ଭୁବନେଶ୍ୱର: ପରିବେଶ ପ୍ରତି ଆମ୍ଭେମାନେ କ‘ଣ ସତରେ ସଚେତନ ଅଛେ? ଏହି ପ୍ରଶ୍ନ ଆମେ ପ୍ରଥମେ ନିଜକୁ ପଚାରିବା ଆବଶ୍ୟକ। ପରିବେଶ ସୁରକ୍ଷା ସର୍ବଦା ନିଜ ପାଖରୁ ଆରମ୍ଭ ହେବା ଉଚିତ। ସରକାରୀ ନୀତି ଓ ଜନସାଧାରଣଙ୍କ ମଧ୍ୟରେ ଠିକ ସମନ୍ୱୟ ବିନା ପରିବେଶ ସୁରକ୍ଷା କଷ୍ଟକର। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା ପରିବେଶ କଂଗ୍ରେସର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏଭଳି କହିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀଚରଣ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ପରିବେଶ କଂଗ୍ରେସର ଅଧ୍ୟକ୍ଷ ଅରବିନ୍ଦ ବେହେରା, ବିଜୟା ମିଶ୍ର, ଅକ୍‌ଲ୍ୟାଣ୍ଡର କନସୁଲ ଜେନେରାଲ ମଦନ ମୋହନ ସେଠୀ, ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ, ପ୍ରଫେସର ଶରତ କୁମାର ପାଲିତ, ପ୍ରଫେସର ସୁଚେତା ପ୍ରିୟବାଦିନୀ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି  କେରଳର ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ପ୍ରକୃତି ଶ୍ରୀବାସ୍ତବ ଆସନ୍ତା ବର୍ଷ ଭାରତୀୟ ପରିବେଶ କଂଗ୍ରେସକୁ ଦିଲ୍ଲୀରେ ଆୟୋଜନ କରିବା ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। 

Advertisment

Health: ପାଣି ବୋତଲ, ରାଶି ତେଲ ଓ ଝଡ଼ା ଫୁଙ୍କାରେ ରାଜୁବାବାଙ୍କ ଚିକିତ୍ସା

ଏହି ଅବସରରେ ଏଫ୍ଇ‌ଏସ୍‌ ସଂସ୍ଥାକୁ ‘ପ୍ରଫେସର ରାଧାମୋହନ ଗ୍ରିନ ଆମ୍ବାସଡର ସମ୍ମାନ’, ଜୟପ୍ରକାଶ ନାୟକଙ୍କୁ  ‘ଅବସର ବେଉରିଆ ଯୁବ ପରିବେଶବିତ୍‌ ସମ୍ମାନ’, ‘ଏସ୍ଏ‌ନ୍‌ ମାଇନସ’କୁ ‘ସୁଧାଂଶୁ ମିଶ୍ର ଗ୍ରିନ୍‌ ଆମ୍ବାସଡର ସମ୍ମାନ’, ବର୍ଷା ବରାଳ ଓ ପ୍ରଦୀପ କୁମାର ସାହୁଙ୍କୁ ‘ଯୁବ ବିଜ୍ଞାନୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହିତ ୧୩ଟି  ପ୍ରସ୍ତାବଗ୍ୟହିତ ହୋଇଥିଲା। ଯାହାକୁ ସରକାରଙ୍କ ପାଖରେ ପରବର୍ତ୍ତୀ ସମୟରେ ଉପସ୍ଥାପନା କରାଯିବ। ଏଥିସହିତ ଆସନ୍ତା ବର୍ଷ ଏନ୍ଆ‌ଇଟି ରାଉଲକେଲାରେ ‘ପରିବେଶ ଓ ବୈଷୟିକ ଜ୍ଞାନ’ ଶୀର୍ଷକ ୧୭ତମ ଅଧିବେଶନ ହେବ ବୋଲି ଘୋଷଣା ହୋଇଥିଲା। ‘ଅଭିବୃଦ୍ଧି ଓ ନିରନ୍ତର ବିକାଶରେ ଶିଳ୍ପର ଭୂମିକା’ ଶୀର୍ଷକ ବିଶେଷ ଅଧିବେଶନରେ ମୁଖ୍ୟବକ୍ତା  ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଲେ ଯେ ବର୍ତ୍ତମାନ ଅଭିବୃଦ୍ଧି ସହିତ ପରିବେଶ ସୁରକ୍ଷା ମଧ୍ୟ ଆବଶ୍ୟକ। ପ୍ରକୃତିକୁ ସୁରକ୍ଷା ଦେବା ସହିତ ଶିଳ୍ପର ବିକାଶ ଓ ଅର୍ଥନୀତି କେମିତି ସମୃଦ୍ଧ ହେବ ସେଥିପାଇଁ ଗଭୀର ଚିନ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଇଣ୍ଡିଆନ ଚାମ୍ବର ଅଫ କମର୍ସର ଓଡ଼ିଶା ମୁଖ୍ୟ ରାଜୀବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଧିବେଶନରେ ଉତ୍କଳ ଚାମ୍ବର ଅଫ କମର୍ସର ସଭାପତି ପ୍ରବୋଧ ମହାନ୍ତି, ମହାନଦୀ କୋଲ୍ଡ‌ ଫିଲଡ୍‌ର ଜିଏମ୍‌(ଜଙ୍ଗଲ ଓ ପରିବେଶ) ଦୀନେଶ କୁମାର କୁଣ୍ଡୁ, ଟାଟା ଷ୍ଟିଲ୍‌ର ଅନୁପ ଶ୍ରୀବସ୍ତବ, ଓଡ଼ିଶା ଉଦ୍ୟୋଗ ପରିବାରର ମୁଖ୍ୟ ଶିବ ନାରାୟଣ ମିଶ୍ର ଓ ସକ୍ରେଟିସ ଫାଉଣ୍ଡେସନ୍ର‌ ନିର୍ଦ୍ଦେଶକ ଦେବଜିତ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର

‘ଜନତାଙ୍କ ସ୍ୱର’ ଶୀର୍ଷକ ଅଧିବେଶନ ରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ବାର୍ତ୍ତା ସମ୍ପାଦକ ଭବାନୀ ତ୍ରିପାଠୀ, ସାମ୍ୱାଦିକ ସତ୍ୟପ୍ରକାଶ ନାୟକ, ରାଜେଶ ମହାପାତ୍ର, ଉମି ଡାନିଏଲ, ମଧୁସ୍ମିତ ପତି ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସକାଳେ ଅନୁଷ୍ଠିତ ‘ପରିବେଶ ନୀତି ଓ ମହିଳାଙ୍କ ଭାଗିଦାରୀତା’ ଶୀର୍ଷକ ଅଧିବେଶନରେ ପ୍ରଫେସର ମାନସ ବେହେରା, ଆଭା ମିଶ୍ର, ଅଲିଭା ମହାନ୍ତି ଓ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ପ୍ରମୁଖ ଭାଗ ନେଇଥିଲେ। ପରିବେଶ କଂଗ୍ରେସ ର କାର୍ଯ୍ୟକାରୀ ସମ୍ପାଦକ ସୁଦର୍ଶନ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସମ୍ପାଦକ ଭୃଗୁ ବକ୍ସିପାତ୍ର  ଧନ୍ୟବାଦ ଦେଇଥିଲେ।