେଟ୍ ଭିତରକୁ ଜୋର ଜବରଦସ୍ତି ପଶିବାକୁ ଉଦ୍ୟମ କରୁଥିବା ଦେଖି ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ କିଛି ସମୟ ପାଇଁ ପୁଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଥିଲା। ଏହାପରେ ବିଡିଓ ଆରତୀ ସାହୁଙ୍କୁ ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ହସ୍ତାନ୍ତର କରିଥିଲେ। ଶେଷରେ ସେମାନେ କୃଷିମନ୍ତ୍ରୀ ଦାମୋଦର ରାଉତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜାମିନୀ ରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ପରିଚାଳିତ ପ୍ରତିବାଦ ସଭାରେ ସୁବାସ ଜେନା, ଅନନ୍ତ ପ୍ରଧାନ, ବସନ୍ତ ନାୟକ, ବରିଷ୍ଠ ନେତା ମାଗୁଣି ସେଠୀ, ଶିବ ମଲ୍ଲିକ, ସୁଦର୍ଶନ ଜେନା, କ୍ଷେତ୍ରମୋହନ ବେହେରା ଓ ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ଏ ଅଞ୍ଚଳର ଧାନ ଫସଲରେ ରୋଗ ଓ ଜଉପୋକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରିଥିଲେ।
ବିଡିଓଙ୍କ ପ୍ରକୋଷ୍ଠରେ ଧସେଇ ପଶିବାକୁ ବିଜେପି କର୍ମୀଙ୍କ ଉଦ୍ୟମ
ଦାବିପତ୍ର ନେବାରେ ବିଳମ୍ବ ନେଇ ଉତ୍ତେଜନା
/sambad/media/post_attachments/wp-content/uploads/2017/11/balianta-2.jpg)