ପୁରୁଣା ଭୁବନେଶ୍ୱର: ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ଏକାମ୍ରକ୍ଷେତ୍ରକୁ ଲାଗିରହିଛି ସୁନ୍ଦରପଦା ଗୋଖିବାବାଙ୍କ ପୀଠ। ଏହି ପୀଠର ମହିମା ଅପାର। କଥାରେ ଅଛି: ବିଶ୍ବାସ କଲେ ଠାକୁର, ନ କଲେ ପଥର। ସେମିତି ଯିଏ ଅଙ୍ଗେ ନିଭେଇଛି, ସେ ହିଁ ଗୋଖିବାବାଙ୍କ ମହିମା ବିଶ୍ବାସ କରିଆସିଛି। ଲୋକକଥା ଅନୁସା‌ରେ ଗୋଖିବାବା ପରେ ଅଲୌକିକ ଶକ୍ତି ରହିଛି। ଗୋଟିଏ ସମୟ ଥିଲା ଯେତେବେଳେ ଆଜିର ରାଜଧାନୀ ଭୁବନେଶ୍ବର ଏକ ଘନ ଅରଣ୍ୟ ଥିଲା। ସେଭଳି ସମୟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହିମା ସାଙ୍ଗକୁ ଘଞ୍ଚ ଜଙ୍ଗଲ ଭିତରେ ବାୟାବାବା ଓ ସୁନ୍ଦରପଦାରେ ଗୋଖିବାବାଙ୍କ ମହିମା ବିରାଜୁଥିଲା। ଆଜି ବି ଗୋଖିବାବାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ପ୍ରତିବର୍ଷ ମକର ସଂକ୍ରାନ୍ତିରେ ଏହି ପୀଠରେ ମେଳା ଅନୁଷ୍ଠିତ ହୁଏ। କାରଣ ଏଠି ନଡ଼ିଆ ଯାଚିଦେଲେ, ହଜିଥିବା ଜିନିଷ ମିଳିଯାଏ ବୋଲି ବିଶ୍ବାସ ରହିଛି।

Advertisment

Boat racing in Chilika: ଚିଲିକାରେ ଡଙ୍ଗାଚାଳନା ପ୍ରତିଯୋଗିତା

ପ୍ରାୟ ୩ଶହ ବର୍ଷ ତଳର କଥା। ସୁନ୍ଦରପଦା ନିକଟ ପୋଖରୀପୁଟ ଗ୍ରାମରେ ରହୁଥିଲେ ଗୋଖି ଦାସ। ବାଲ୍ୟକାଳରୁ ପିତାମାତାଙ୍କୁ ହରାଇ ଅନାଥ ପାଲଟିଯାଇଥିବା ଗୋଖୀ ଗାଈ ଚରାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ଏକଦା ଜଙ୍ଗଲରେ ଗାଈ ଚରାଉଥିବା ବେଳେ ତିନିଜଣ ସାଧୁଙ୍କ ସାନ୍ନିଧ୍ୟ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ତୃଷାର୍ତ୍ତ ସନ୍ଥମାନଙ୍କ ତୃଷା ନିବାରଣ ପାଇଁ ସେମାନଙ୍କ ପରାମର୍ଶରେ ସେ ଗୋଟିଏ ଛଡ଼ା(ଯେଉଁ ଗାଈ କେବେ ପ୍ରସବ କରି ନଥାଏ)କୁ ଦୁହିଁ ଥିଲେ ଏବଂ ନିର୍ଗତ କ୍ଷୀର ପିଆଇ ସନ୍ଥମାନଙ୍କ ଶୋଷ ମେଣ୍ଟାଇଥିଲେ। ଛଡ଼ାଠାରୁ କ୍ଷୀର ଝରିବା ଘଟଣାରେ ଚକିତ ଗୋଖି ସନ୍ଥତ୍ରୟଙ୍କ ପଛେପଛେ ଚାଲିବାକୁ ଲାଗିଲେ। ଲକ୍ଷ୍ୟ ଥିଲା ସିଦ୍ଧିଲାଭ। କିଛି ବର୍ଷ ପରେ ଗୋଖି ଦାସ ସୁନ୍ଦରପଦା ପ୍ରତ୍ୟାବର୍ତ୍ତନ କଲେ। ସେତେବେଳକୁ ଗାଈଚରାଳି ଗୋଖି ପାଲଟି ସାରିଥିଲେ ଜଣେ ସିଦ୍ଧପୁରୁଷ। ଲୋକେ ତାଙ୍କୁ ଗୋଖିବାବା ନାମରେ ସମ୍ବୋଧନ କଲେ। ସେମାନେ ଗ୍ରାମର ପବିତ୍ର ପୀଠ ସୁନ୍ଦରେଶ୍ୱର ଓ ଦଧିବାମନ ଜୀଉଙ୍କ ମନ୍ଦିର ନିକଟରେ ଏକ କୁଡ଼ିଆ(ଆଶ୍ରମ) ନିର୍ମାଣ କରି ତାଙ୍କ ରହିବାର ବ୍ୟବସ୍ଥା କଲେ। ଗୋଖିବାବା ଜଙ୍ଗଲକୁ ଯାଇ ବିଭିନ୍ନ ଚେରମୂଳି ସଂଗ୍ରହ କରୁଥିଲେ। ତାଙ୍କ ସିଦ୍ଧିପ୍ରାପ୍ତି ଅନୁସାରେ ସେ ହଜିଥିବା ଜିନିଷ ଫେରିପାଇବାରେ ସାହାଯ୍ୟ କରୁଥିଲେ। କେବଳ ସେତିକି ନୁହେଁ, ଗ୍ରାମରୁ ମହାମାରୀ ହଟାଇବାରେ ସେ ପଦକ୍ଷେପ ଗ୍ରହଣ କରୁଥିଲେ। ଲୋକଙ୍କ ବ୍ୟାଧି ଦୂର କରିବାକୁ ସେ ପରାମର୍ଶ ଓ ଔଷଧପତ୍ର ଦେଉଥିଲେ। ଏକଦା ଜଣେ ମୁସଲ୍‌ମାନଙ୍କ ଚାଷ ଜମିର ବାଡ଼ ଭାଙ୍ଗି ଗାଈଗୋରୁମାନେ ଫସଲ ନଷ୍ଟ କରୁଥିଲେ। ଏଥିରେ ଦୁଃଖିତ ଲୋକଟି ଗୋଖିବାବାଙ୍କ ଶରଣାପନ୍ନ ହେଲେ। ଗୋଖିବାବାଙ୍କୁ ତାଙ୍କ ଦୁଃଖ ଜଣାଇଲେ। ଜମିରେ ବାଡ଼ ନ ଦେବାକୁ ଗୋଖିବାବା ପରାମର୍ଶ ଦେଲେ ଏବଂ ଏଣିକି ଗାଈଗୋରୁ ସେ ଜମିରେ ପ୍ରବେଶ କରିବେ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଲେ। ପ୍ରକୃତରେ ସେହିଦିନଠାରୁ ଏପର୍ଯ୍ୟନ୍ତ ସେହି ଜମିରେ ଗାଈଗୋରୁ ଚରିବାର କେହି ଦେଖି ନାହାନ୍ତି ବୋଲି କୁହାଯାଏ। ଏପରି ଅନେକ ଅଲୌକିକ ଘଟଣା ଯୋଗୁ ତାଙ୍କୁ ଲୋକେ ଭକ୍ତି ଓ ପୂଜା କରିଥା’ନ୍ତି।

Babu is holding: ବାବୁ ବୈଠକ କରୁଛନ୍ତି କାର୍ଯ୍ୟାନ୍ବୟନ ଶୂନ

 ବାବାଙ୍କ ମୃତ୍ୟୁକୁ ନେଇ ବି ବେଶ୍‌ ବିସ୍ମୟକର କାହାଣୀ ରହିଛି। ନିଜ ମୃତ୍ୟୁ ପ୍ରସଙ୍ଗ ସେ ପୂର୍ବରୁ କହିସାରିଥଲେ। ଶୂନ୍ୟରେ ଅର୍ଥାତ୍‌ ଭୂମିରୁ ୨ଫୁଟ ଉଚ୍ଚରେ ତପସ୍ୟାରତ ଅବସ୍ଥାରେ ତାଙ୍କ ମହାପ୍ରୟାଣ ହୋଇଥିଲା। ଏକ ସମୟରେ ଲୋକେ ତାଙ୍କୁ ପୁରୀରେ ଓ ଖଣ୍ଡଗିରିରେ ଦେଖିଥିବା କାହାଣୀ ରହିଛି। ତେଣୁ ତାଙ୍କୁ ଅବତାର ଭାବେ ପୂଜା କରାଯାଉଛି। ସୁନ୍ଦରପଦା ଗୋଖୀବାବା ମନ୍ଦିରଠାରେ ମକର ସଂକ୍ରାନ୍ତି ପୂର୍ବ ଦିନଠାରୁ ୯ ଦିନଧରି ମକର ଉତ୍ସବ ପାଳନ ହୋଇଆସୁଛି।