ଭୁବନେଶ୍ବର: ରାଜଧାନୀରେ ପୁଣି ଅଗ୍ନିକାଣ୍ଡ। ତୋଷାଳି ଭବନର ବି ୨ ତଳ ମହଲାରେ ଥିବା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ରେକର୍ଡ ରୁମ୍ରେ ଆଜି ନିଆଁ ଲାଗିଛି। ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାଅନୁସାରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ଲୋକାୟୁକ୍ତ ଖୋଲା ହେବା ବେଳକୁ ରେକର୍ଡ ରୁମରୁ ଧୁଆଁ ବାହାରୁ ଥିବା ଦେଖିଥିଲେ। ସେମାନେ ସୁରକ୍ଷାକର୍ମୀଙ୍କୁ ଡାକିବା ସହିତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ରେକର୍ଡ ରୁମ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କିଛି ସଲିଂ ଓ ରୢାକ୍ ପୋଡ଼ି ଯାଇଥିବା ବେଳେ ଏକ କମ୍ପ୍ୟୁଟର ଓ ଏସି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ନିଆଁରେ ବହୁ ଜରୁରୀ କାଗଜପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଆଉ କିଛି ଦସ୍ତାବିଜ୍ ଅଧାପୋଡା ଅବସ୍ଥାରେ ରୁମ ଭିତରେ ପଡ଼ିରହିଛି। ପାଣି ମାଡ଼ରେ ସେଗୁଡିକ ଓଦା ହୋଇ ନଷ୍ଟ ହୋଇଯାଇଛି। ଏହି ଅଘଟଣରେ ଲୋକୟୁକ୍ତଙ୍କ କାର୍ଯ୍ୟାଳୟର କୌଣସି କର୍ମଚାରୀ କିମ୍ବା ଅଧିକାରୀ ଆହତ ହୋଇନାହାନ୍ତି। ତେବେ ସୌଭାଗ୍ୟବଶଃତ କମ୍ ସମୟ ମଧ୍ୟରେ ନିଆଁ ଆୟତ୍ତ କରାଯାଇଥିବାରୁ ବଡ଼ କ୍ଷତିକୁ ଅଟକା ଯାଇପାରିଛି।
NCERT books: ଏନ୍ସିଇଆର୍ଟି ପୁସ୍ତକ ଉପରେ ରୋକ୍: ସମସ୍ତ କପି ଜବତ ନିର୍ଦ୍ଦେଶ, ଅନ୍ଲାଇନ୍ ସେୟାର ଉପରେ କଟକଣା
କଳ୍ପନା ଅଗ୍ନିଶମ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବାର ମାତ୍ର ୧୦ରୁ ୧୫ ମିନିଟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅନ୍ୟ କେଉଁଠି ନିଆଁ କିମ୍ବା ଧୂଆଁ ଥିବା ଆଶଙ୍କା କରି ଛାନଭିନ କରିବା ପରେ ଯାଇ ଅଗ୍ନିଶମ ବିଭାଗ ସବୁ ପ୍ରକ୍ରିୟା ସାରିଥିଲେ। ନିଆଁ ଲାଗିଥିବା ନେଇ ସକାଳ ପ୍ରାୟ ୧୦ଟା ବେଳେ ଆମ ପାଖକୁ ଖବର ଯାଇଥିଲା। ସୁରକ୍ଷାକର୍ମୀମାନେ ମଧ୍ୟ ଫାୟାର ଏକ୍ସଷ୍ଟିଂଗ୍ୟୁସର ମାରି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏକ ବିଦ୍ୟୁତ୍ ବୋର୍ଡକୁ ଲାଗି ଥିବା ରୢାକ ଜଳି ଯାଇଥିଲା। ପୁରୁଣା ବିଦ୍ୟୁତ୍ ତାରରୁ ସର୍ଟସର୍କିଟ୍ ହୋଇଥାଇପାରେ କିମ୍ବା ବିଦ୍ୟୁତ୍ ତାରରେ ଓଭର ଲୋଡରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଆଶଙ୍କା କରାଯାଉଛି। ନିଆଁ ଲିଭାଇବାକୁ ଭୁବନେଶ୍ୱରର ଦୁଇଟି ଦମକଳ ଗାଡି ଓ ୧୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। କାହିଁକି ଏମିତି ଅଗ୍ନିକାଣ୍ଡ ଘଟିଲା ସେନେଇ ତଦନ୍ତ କରାଯିବ। କାର୍ଯ୍ୟାଳୟରେ ବିଭିନ୍ନ ଅଗ୍ନି ନିର୍ବାପନ ଉପକରଣ ଆଦି ଥିଲା। କର୍ମଚାରୀମାନେ ତାହା ଦ୍ୱାରା ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ମନୋରଞ୍ଜନ ରାଉତ କହିଛନ୍ତି।
Follow Us