ଖଣ୍ଡଗିରି: ଶନିବାର ଅପରାହ୍ଣରେ ଏକ ଗୋରୁ ବୋଝେଇ କଣ୍ଟେନର୍କୁ ଅଟକାଇବାରୁ ୧୬ ନମ୍ବର ଜାତୀୟ ରାଜପଥରେ ଗୋଚାଲାଣକାରୀ ଓ ଗୋସେବକମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଥିଲା। ଧସ୍ତାଧସ୍ତିରେ ଉଭୟ ପକ୍ଷରୁ ୮/୧୦ଜଣ ଆହତ ହୋଇଥିଲେ। ତେବେ ଖଣ୍ଡଗିରି ଥାନା ପୁଲିସ ଠିକଣା ସମୟରେ ପହଞ୍ଚି ଯିବାରୁ ବଡ଼ଧରଣର ଗଣ୍ଡଗୋଳ ଟଳିଯାଇଥିଲା। ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବୀରେନ୍ଦ୍ର ବର୍ମା, ୱାଜିଦ୍ ନୁର୍ ହୁସେନ୍ ଓ ମହାରାଷ୍ଟ୍ରର ସେକ୍ ୱଜିର୍ ନୱାଜ। ଉଦ୍ଧାର ହୋଇଥିବା ୩୧ଟି ଗାଈ ଓ ବାଛୁରିଙ୍କୁ ନିକଟସ୍ଥ ପାତ୍ରପଡ଼ା ଗୋଶାଳାରେ ଭର୍ତ୍ତି କରିଛି।
ଏହି ଗୋରୁ ବୋଝେଇ କଣ୍ଟେନର୍ଟି ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଗୋସେବକମାନେ ପାତ୍ରପଡ଼ା ନିକଟରେ ଜଗି ରହିଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ଗାଡ଼ିଟି ପାତ୍ରପଡ଼ା ଫୁଟ୍ ଓଭର୍ବ୍ରିଜ୍ ପାର୍ ହେବା ମାତ୍ରେ ଗୋସେବକମାନେ ଅଟକିବାକୁ ଚାଳକକୁ ସୂଚନା ଦେଇଥିଲେ। କିନ୍ତୁ କଣ୍ଟେନର୍ ଚାଳକ ଗାଡ଼ିର ବେଗ ବଢ଼ାଇଦେଇଥିଲା। ତେଣୁ ଗୋସେବକମାନେ ଗାଡ଼ିକୁ ପିଛା କରି ପାତ୍ରପଡ଼ା ଭି-୨ ସମ୍ମୁଖରେ ଜଗି ଦେଇଥିଲେ। ଗୋସେବକମାନେ ଗୋଚାଲାଣ ସମ୍ପର୍କୀତ ବୈଧ କାଗଜପତ୍ର ଦେଖାଇବାକୁ କହିଥିଲେ। ମାତ୍ର ଗୋଚାଲାଣକାରୀମାନେ ସେମାନଙ୍କୁ କାଗଜପତ୍ର ଦେଖାଇବାକୁ ମନା କରିଥିଲେ। ଏହାକୁ ନେଇ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଜାତୀୟ ରାଜପଥ ମଝିରେ ଏଭଳି ଗଣ୍ଡଗୋଳ ହେଉଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖୋର୍ଦ୍ଧାରୁ ଭୁବନେଶ୍ବର ଦିଗରେ ଯାଉଥିବା ଶହଶହ ଗାଡ଼ି ଅଟକି ରହିଥିଲା। ସେହିଭଳି ଗଣ୍ଡଗୋଳ ଦେଖିବାକୁ ଅପରପାର୍ଶ୍ବରେ ଗାଡ଼ିଚାଳକମାନେ ଅଟକି ଯିବାରୁ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା।
Ratna bhanda: ରତ୍ନଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ: ରଥଯାତ୍ରା ପୂର୍ବରୁ ହୋଇପାରେ ଗଣତିମଣତି
ଗୋସେବକମାନେ କଣ୍ଟେନର୍ ଉପରେ ଚଢ଼ି ନାରାବାଜି କରିଥିଲେ। ଏତିକିବେଳେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚିଯିବାରୁ ଗଣ୍ଡଗୋଳ ନିୟନ୍ତ୍ରଣକୁ ଆସିଥିଲା। ପୁଲିସ ୪ ଗୋଚାଲାଣକାରୀଙ୍କ ମଧ୍ୟରୁ ୩ଜଣଙ୍କୁ କାବୁ କରିଥିଲା ଏବଂ ଜଣେ ଭିଡ଼ ଭିତରେ ଖସି ପଳାଇଥିଲା। କଣ୍ଟେନର୍ ଭିତରେ ୨୦ଟି ଗାଈ ଓ ୧୧ଟି ବାଛୁରି ଥିଲେ। ଖୁନ୍ଦାଖୁନ୍ଦି କରି ଭର୍ତ୍ତି କରାଯାଇଥିବାରୁ କିଛି ଗାଈ ଓ ବାଛୁରି ଆହତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଦୟଭାବେ ଗାଈ ବାଛୁରିମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଚାଲାଣ କରାଯାଉଥିବା ଦେଖିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଆହୁରି ବଢ଼ିଥିଲା।
Follow Us