ପିପିଲି: ଆଜି ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ  ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଖଣ୍ତଗିରି ଥାନା କଳିଙ୍ଗନଗରରେ ରହୁଥିବା ସାମ୍ବାଦିକ ଶିଲା ପଟ୍ଟନାୟକ(୪୦) ଓ ତାଙ୍କର ଜଣେ ବାନ୍ଧବୀ  ଘାଟିକିଆ ଅଞ୍ଚଳର ସିପିକା ନାୟକ(୩୬)। ସେମାନେ ସ୍କୁଟି ଯୋଗେ ପୁରୀ ଯାଉଥିବା ବେଳେ ଜମାଲପୁର ଛକ ପାଖରେ  ବାଲିରେ ଚକା ସ୍ଲିପ୍‌ କରିଥିଲା। ସେମାନେ ରାସ୍ତାରେ ପଡ଼ିଯାଇଥିଲେ। ଠିକ୍‌ ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା (ଓଡି-୦୨ଡିବି- ୮୧୯୯) ଶାରଳା ବସ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ବସ୍‌ଟି ଦ୍ରୁତଗତିରେ ପୁରୀ ଅଭିମୁଖେ ପଳାଇଥିଲା। କିନ୍ତୁ ସତ୍ୟବାଦୀ ଥାନା ପୁଲିସ ବସ୍‌କୁ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଛି। ମୃତ ସିପିକା ନାୟକଙ୍କ ସ୍ବାମୀ ପ୍ରଦୀପ୍ତ ରାଉତଙ୍କ ଅଭିଯୋଗକ୍ରମେ ପିପିଲି ଥାନା ପୁଲିସ ଏକ ମାମଲା ରୁଜୁକରିଛି।  ମୃତ ଶିଲା ନ୍ୟୁଜ୍-୭ ଚାନେଲ୍‌ରେ କାର୍ଯ୍ୟରତ ଥିଲେ। ସେମାନେ କୌଣସି କୋର୍ଟକଚେରି କାମରେ ପୁରୀ ଯାଉଥିଲେ। ଶିଲାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।

Advertisment

Two friends: ବୁଡ଼ିଗଲେ ୨ ସାଙ୍ଗ

'Kiit' ranks fifth in the country: ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆପଣାଇବାରେ ‘କିଟ୍‌’ ଦେଶରେ ପଞ୍ଚମ

 
ସଡ଼କ ସୁରକ୍ଷା ମାସ ପାଳନ ବେଳେ ଘଟଣାଟି ଆଜି  ପରିବହନ ବିଭାଗର ବିଫଳତାକୁ ପଦାରେ ପକାଇଛି। ବସ୍‌ ଚାଳକଙ୍କ ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲାଗୁ ନଥିବା ସ୍ପଷ୍ଟ ହୋଇଛି। ସେହିଭଳି ପିପିଲିଠାରୁ ପୁରୀ ମଧ୍ୟରେ ଦିନରାତି ଶହଶହ ବାଲି ବୋଝେଇ ହାଇୱା ଚାଲୁଛି। ସେଥିରୁ ବାଲି ଖସି ରାସ୍ତାରେ ପଡ଼ୁଛି ଏବଂ ଏହା ଲୋକଙ୍କ ପାଇଁ ପ୍ରାଣଘାତୀ ହେଉଛି। ଏଥିପାଇଁ ଆଜି ଦୁଇଟି ଜୀବନ ଅକ‌ାଳରେ ଚାଲିଗଲା ବୋଲି ଲୋକେ ପରିବହନ ବିଭାଗକୁ ଦାୟୀ କରିଛନ୍ତି।