ଭୁବନେଶ୍ବର,: ଚାଇନା ଠକ ଲିୟୁ ୟି ସହ ହାତ ମିଶାଇ ଲୋନ୍ ଆପ୍ ଜରିଆରେ ଠକୁଥିବା ଆଉ ଏକ ଆପ୍ର ନିର୍ଦ୍ଦେଶକକୁ ଦିଲ୍ଲୀରୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଅଭିଯୁକ୍ତ ହେଲା ଗୁଡ୍ ଷ୍ଟାର୍ଟ ବିଜିନେସ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ନିତିନ ମଲିକ। ଗତ ବୁଧବାର ଦିନ ନିତିନକୁ ଦିଲ୍ଲୀ ହରିନଗର ଥାନା ଅଞ୍ଚଳରୁ ଗିରଫ କରିବା ପରେ ତିସ୍ ହଜାରି କୋର୍ଟରେ ହାଜର କରାଯାଇଥିଲା ଓ ସେଠାରୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟକୁ ଅଣାଯାଇଛି। ନିତିନ୍ ରହୁଥିବା ଘରୁ ଚୀନ ପାସ୍ପୋର୍ଟ, ଚାଇନିଜ୍ ସଂସ୍ଥା ଓ ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର୍ ସହ ଚୁକ୍ତିନାମା, ଅଶ୍ଳୀଳ ହ୍ବାଟ୍ସଆପ୍ ଓ ଇମେଲ୍ ମେସେଜ୍ ଆଦି ଜବତ କରାଯାଇଛି। ନିତିନକୁ ମିଶାଇ ଇଓଡବ୍ଲୁ ଦ୍ବାରା ଏଭଳି ଠକେଇ କରୁଥିବା ୬ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ଚାଇନା ଠକ ଲିୟୁ ୟି ସହ ହାତ ମିଶାଇ ଲୋନ୍ ଆପ୍ ଜରିଆରେ ଲୋକଙ୍କୁ ଶୋଷଣ କରୁଥିଲେ। ତେବେ ଏପର୍ଯ୍ୟନ୍ତ ଚାଇନା ଠକ ଲିୟୁକୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିପାରିନାହିଁ। ତା’ ନାଁରେ ଲୁକ୍ଆଉଟ୍ ସର୍କୁଲାର ଜାରି କରାଯାଇଛି।
ଅଭିଯୋଗ ଅନୁଯାୟୀ, ଶକ୍ତିପ୍ରସାଦ ଦାଶ ତାଙ୍କ ମୋବାଇଲ୍ରେ କ୍ରେଡିଟ୍ ଗୋଲ୍ଡ ଆପ୍ ଡାଉନଲୋଡ୍ କରିବା ପରେ ତାଙ୍କୁ ଋଣ ବାବଦରେ ୯ହଜାର ଟଙ୍କା ମିଳିଥିଲା। ଏହି ଋଣ ଟଙ୍କା ତାଙ୍କ ଆକାଉଣ୍ଟ୍କୁ ଆସିବାର ମାତ୍ର ୪ଦିନ ପରେ ତାଙ୍କୁ ୧୫, ୬୦୦ ଟଙ୍କା ସୁଝିବାକୁ ହ୍ବାଟ୍ସଆପ୍ ମେସେଜ୍ ଆସିଥିଲା। ମାତ୍ର ୪ ଦିନରେ ୬ ହଜାର ଟଙ୍କା ସୁଧ କଥା ଶୁଣିବା ପରେ ଶକ୍ତିପ୍ରସାଦଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ପରେ ପରେ ଅଜଣା ନମ୍ବରରୁ ହ୍ବାଟ୍ସଆପ୍, ମେସେଜ୍ ଓ ଫୋନ୍ କଲ୍ ଜରିଆରେ ଟଙ୍କା ସୁଝିବାକୁ ଧମକ ମିଳିଥିଲା। କେବଳ ସେତିକି ନୁହେଁ, ତାଙ୍କ ଫଟୋକୁ ଏଡିଟିଂ ଜରିଆରେ ଅଶ୍ଳୀଳ କରି ତାଙ୍କ ସଂପର୍କୀୟମାନଙ୍କୁ ପଠାଯାଇଥିଲା। ଏନେଇ ଶକ୍ତିପ୍ରସାଦ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା, ଫୋନ୍ କଲ୍ ଆସିଥିବା ସିମ୍ଗୁଡ଼ିକ ଗୁଡ୍ ଷ୍ଟାର୍ଟ ସଂସ୍ଥାର ଥିଲା। ଏହି ସଂସ୍ଥା ଆର୍ବିଆଇ ଅଧୀନରେ ନଥିବା ବି ଜଣାପଡ଼ିଥିଲା। ଏମିତିକି ଚାଇନା ଠକ ଲିୟୁ ୟିର ବେଙ୍ଗାଲୁରୁସ୍ଥିତ ଓମ୍ଲେଟ୍ ଟେକ୍ନୋଲୋଜି ସଂସ୍ଥା ସହ ନିତିନର ଗୁଡ୍ଷ୍ଟାର୍ଟ ସଂସ୍ଥା କାମ କରୁଥିବା ଜଣାପଡ଼ିଥିଲା।
ସୂଚନାଯୋଗ୍ୟ, ଗିରଫ ନିତିନ ବିଏସ୍ଏନ୍ଏଲ୍, ଏୟାରଟେଲ୍ ଓ ଭୋଡାଫୋନ୍ ଟେଲିକମ୍ ସଂସ୍ଥା ପାଖରୁ ଭର୍ଚୁଆଲ ଫୋନ୍ ନମ୍ବର କିଣିବା ପରେ ଲୋନ୍ ଆପ୍ ପାଇଁ ବ୍ୟବହାର କରୁଥିଲା। ସେହିଭଳି ନିତିନ ମଧ୍ୟ ଆଉ ଏକ ସନ୍ଦିଗ୍ଧ ସଂସ୍ଥା ରାଇଟ୍ ଷ୍ଟାର୍ଟ ବିଜିନେସ୍ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶକ ଥିବା ଜଣାପଡ଼ିଛି। ତା’ର ଏହି କଳା କାରବାର ପାଇଁ ସେ ମୁମ୍ବାଇ ପୁଲିସର ଵାଣ୍ଟେଡ୍ ତାଲିକାରେ ଥିବା ଇଓଡବ୍ଲୁ ତଦନ୍ତରୁ ଜଣାପଡ଼ିଛି। ତେବେ ବଡ଼ କଥା ହେଉଛି, ଚାଇନା ଠକ ଲିୟୁ ୟି ବେଙ୍ଗାଲୁରୁରେ ନିଜ କମ୍ପାନି ଓମ୍ଲେଟ୍ ଟେକ୍ନୋଲୋଜି କରିବା ସହ ଭାରତର ପ୍ରାୟ ୧୦ଟି ସଂସ୍ଥାକୁ ତା’ ସହିତ ସାମିଲ୍ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଇଓଡବ୍ଲୁ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ରୢାକେଟ୍ର ୧୪୧ ବ୍ୟାଙ୍କ ଆକାଉଣ୍ଟରେ ଥିବା ୬ କୋଟି ୫୭ ଲକ୍ଷ ଟଙ୍କା ଅଚଳ କରାଯାଇଛି।