ଚନ୍ଦ୍ରଶେଖରପୁର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଭରତପୁର ଜଙ୍ଗଲ। ଆଉ ସେଠାରୁ ସିଧାସଳଖ ଶିଖରଚଣ୍ଡୀ ପାହାଡ଼। ଏଭଳି ବାଟ ତିଆରି କରିଛନ୍ତି ରାଜଧାନୀ ଉପକଣ୍ଠରେ ଡେରା ପକାଇଥିବା ହାତୀପଲ। ତିନିଦିନ ତଳେ ଶିଖରଚଣ୍ଡୀ ମୁଣ୍ଡିଆ ତଳକୁ ଆସିଥିବା ହାତୀପଲଙ୍କୁ ଆଜି ପୁଣିଥରେ ଶିଖରଚଣ୍ଡୀ ପାହାଡ଼ ତଳେ ଦେଖିବାକୁ ମିଳିଛି। କାହାର କୌଣସି କ୍ଷତି କରି ନଥିଲେ ମଧ୍ୟ ହାତୀ ଦୁଇଟିକୁ ଦେଖି ସହର ଉପକଣ୍ଠରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। ‘ରାମୁ’ ହାତୀ ମୃତ୍ୟୁ ପରେ ନୂଆ ହାତୀପଲ ଶିଖରଚଣ୍ଡୀ ପାହାଡ଼କୁ ଆସିବା ଶିଖରଚଣ୍ଡୀ ପାହାଡ଼କୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଭରତପୁର ଜଙ୍ଗଲ ନିକଟକୁ ଲାଗି ରହିଥିବା କଲୋନିଗୁଡ଼ିକର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୁଇଦିନ ହେଲା ଲୋକମାନେ ଚୁନକୋଳି ବସ୍ତି ରାସ୍ତା ଦେଇ କଲୋନି ଭିତରକୁ ଯିବା ଆସିବା କରୁନାହାନ୍ତି। ବରଂ କିସ୍-ପଥରଗାଡ଼ିଆ ରାସ୍ତା ଦେଇ ପାଖାପାଖି ୪ କିମି ବୁଲି କଲୋନିକୁ ଯିବା ଆସିବା କରୁଛନ୍ତି। ଏବେ ହାତୀ ବାରମ୍ବାର ଶିଖରଚଣ୍ଡୀକୁ ଆସୁଥିବା ବାଟରେ ଟ୍ରେଞ୍ଜ ଖୋଳିବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ନିବେଦନ କରିଛନ୍ତି। ଭରତପୁର ଅଭୟାରଣ୍ୟ ଟ୍ରେଞ୍ଜ୍ଗୁଡ଼ିକ ପୋତି ହୋଇଯାଇଥିବାରୁ ରାତି ହେଲେ ହାତୀଗୁଡ଼ିକ ଚନ୍ଦକାରୁ ହାତୀ ଚଲାପଥ ରାସ୍ତାରେ ସିଧାସଳଖ ଶିଖରଚଣ୍ଡୀ ଆସୁଛନ୍ତି ଏବଂ ସକାଳ ହେଲେ ପୁଣି ଫେରିଯାଉଛନ୍ତି। ଏହି ସମୟରେ ସେମାନଙ୍କ ଆଗରେ ପାଚେରି, ଘର, ଗଛ ଥିଲେ ତାହାକୁ ଭାଙ୍ଗି ଦେଉଛନ୍ତି। ଶିଖରଚଣ୍ଡୀ ପାହାଡ଼ରେ ପଣସ, ଆମ୍ବ ପରି ଗଛ ଭାଙ୍ଗିଥିବା ନଜରକୁ ଆସିଛି।
Modi: କାନ୍ଭାସ୍ରେ ମୋଦୀଙ୍କ ଜୀବନ ଓ ସଂକଳ୍ପ
ବନ ବିଭାଗ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଅନ୍ଧାରୁଆ ଓ ପଥରଗାଡ଼ିଆ ଅଞ୍ଚଳରେ ହୋଇଥିବା ପନିପରିବା ଚାଷ ମୋହରେ ସେମାନେ ଜଙ୍ଗଲ ବାହାରକୁ ପଳାଇ ଆସୁଛନ୍ତି। ଗତକାଲି ରାତିରେ ତିନିଟିକିଆ ହାତୀ ଭରତପୁର ଜଙ୍ଗଲରୁ ବାହାରି ଶିଖରଚଣ୍ଡୀ ପାହାଡ଼ ଆଡ଼କୁ ପଳାଇ ଆସିଥିଲେ। ଆଉ ଫେରି ନ ଥିଲେ। ବରଂ ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣଧୀନ ପାଣିଟାଙ୍କି ନିକଟ ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହିଯାଇଥିଲେ। ଲୋକଙ୍କ ହୋହାଲ୍ଲା ଶୁଣି ସେମାନେ ପୁଣିଥରେ ଫେରିଯାଇଛନ୍ତି। ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଥିବା ଅଧିକାରୀ ଜଣକ କହିଛନ୍ତି।
Follow Us