କଟକ: କଟକ ସହର ଆଜି ପାଳନ କରିଛି ଦହିବରା ଦିବସ। ୨୦୧୯ ମାର୍ଚ୍ଚ ୧କୁ ଏହି ଦିବସ ଭାବେ ପାଳନ କରାଯାଇ ଆସୁଛି। ଜିଲ୍ଲା ପ୍ରଶାସନ ତରଫରୁ ୨୦୨୫ରୁ ଦହିବରା ଦିବସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସହରରେ ଏବେ ୯ଶହରୁ ଅଧିକ ଦହିବରା ବ୍ୟବସାୟୀ ଥିବା ବେଳେ ଆଜିର ବିଶେଷ ଦିନରରେ ଦହିବରା ବ୍ୟବସାୟ କୋଟିଏ ଛୁଇଁଛି। କଟକ ସହରରୁ ଆରମ୍ଭ ହୋଇଥିବା ଦହିବରା-ଆଳୁଦମ୍‌ ବ୍ୟବସାୟ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିଛି। ୧୯୫୦ ପରେ କିଛି ହାତଗଣିତ ଲୋକଙ୍କ ଦ୍ବାରା ସହରରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ କଟକକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି।

Advertisment

Horoscope 2026 March 2: ଜାଣନ୍ତୁ ଆଜିର ରାଶିଫଳ

ଦହିବରା ଦିବସରେ ସହରରେ ଦହିବରା ବ୍ୟବସାୟ କୋଟିଏ ଟଙ୍କା ଛୁଇଁଛି। ବାରବାଟୀ ଷ୍ଟାଡିୟମ, ଶୈଳବାଳା କଲେଜ ସମ୍ମୁଖ, ବିଡ଼ାନାସୀ, ଦୋଳମୁଣ୍ଡାଇ ରଥପଡ଼ିଆ, ନରାଜ, ଜଗତପୁର ବ୍ୟାରେଜ୍‌ଛକ, ନୂଆପଡ଼ା, ମହାନଦୀବିହାର, ମଙ୍ଗଳାବାଗ, ନୂଆପାଟଣା, କଲେଜଛକ ଭଳି ସ୍ଥାନରେ ଏକାଧିକ ଦହିବରା ବ୍ୟବସାୟୀ ବ୍ୟବସାୟ କରୁଛନ୍ତି। ସହରରେ ଦେଢ଼ ଶହେରୁ ଅଧିକ ବଡ଼ ଦହିବରା ବ୍ୟବସାୟୀ ଅଛନ୍ତି। ଦହିବରା ଦିବସରେ ସେମାନଙ୍କ ବ୍ୟବସାୟ ୧୭ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ବିଭିନ୍ନ ସାହି, ଛକରେ ସାଇକଲ୍‌ରେ ‌ବା ଟେବୁଲ୍‌ ପକାଇ ବେପାର କରୁଥିବା ପ୍ରାୟ ୭ଶହ ବ୍ୟବସାୟୀ ଆଜିର ଦିନରେ ୬ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ବେପାର କରିଛନ୍ତି। ଏପରି ହିସାବ କଲେ, କଟକ ସହରରେ ଆଜିର ଦିନରେ ଦହିବରା ବ୍ୟବସାୟ ୯୫ ଲକ୍ଷ ଟଙ୍କାରୁ ଅଧିକ ରହିଛି। ଏଥର ଦହିବରା ଦିବସ ରବିବାରରେ ପଡ଼ିବା ସହ ରମଜାନ ମାସ ଚାଲୁଥିବାରୁ ଭଲ ବ୍ୟବସାୟ ହୋଇଥିବା ବହୁ ବ୍ୟବସାୟୀ କହିଛନ୍ତି। ଆଜିର ସ୍ବତନ୍ତ୍ର ଦିନରେ ଜଣେ ଜଣେ ବେପାରୀଙ୍କ ବେପାର ୬ ହଜାରରୁ ନେଇ ୨୦ ହଜାର ଟଙ୍କା ମଧ୍ୟରେ ରହିଛି ବୋଲି କଟକ ଦହିବରା ଆଳୁଦମ୍‌ ବ୍ୟବସାୟୀ ସଂଘ ସଭାପତି ପ୍ରଦୀପ୍ତ ସାହୁ କହିଛନ୍ତି। 

Elephant: ବେତନଟୀ ରେଞ୍ଜରେ ଚିନ୍ତା ବଢ଼ାଉଛି ୨୪ଟିକିଆ ହାତୀପଲ

ସୂଚନାଯୋଗ୍ୟ, କଟକ ସହରରୁ ଦହିବରା ବ୍ୟବସାୟ ଆରମ୍ଭ ହୋଇଥିବା ବେଳେ ବିଡ଼ାନାସୀ ଅଞ୍ଚଳର ଲୋକେ ପ୍ରଥମେ ସହରରେ ଦହିବରା ଆଳୁଦମ୍‌ ବିକ୍ରି କରୁଥିଲେ। ୧୯୫୦ ମସିହା‌ ବେଳକୁ ବିଡ଼ାନାସୀର ସ୍ବର୍ଗତ ରଘୁନାଥ ସାସମଲ(ରଘୁ ଦହିବରା) ପ୍ରଥମ କରି ଦହିବରା ଆଳୁଦମ୍ ତିଆରି କରି ସହର ବିଭିନ୍ନ ସାହିରେ ବୁଲି ବିକ୍ରି କଲେ। ପରେ ସେ ବାରବାଟୀ ଷ୍ଟାଡିୟମ ନିକଟରେ ଦହିବରା ଆଳୁଦମ୍ ବିକିଲେ। ରଘୁଙ୍କ ପରେ ତାଙ୍କ ପରିବାର ସଦସ୍ୟ ତାଙ୍କ ବ୍ୟବସାୟକୁ ଆଗକୁ ନେଉଛନ୍ତି। ସ୍ବର୍ଗତ ରଘୁନାଥଙ୍କ ବ୍ୟବସାୟକୁ ଦେଖି କଟକର ବହୁ ଲୋକ ଏହି ବ୍ୟବସାୟରେ ନିଜର ପରିଚୟ ସୃଷ୍ଟି କଲେ। କଟକ ସହରର କିଛି ଉତ୍ସାହୀ ଯୁବକ ୨୦୧୯ ମାର୍ଚ୍ଚ ୧କୁ ପ୍ରଥମ କରି ଦହିବରା ଦିବସ ଭାବେ ପାଳନ କଲେ। ଏହାପରଠୁ ପ୍ରତ୍ୟେକ ବର୍ଷ ଏହି ଦିବସ ଭାବେ ପାଳନ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୫ରୁ ଦହିବରା ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଉଛି।