ଭୁବନେଶ୍ବର: ଘନ କୁହୁଡ଼ି ପାଇଁ ନୂଆବର୍ଷରେ ବିମାନ ଯାତ୍ରୀମାନେ କଲବଲ ହୋଇଛନ୍ତି। ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ୪ ଘଣ୍ଟା ଧରି କୌଣସି ବିମାନ ଉଡ଼ାଣ କରିପାରିନି। ପୂର୍ବାହ୍ଣ ୧୦ଟାରେ ଘନକୁହୁଡ଼ି ଛାଡ଼ିବା ପରେ ରନ୍ୱେ ଦୃଶ୍ୟମାନ ହୋଇଥିଲା। ପରେ ପରେ ପରେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି। ଏଣୁ ଉତ୍ତର ଓ ଦକ୍ଷିଣ ଭାରତକୁ ଯାତ୍ରା କରିବାକୁ ଥିବା ବହୁ ବିମାନ ଚଳାଚଳ ବିଳମ୍ବରେ ଯାତ୍ରା କରିଛି। ସେପଟେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆସିବାକୁ ଥିବା କେତେକ ବିମାନ ବି କୁହୁଡ଼ି ଯୋଗୁ ଅବତରଣ କରିବାରେ ଅସୁବିଧା ହୋଇଛି। ଏପରିକି କେତେକ ବିମାନ ବିଳମ୍ବରେ ପହଞ୍ଚିଛନ୍ତି।
ଆଜି ଭୋରରୁ ଘନକୁହୁଡ଼ି ସାରା ଭୁବନେଶ୍ବରକୁ ଆଚ୍ଛାଦିତ କରି ଦେଇଥିଲା। ବିଜୁ ପଟ୍ଟନାୟକ ବିମାନବନ୍ଦର ବି ଏଥିରୁ ବର୍ତ୍ତି ନଥିଲା। ସକାଳ ୬ଟା ପରଠାରୁ ବିମାନବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଭିନ୍ନ ଭିନ୍ନ ସମୟରେ ବିମାନ ଉଡ଼ାଣ ଭରିବାର ସମୟ ରହିଥିଲେ ବି ଘନ କୁହୁଡ଼ି ଯୋଗୁ ବିମାନବନ୍ଦରର ରନ୍ୱେ ଦୃଶ୍ୟମାନ ହୋଇନଥିଲା। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିମାନ ପାଇଁ ସର୍ବନିମ୍ନ ରନ୍ୱେ ଭିଜୁଆଲ୍ ରେଞ୍ଜ(ଆର୍ଭିଆର୍) ୫୫୦ ମିଟର ହୋଇଥିବାବେଳେ ଏତେ କୁହୁଡ଼ି ଥିଲା ୫୫୦ ମିଟର ଦୂରର କଥା ୫୦ ମିଟର ପର୍ଯ୍ୟନ୍ତ ବି ରନ୍ୱେ ଦୃଶ୍ୟମାନ ହୋଇ ନଥିଲା। ଏଣୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ବିମାନ ଚଳାଚଳ ବନ୍ଦ ରଖିବାକୁ ପଡ଼ିଥିଲା। ଯେଉଁଥିପାଇଁ ଭୁବନେଶ୍ବରୁ ଦିଲ୍ଲୀ, ଗୌହାଟି, ଚେନ୍ନାଇ, ପ୍ରୟାଗରାଜ, ଡେରାଡୁନ୍କୁ ଯିବାକୁ ଥିବା ୫ରୁ ଅଧିକ ବିମାନ ବିଳମ୍ବରେ ଯାତ୍ରା କରିଥିଲା। ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇରୁ ଆସିବାକୁ ଥିବା ୫ ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ୩ଟି ବିମାନର ଗତିପଥ ରାୟପୁରକୁ ଏବଂ ୨ଟିର କୋଲ୍କାତାକୁ ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ ୩ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବାଙ୍ଗାଲୋରରୁ ଆସୁଥିଲା।
ଯେହେତୁ ଆଜି ନୂଆବର୍ଷ, ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯାତ୍ରା ଅପେକ୍ଷାରେ ଥିଲେ। ସେହିଭଳି ବହୁ ଯାତ୍ରୀ ଓଡ଼ିଶା ଆସିବାର ଥିଲା। କିନ୍ତୁ ଆଜିର ଘନକୁହୁଡି ଯାତ୍ରୀଙ୍କ ନୂଆବର୍ଷ ବୁଲା ଫିକା ପକାଇ ଦେଇଛି। ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନେକ ଯାତ୍ରୀ ସେମାନଙ୍କୁ ଠିକ୍ ସୂଚନା ଦିଆଯାଇ ନଥିବା ବି ଅଭିଯୋଗ କରିଥିଲେ। ଯେଉଁଥିପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ କିଛି ସମୟ ପାଇଁ ଭିଡ଼ ବଢ଼ି ଯାଇଥିଲା ଓ ଅପ୍ରୀତିକର ସ୍ଥିତି ଉପୁଜିଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପ୍ରଧାନ କହିଛନ୍ତି, କୁହୁଡ଼ି ସକାଳ ୬ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ବିମାନବନ୍ଦରକୁ ଅଛାଦିତ କରି ରଖିଥିଲା। ଯାହା ବିମାନ ଚଳାଚଳକୁ ପ୍ରଭାବିତ କରିଥିଲା। ଦିନ ୧୦ଟା ପରେ କୁହୁଡ଼ି ଛାଡ଼ିବା ସହ ରନ୍ୱେ ଦୃଶ୍ୟମାନ ହେବା ପରେ ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲା ଓ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ।
Controversy over Palestinian flag: ହେଲ୍ମେଟ୍ରେ ପାଲେଷ୍ଟାଇନ୍ ପତାକାକୁ ନେଇ ବିବାଦ
Follow Us