ବାରଙ୍ଗ: ନୂଆ ବର୍ଷର ପ୍ରଥମ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୭ ହଜାର ୨୬୦ ଜଣ ପର୍ଯ୍ୟଟକ ଆସିଥିଲେ। ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୩୦୦୯ ଜଣ ପର୍ଯ୍ୟଟକ ଆଜି ବୁଲିଥିବା ଟିକେଟ ବିକ୍ରିରୁ ଜଣା ପଡ଼ିଥିବା କର୍ତ୍ତୃପକ୍ଷ ସୂଚ଼ନା ଦେଇଛନ୍ତି। ତେବେ ଗତ ବର୍ଷ ଅର୍ଥାତ ୨୦୨୫ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ସଂଖ୍ୟାରେ ରେକର୍ଡ ସ୍ତର ଛୁଇଁଛି। ଏହା ବର୍ଷ ଯାକ ବିକ୍ରି ହୋଇଥିବା ଟିକଟ୍‌ରୁ ଜଣାପଡ଼ିଛି। ଗତ ବର୍ଷର ୧୨ ମାସରେ ମୋଟ ୪୦ ଲକ୍ଷ ୨୦ ହଜାର ୫୩୯ଟି ଟିକେଟ ବିକ୍ରି ହୋଇଥିଲା। ଏହା ନନ୍ଦନକାନନରେ ଟିକେଟ ବିକ୍ରିରେ ସର୍ବକାଳୀନ ରେକର୍ଡ ଥିଲା। ସେଥିମଧ୍ୟରେ  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ ଲକ୍ଷ ୪୩ ହଜାର ୨୩ଖଣ୍ଡ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ଲକ୍ଷ ୭୭ ହଜାର ୫୧୧ ଖଣ୍ଡ ଟିକଟ ବିକ୍ରି ହୋଇଥିବା ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ଟିକେଟ ବିକ୍ରି ବାବଦକୁ ଗତ ବର୍ଷ ନନ୍ଦନକାନନର ୨୩ କୋଟି ୨୩ ଲକ୍ଷ  ଟଙ୍କା ରାଜସ୍ବ ଆଦାୟ ହୋଇଥିବା ସୂଚ଼ନା ଦିଆଯାଇଛି। ଏହାପୂର୍ବ ବର୍ଷ ୨୦୨୪ରେ ରାଜସ୍ବ ଆଦାୟଠାରୁ ୧.୦୬ କୋଟି ଟଙ୍କା ଅଧିକ ବୋଲି ଜଣାପଡ଼ିଛି। ୨୦୨୪ରେ ନନ୍ଦନକାନନରେ ମୋଟ ୩୭ ଲକ୍ଷ ୯୯ ହଜାର ୬୩୨ଟି ଟିକେଟ ବିକ୍ରି ହୋଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Advertisment

Critical: କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌କୁ ଆହୁରି ୬ ମାସ

ନୂଆବର୍ଷରେ ରାଜ୍ୟ ସଂଗ୍ରହାଳୟରେ ଗହଳି

 ନୂଆବର୍ଷରେ ଆଜି ରାଜ୍ୟ ସଂଗ୍ରହାଳୟରେ ପରିଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ୫ହଜାରରୁ ଅଧିକ ପର୍ଯ୍ୟଟକ ଆଜି ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିବା ସହ ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତି ସଂପର୍କରେ ଜାଣିଛନ୍ତି। ନୂଆବର୍ଷରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା କରାଯାଇଥିଲା। ଏଣୁ ଆଜି ବହୁଛାତ୍ରଛାତ୍ରୀ ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ନୂଆବର୍ଷ ପାଇଁ ରାଜ୍ୟ ସଂଗ୍ରହାଳୟରେ ସ୍ବତନ୍ତ୍ର ସାଜସଜ୍ଜା କରାଯାଇଥିଲା। ନୃତ୍ୟଗୀତର ବି ଆୟୋଜନ କରାଯାଇଥିଲା। ପର୍ଯ୍ୟଟକ, ଛାତ୍ରଛାତ୍ରୀମାନେ ଏହାର ବି ମଜା ନେଇଛନ୍ତି।  ୧୯୩୨ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟ ସଂଗ୍ରହାଳୟ ଭୁବନେଶ୍ବରର ସର୍ବପୁରାତନ ସଂଗ୍ରହାଳୟ। ଏଠାରେ ପ୍ରତ୍ନତତ୍ତ୍ୱ, ଏପିଗ୍ରାଫି, ମୁଦ୍ରା, ଯୁଦ୍ଧାସ୍ତ୍ର, ଖଣି ଓ ଭୂତତ୍ତ୍ୱ ଆଦିର ଇତିହାସ, କଳା ଓ ହସ୍ତଶିଳ୍ପ, ପାଣ୍ଡୁଲିପି ଆଦି ସଂରକ୍ଷିତ ରଖାଯାଇଛି ଓ ପ୍ରଦର୍ଶିତ ହେଉଛି। ପ୍ରାଚୀନ କଳାକୃତିଠାରୁ ଆରମ୍ଭ କରି ସମସାମୟିକ କଳା ପର୍ଯ୍ୟନ୍ତ ଓଡ଼ିଶାର ସାଂସ୍କୃତିକ, ଐତିହ୍ୟ ଉପରେ ଏକ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରି ଆସୁଛି। ରାଜ୍ୟ ସଂଗ୍ରହାଳୟରେ ଓଡ଼ିଶାର ଏହି ପ୍ରାଚୀନ କଳା, ସଂସ୍କୃତି, ଐତିହ୍ୟ ଆଦିକୁ ଦେଖିବାକୁ ଆଜି ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଭାରତୀ ପାଲ୍ କହିଛନ୍ତି, ନୂଆବର୍ଷ ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟରେ ବ୍ୟାପକ ଆଲୋକ ସଜ୍ଜା କରାଯାଇଛି। ପର୍ଯ୍ୟଟକମାନେ ବି  ବଗିଚା ବୁଲିଛନ୍ତି। ଫଟୋ ନେବା ସହ ଓଡ଼ିଶାର ଐତିହ୍ୟକୁ ନିକଟରୁ ଜାଣିଛନ୍ତି। ଏଥିପାଇଁ ଦିନତମାମ ପ୍ରବଳ ଭିଡ଼ ରହିଥିଲା। ଆଜି ଦିନକରେ ୫ହଜାରରୁ ଅଧିକ ପର୍ଯ୍ୟଟକ ଟିକେଟ୍ କାଟି ରାଜ୍ୟ ସଂଗ୍ରହାଳୟ ବୁଲିଛନ୍ତି। ଟିକେଟ୍‌ରୁ ୯୦ହଜାର ଟଙ୍କା ରାଜସ୍ବ ଆସିଛି।

Critical: କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌କୁ ଆହୁରି ୬ ମାସ

ମନ୍ଦିର, ଚର୍ଚ୍ଚ, ସଂଗ୍ରହାଳୟ ସବୁଠି ଭିଡ଼

ପାଦ ଥାପିଛି ୨୦୨୬। ନୂଆ ସମ୍ଭାବନା ନେଇ ଆସିଥିବା ନବବର୍ଷକୁ ରାଜଧାନୀବାସୀ ବେଶ୍‌ ଉତ୍ସାହର ସହ ସ୍ବାଗତ କରିଛନ୍ତି।  ସକାଳୁ ସକାଳୁ ସାରା ସହର ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଥିବାରୁ ପ୍ରଭୁଙ୍କ ଦର୍ଶନରୁ ନୂତନ ବର୍ଷର ଆରମ୍ଭ କରିବା ପାଇଁ ସହରର ପ୍ରମୁଖ ମନ୍ଦିରଗୁଡ଼ିକରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ସମସ୍ତେ ମନ୍ଦିର ଯାଇ ଭଗବାନଙ୍କ ଆର୍ଶୀବାଦ ନେଇଥିଲେ। ବିଶେଷ କରି ପ୍ରଭୁ ଶ୍ରୀରାମ ମନ୍ଦିରରେ ସକାଳୁ ଭକ୍ତଙ୍କ ସୁଅ ଛୁଟିଥିଲା। ‘ହରେ ରାମ..’ ସ୍ୱରରେ ମନ୍ଦିର ପରିସରରେ କମ୍ପି ଉଠୁଥିଲା। 

ନୂଆ ବର୍ଷରେ ଡାଇନୋସର କଲା ସ୍ୱାଗତ

ସଦ୍ୟ ଉଦ୍‌ଘାଟିତ ମିନି ଜୁରାସିକ୍ ପାର୍କ ଓ ନଲେଜ ସ୍ପିଅର ଦେଖିବା ପାଇଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଭଳିକି ଭଳି ଡାଇନୋସର୍‌ ସହିତ ବାଘ, ଗରିଲା ଓ ବଣମଣିଷର ନିଖୁଣ ପ୍ରତିକୃତି ସହିତ ଡାଇନୋସର୍‌ର ଗର୍ଜନ ଏକ ପୁରାତନ ଯୁଗର ଭ୍ରମ ସୃଷ୍ଟି କରିଥିଲା। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବ ପିଢ଼ିମାନେ ଏହି ସୋ’ର ମଜା ନେଇଥିଲେ। ଏହାବ୍ୟତୀତ ଭୂଖଣ୍ଡନ, ଗ୍ରହଗୁଡ଼ିକର ଗତିବିଧି, ମହାଦେଶ ତଥା ମହାସାଗରର ସୃଷ୍ଟି ଆଦି ଦର୍ଶାଉଥିବା ଘୂର୍ଣ୍ଣୟମାନ ଗୋଲକ ‘ନଲେଜ ସ୍ପିଅର’ ଦେଖିବାକୁ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ପର୍ଯ୍ୟଟକଙ୍କ ଚାହିଦା ଦେଖି ଉଭୟ ସୋ’କୁ ୪ ଥର କରାଯାଇଥିଲା। ସେହିପରି ନୂତନ ଭାବେ ଧ୍ୱନିର ସୃଷ୍ଟି, ପ୍ରକାରଭେଦ, କମ୍ପନ ସମ୍ପର୍କରେ ଜାଣିବା ପାଇଁ ପିଲାମାନେ ‘ମ୍ୟୁଜିକାଲ ଫ୍ଲାଵାର’ ଓ ‘ପାରାବୋଲିକ ରିଫ୍ଲେକ୍ଟର’ ବଜାଇ ଶିଖୁଥିଲେ। ଆଜି ବିଜ୍ଞାନ କେନ୍ଦ୍ରରେ ୨୫୪୩ ଜଣ ପର୍ଯ୍ୟଟକ ଆସିଥିବା ବେଳେ ୯୧ ହଜାର ୭୭୫ଟଙ୍କା ଆଦାୟ ହୋଇଥିଲା। 

ଜ୍ଞାନ ବିତରଣ କଲା ପ୍ଲାନେଟାରିୟମ ଓ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ

ନିଃଶୁଳ୍କ ପ୍ରବେଶ ସୁଯୋଗ ଥିବାରୁ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟରେ ଗହଳି ପରିଲକ୍ଷିତ ହୋଇଥିଲା। ଭାରତର ବିଭିନ୍ନ ରାଜ୍ୟର ଜୀବଜନ୍ତୁ, ଯେପରିକି ଚିତାବାଘ, ବଜ୍ରକାପ୍ତା, ହରିଣ, ପାଣ୍ଡା, ଗଣ୍ଡା, ଝିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଓ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ, ଜଙ୍ଗଲର ବଣ୍ଟନ, ବିଭିନ୍ନ ପ୍ରଜାତିର ବୃକ୍ଷଲତାଙ୍କ ବିଷୟରେ ସମୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଥିଲେ ପର୍ଯ୍ୟଟକ। ପୁଣି  ତିମି, ହାତୀ ରାମୁର କଙ୍କାଳ, ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ‘କୁମ୍ଭୀର କାଳିଆ’ ଛୋଟ ପିଲାଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ଆଜି ସଂଗ୍ରହାଳୟରେ ୧୨୦୦ରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ସେହିପରି ପଠାଣି ସାମନ୍ତ ପ୍ଲାନେଟାରିୟମରେ ୧୧୮୬ ଜଣ ପର୍ଯ୍ୟଟକ ଆସିଥିଲେ। 

ପ୍ରାର୍ଥନାରେ ଆରମ୍ଭ ହେଲା ନବବର୍ଷ

ନବ ବର୍ଷ ଅବସରରେ ସହରର ପ୍ରମୁଖ ଚର୍ଚ୍ଚମାନଙ୍କରେ ପ୍ରଭୁ ଯୀଶୁଙ୍କ ଆରାଧନା ପାଇଁ ପ୍ରାର୍ଥନା ଆୟୋଜିତ ହୋଇଥିଲା। ୟୁନିୟନ ଚର୍ଚ୍ଚରେଉଭୟ ସକାଳେ ଇଂରାଜୀ ଓ ଅପରାଣ୍ଣରେ ଓଡ଼ିଶାରେ ପ୍ରାର୍ଥନା ହୋଇଥିଲା। ସେହିପରି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା। ଏଠାରେ ପାଖାପାଖି ୨୦୦୦ ଲୋକଙ୍କ ସମାଗମ ହୋଇଥିଲା। ସେହିପରି ସତ୍ୟନଗର ଚର୍ଚ୍ଚରେ ମଧ୍ୟ ପ୍ରାର୍ଥନା ହୋଇଥିଲା।