ଭୁବନେଶ୍ବର: ବର୍ଷ ଆରମ୍ଭରୁ କୁଆଖାଇ ମୁଣ୍ଡ ଖାଇଛି। ନୂଆବର୍ଷ ପାଇଁ କୁଆଖାଇ କୋଳରେ ଭୋଜି କରି ଖୁସି‌ରେ ମସଗୁଲ ଥିବା ଦୁଇ ସାଙ୍ଗ ନଦୀଗଣ୍ଡରେ ବୁଡ଼ିଯାଇଛନ୍ତି। ମୃତକ ଦୁଇ ବନ୍ଧୁ ହେଲେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରହୁଥିବା ନୟାଗଡ଼ର ଜୟକୃଷ୍ଣ ସାହୁଙ୍କ ପୁଅ ପଙ୍କଜ(୧୮) ଓ ସମେଇଗାଡ଼ିଆ ଅଞ୍ଚଳର ପ୍ରଫୁଲ ପଲାରୁଙ୍କ ପୁଅ ପ୍ରତୀକ(୧୮)। ଡାକ୍ତର ହେବାର ସ୍ବପ୍ନ ନେଇ କୋଚିଂ ନେଉଥିବା ଦୁଇ ସାଙ୍ଗଙ୍କ ମୃତ୍ୟୁ ଆଜି ମଞ୍ଚେଶ୍ବର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଦୁଇ ଦୁଇଜଣ ମେଧାବୀ ଛାତ୍ରଙ୍କ ଜୀବନ ଓ ସ୍ବପ୍ନ, କୁଆଖାଇ ଗଣ୍ଡରେ ଡୁବିଯିବା ଭଳି ମର୍ମନ୍ତୁଦ ଦୁର୍ଘଟଣା ଆଜି କେବଳ ମଞ୍ଚେଶ୍ବର ନୁହେଁ, ସମଗ୍ର ରାଜଧାନୀବାସୀଙ୍କୁ ବ୍ୟଥିତ କରିଛି।

Advertisment

IT company: ବିଏସ୍ଏବିଟିରେ ଖୋଲିବ ଆଇଟି କମ୍ପାନି

'Sambad' Corporate Excellence Award: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ଉଦ୍ୟୋଗୀଙ୍କୁ ପ୍ରେରଣା ଦେଉଛି

 
ଡାକ୍ତର ହେବା ଲକ୍ଷ୍ୟ ନେଇ ଦୁଇ ସାଙ୍ଗ ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ କୋଚିଂ ନେଉଥିଲେ ଏବଂ କଠିନ ପରିଶ୍ରମ ବି କରୁଥିଲେ। ନୂଆବର୍ଷରେ ସାଙ୍ଗମାନେ ମିଶି ଭୋଜି କରିବେ ବୋଲି ଯୋଜନା କରି ଆଜି ସକାଳୁ ପଙ୍କଜ, ପ୍ରତୀକ ଓ ଅନ୍ୟ ଦୁଇ ସାଙ୍ଗ ସ୍କୁଟି ଯୋଗେ ବରିମୁଣ୍ଡ ଗାଁ ନିକଟକୁ ଯାଇଥିଲେ। ସେଠାରେ କୁଆଖାଇ ପଠାରେ ଭୋଜି କରିଥିଲେ। ବେଶ୍‌ ଖୁସିବାସିରେ ସମୟ କଟିଚାଲିଥିଲା। ମାତ୍ର ପଙ୍କଜ ଓ ପ୍ରତୀକଙ୍କ ପାଇଁ ତାହା ଯେ ଶେଷ ଭୋଜି ଥିଲା ଏବଂ ନୂଆବର୍ଷକୁ ସ୍ବାଗତ କରି ସେମାନେ ସବୁଦିନ ପାଇଁ ବିଦାୟ ନେଇଯିବେ ବୋଲି କିଏ ଜାଣିଥିଲା! ଖିଆପିଆ ସାରିବା ପରେ ବାସନକୁସନ ଧୋଇବା ପାଇଁ ପଙ୍କଜ ଓ ପ୍ରତୀକ ନଦୀ କୂଳକୁ ଯାଇଥିଲେ। ବାସନ ଧୋଉଥିବା ବେଳେ ପଙ୍କଜଙ୍କ ଗୋଡ଼ ଖସିଯାଇଥିଲା। ଗୋଡ଼ ତଳେ ଗଭୀର ଗଣ୍ଡ ଥିଲା ବୋଲି ସେମାନେ ଜାଣି ନଥିଲେ। ପଙ୍କଜ ପାଣିରେ ବୁଡ଼ିଯାଇଥିଲେ। ଏହା ଦେଖି ପ୍ରତୀକ ପାଟିକରି ଅନ୍ୟ ସାଙ୍ଗମାନଙ୍କୁ ଡାକିବା ସହ ପଙ୍କଜଙ୍କୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ। ଅନ୍ୟ ଦୁଇ ସାଙ୍ଗ କୂଳରେ ପହଞ୍ଚିବା ବେଳକୁ ପଙ୍କଜ ଓ ପ୍ରତୀକ ପାଣିରେ ବୁଡ଼ିଯାଉଥିଲେ। ଗଭୀର ଗଣ୍ଡକୁ ଡେଇଁବା ପାଇଁ କୂଳରେ ଥିବା ୨ବନ୍ଧୁଙ୍କ ସାହସ ନଥିଲା। ସେମାନଙ୍କ ଆଖି ଆଗରେ ୨ବନ୍ଧୁ ବୁଡ଼ିଯାଉଥିଲେ। ପାଟିକରି ଆଖପାଖ ଲୋକଙ୍କୁ ଡାକିବା ଛଡ଼ା ସେମାନଙ୍କ ପାଖରେ କିଛି ବି ବିକଳ୍ପ ନଥିଲା। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ପ୍ରାୟ ଘଣ୍ଟାଏ କାଳ ଖୋଜାଖୋଜି କରିବା ପରେ ଦୁଇଜଣଙ୍କୁ ପାଣିରୁ ବାହାରକୁ ଅଣାଯାଇଥିଲା ଏବଂ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।